Malkangiri

କାଳବୈଶାଖୀ ନେଲା ୩ ଜୀବନ

ମାଲକାନଗିରି : କାଳବୈଶାଖୀର ତାଣ୍ଡବ କାରଣରୁ ମାଲକାନଗିରିରେ ଏୟାରଷ୍ଟ୍ରିପରେ ନିର୍ମାଣାଧୀନ ପାଚେରୀ ଭୁଶୁଡ଼ିଛି । ଏହି ଘଟଣାରେ ଏଠାରେ କାର୍ଯ୍ୟରତ ଜଣେ ମହିଳାଙ୍କ ସମେତ ମୋଟ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ମନୋଜ ହେମ୍ବ୍ରମ (୧୯) ଓ ତିଳୋତ୍ତମା ବେନିଆ (୪୦)। ସେହିପରି କାଳବୈଶାଖୀ ପ୍ରଭାବରେ ଭାରସାମ୍ୟ ହରାଇ ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଅଦ୍ୟାବଧି ନିଖୋଜ ଅଛନ୍ତି ।

ସୂଚନା ଅନୁସାରେ, ମାଲକାନଗିରିରେ ନୂତନ ଏୟାରଷ୍ଟ୍ରିପ୍ ନିର୍ମାଣ ଚାଲିଥିଲା। ସେଠାରେ ବହୁ ଶ୍ରମିକ ନିୟୋଜିତ ଥିଲେ। ଗତକାଲି ଅପରାହ୍ନ ସମୟରେ ପ୍ରବଳ ବେଗରେ ପବନ ବହିଥିଲା । ଏହି କାରଣରୁ ଶ୍ରମିକମାନେ ଆଶ୍ରୟ ନେବା ପାଇଁ ଏୟାରଷ୍ଟ୍ରିପ୍ ର ପାଚେରୀ ନିକଟକୁ ଆସିଥିଲେ। କିନ୍ତୁ, ସେହି ପାଚେରୀ ତାଙ୍କ ପାଇଁ କାଳ ସାଜିଥିଲା । ଶ୍ରମିକମାନଙ୍କର ଉପରେ ପାଚେରୀ ପଡିଯାଇଥିଲା। ପାଖାପାଖି ୧୦୦ ମିଟରରୁ ଅଧିକ ପାଚେରୀ ଭାଙ୍ଗି ଯାଇଥିବା ବେଳେ କିଛି ଲୋକ ବର୍ତ୍ତି ଯାଇଥିଲେ। କିନ୍ତୁ, ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏଥିରେ ଏମଭି-୩ ଗ୍ରାମର ମନୋଜ ହେମ୍ରମ, ଲୁବିନ୍ ସୋରେନ୍, ଅମ୍ରିକା କିସକୁ, ଗନ୍ଧିପାଲୀ ଗ୍ରାମର ଅର୍ଜୁନ ବେନିଆ ଓ ତାଙ୍କ ପତ୍ନୀ ତିଳୋତ୍ତୋମା ବେନିଆ ଗୁରୁତର ଆହତ ହୋଇଥିଲେ । ସେଥିରୁ କିଛି ବ୍ୟକ୍ତିଙ୍କ ମୁଣ୍ଡ ଫାଟିଥିବା ବେଳେ ଆଉ କାହାର ଅଣ୍ଟା ଓ ଗୋଡ ଭାଙ୍ଗି ଯାଇଛି । ସେମାନଙ୍କୁ ବହୁ କଷ୍ଟରେ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ମନୋଜ ଓ ତିଳୋତ୍ତମାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଛନ୍ତି। ଏହି ପାଚେରୀ ନିର୍ମାଣ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।

ସେହିପରି ସତୀଗୁଡା ଜଳଭଣ୍ଡାରର ଡଙ୍ଗା ବୁଡିଯିବାରୁ ୨ ଜଣ ବ୍ୟକ୍ତି ନିଖୋଜ ଥିଲେ । ନିଖୋଜ ମାନଙ୍କ ମଧ୍ୟରେ ଜଣେ ମହିଳା ଥିବା କୁହାଯାଉଛି। ସତୀଗୁଡ଼ା ଜଳଭଣ୍ଡାରରେ ନିଖୋଜ ୨ ଜଣଙ୍କ ମଧ୍ୟରୁ ଆଜି ସକାଳୁ ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜଙ୍କୁ ଖୋଜିବା ପାଇଁ ରିଲିଫ୍ କମିସନର (ଏସଆରସି) ତତ୍ପରତା ଦେଖାଇଛନ୍ତି । ସେ କୋରାପୁଟସ୍ଥିତ ଓଡ୍ରାଫ୍ ଟିମ୍ କୁ ମାଲକାନଗିରି ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଧାନ କାର୍ଯ୍ୟରେ ଓଡ୍ରାଫ୍ ଟିମ୍ କୁ ସହଯୋଗ କରିବା ପାଇଁ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି । ମାଲକାନଗିରି ସହରାଂଚଳ, ପଦ୍ମଗିରି ଓ ପାନ୍ଦ୍ରିପାଣି ଅଂଚଳରେ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି । କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମି ଶୀଘ୍ର ସଜାଡିବାକୁ ଟାଟା ପାୱାରକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button