ଓଡ଼ିଶା

ଧନୁଯାତ୍ରା ପୂର୍ବରୁ ବରଗଡରେ ଯାତ୍ରା ମାହୋଲ

ବରଗଡ: ବରଗଡ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଗୋଟିଏ ଦିନ ବାକିଥିବା ବେଳେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ବିଭିନ୍ନ ସ୍କୁଲ କଲେଜର ୩୫୦ରୁ ଅଧିକ ଛାତ୍ର ଛାତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକାରର ରଙ୍ଗୋଲି ପ୍ରସ୍ତୁତ କରାଯାଇଛି । ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଓ ସ୍କୁଲ ଅଫ ଫାଇନ୍ ଆର୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ପ୍ରତିଟି ଦୃଶ୍ୟକୁ ଜୀବନ୍ତ ଭାବେ ପ୍ରତିପାଦିତ କରିଛନ୍ତି କଳାକାର । ଏହାକୁ ଦେଖିବାକୁ ଦର୍ଶକଙ୍କ ବେଶ ଭିଡ଼ ଲାଗିଥିଲା।

ଭାରତ ସ୍ୱାଧୀନତାର ସ୍ମୃତିବହନ କରୁଛି ବରଗଡର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ଷ ପରେ ବର୍ଷ ପ୍ରସିଦ୍ଧ ଲାଭ କରି ଚାଲିଛି ।  ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଏବଂ ସ୍କୁଲ ଅଫ ଫାଇନ୍ ଆର୍ଟ ପକ୍ଷରୁ ତୃତୀୟ ଥର ପାଇଁ ଆୟୋଜିତ ହୋଇଛି ରଙ୍ଗୋଲି କାର୍ଯ୍ୟକ୍ରମ। ଏହି ରଙ୍ଗୋଲି କାର୍ଯ୍ୟକ୍ରମରେ ଶ୍ରୀକୃଷ୍ଣଙ୍କ ଜନ୍ମ, କାଳୀୟ ଦଳନ, ନାବକେଳି, ବସ୍ତ୍ରହରଣ କଂସ, ପୁତନା ବଧ ଓ କଂସଙ୍କ ନଗର ଭ୍ରମଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଦୃଶ୍ୟକୁ ଜୀବନ୍ତ ଭାବେ ଗଢ଼ି ତୋଳିଥିଲେ ଏହି କଳାକାର । ଯେହେତୁ ଚଳିତ ବର୍ଷ ଧନୁଯାତ୍ରାକୁ ୭୫ ବର୍ଷ ପୂର୍ତ୍ତି ହେଉ ଥିବାରୁ ହିରକ୍ ଜୟନ୍ତୀ ପାଳନ କରାଯାଉଛି । ତେଣୁ ଏହି ରଙ୍ଗୋଲି କାର୍ଯ୍ୟକ୍ରମରେ ଭାଗ ନେଇ ସମସ୍ତେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ରବିବାର ସକାଳୁ ରଙ୍ଗୋଲି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ରଙ୍ଗୋଲିକୁ ଦେଖୁବା ପାଇଁ ଦର୍ଶକଙ୍କ ଭିତରେ ବେଶ ଉତ୍ସାହ ଦେଖାଯାଇଥିଲା। ଧନୁଯାତ୍ରା ଆରମ୍ଭ ପୂର୍ବରୁ ଧନୁଯାତ୍ରାର ପ୍ରତ୍ୟେକଟି ଦୃଶ୍ୟର ଝଲକ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଧନୁଯାତ୍ରାକୁ ଅଧିକ ଲୋକପ୍ରିୟ କରିବା ସହ ଲୋକଙ୍କୁ ଏହି ଯାତ୍ରା ସହ ଯୋଡ଼ିବା ପାଇଁ ଆଗକୁ ଆହୁରି କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ପ୍ରଚାର ପ୍ରସାର କମିଟିର ସହଆବାହକ କହିଛନ୍ତି।

ବରଗଡ଼ ଧନୁଯାତ୍ରା ମହୋତ୍ସବ ପୂର୍ବରୁ ଆୟୋଜିତ ହେଉଥିବା ଏହି ରଙ୍ଗୋଲି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେତିକି ଉତ୍ସାହ ଦେଖାଯାଇଛି ବରଗଡ଼ ଜନସାଧାରଣଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳିଛି ।

ଧ୍ରୃବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button