କୋର୍ଟ

ଉତ୍ତେଜକ ପୋଷାକ ପିନ୍ଧିଲେ ହେବନି ଯୌନ ଉତ୍ପୀଡନର କେସ୍ : କୋର୍ଟ

କେରଳର କୋଝିକୋଡ ଜିଲ୍ଲା ଅଦାଲତଙ୍କ ଏକ ଯୌନ ଉତ୍ପୀଡନ ମାମଲାରେ ଦେଇଥିବା ଟିପ୍ପଣୀକୁ ନେଇ ଆରମ୍ଭ ହୋଇଛି ବିବାଦ । ଅଭିଯୁକ୍ତକୁ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଥିବାରୁ ସାଧାରଣରେ ପ୍ରକାଶ ପାଇଛି ଅସନ୍ତୋଷ । ଅଦାଲତ କହିଛନ୍ତି, ‘ଯଦି ମହିଳା କିମ୍ବା ଯୁବତୀ ଉତ୍ତେଜକ ପୋଷାକ ପିନ୍ଧନ୍ତି ତେବେ ଅଭିଯୁକ୍ତ ବିରୁଦ୍ଧରେ ଆଇପିସିର ଧାରା ୩୫୪ ଆଧାରରେ ଯୌନ ଉତ୍ପୀଡନ ମାମଲା ହୋଇପାରିବ ନାହିଁ’।

ତେବେ କୋର୍ଟଙ୍କ ଏହି ରାୟକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଜଷ୍ଟିସ୍‌ ଏସ. କୃଷ୍ଣକୁମାର, ଲେଖକ ସିବିକ୍‌ ଚନ୍ଦ୍ରନଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିବା ସହିତ ଏଭଳି ଟିପ୍ପଣୀ ଦେଇଛନ୍ତି । ଚନ୍ଦ୍ରନ ବିରୁଦ୍ଧରେ ଦୁଇ ବର୍ଷ ପୂର୍ବରୁ ଜଣେ ଲେଖିକା ଦୁର୍ବ୍ୟବହାର କରିଥିବାର ଅଭିଯୋଗ କରିଥିଲେ ।

ଅଦାଲତଙ୍କ ରାୟକୁ ନେଇ ମହିଳା ସାମାଜିକ କର୍ମୀ ଏବଂ ପୂର୍ବତନ ବିଚାରପତି ଆପତ୍ତି ଉଠାଇଛନ୍ତି । କେବଳ ସେତିକି ନୁହେଁ ଏହି ମାମଲାରେ ଏବେ ହାଇକୋର୍ଟ ହସ୍ତକ୍ଷେପ କରିବା ଉଚିତ ବୋଲି ଜଣେ ପୂର୍ବତନ ବିଚାରପତି କହିଛନ୍ତି । ଅନ୍ୟପଟେ ପୀଡିତା କହିଛନ୍ତି, ବିଚାରପତିଙ୍କ ରାୟକୁ ନେଇ ସେ ଖୁବଶୀଘ୍ର ହାଇକୋର୍ଟ ଯିବେ ।

ମାମଲାର ଶୁଣାଣି ବେଳେ ବିଚାରପତି କହିଥିଲେ, ଅଭିଯୁକ୍ତ ନିଜ ପକ୍ଷ ରଖିବା ସହିତ ପ୍ରମାଣ ଆକାରରେ ଯେଉଁ ଫଟୋ କୋର୍ଟଙ୍କ ନିକଟରେ ଉପସ୍ଥାପନ କରିଥିଲେ ସେଥିରେ ସ୍ପଷ୍ଟ ଜଣାପଡୁଥିଲା ଯେ, ଅଭିଯୋଗକାରୀ ଏଭଳି ଡ୍ରେସ ପିନ୍ଧିଥିଲେ ଯାହାକି ଉସକାଇବା ଭଳି ଥିଲା । ଏ କ୍ଷେତ୍ରରେ ଆଇପିସିର ଧାରା ୩୫୪କେ ଅନୁଯାୟୀ ଅଭିଯୁକ୍ତ ବିରୁଦ୍ଧରେ ମାମଲା ହୋଇପାରିବ ନାହିଁ’। ଅନ୍ୟପଟେ ସୋସିଆଲ ମିଡିଆର କିଛି ଫଟୋକୁ ନେଇ ଅଦାଲତଙ୍କ ନିକଟରେ ଉପସ୍ଥାପନା କରାଯାଇଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅଦାଲତ ଏହା ମଧ୍ୟ କହିଛନ୍ତି, ‘ଘଟଣାର ୨ ବର୍ଷ ପରେ କାହିଁକି ମାମଲା ରୁଜୁ କଲେ ପୀଡିତା । କାହିଁକି ତୁରନ୍ତ ଥାନାରେ ଅଭିଯୋଗ କରିନଥିଲେ । ମାମଲା ୨୦୨୦ ଫେବୃଆରୀରେ ଘଟିଥିଲେ ସୁଦ୍ଧା ୨ ବର୍ଷ ପରେ ପୀଡିତା ଏଫଆଇଆର୍‌ ଦେଇଛନ୍ତି । ପୀଡିତା ମହିଳାଙ୍କ କହିବା କଥା ଯେ, ଲେଖକଙ୍କ ଏକ ସମ୍ମୀଳନୀ ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିଲା । ଅଭିଯୋଗରେ ମହିଳା କହିଥିଲେ ଯେ, ଅଭିଯୁକ୍ତ ଚନ୍ଦ୍ରନ ବାରମ୍ବାର ତାଙ୍କୁ ଫୋନ କରୁଥିଲେ ଏବଂ ହଇରାଣ କରୁଥିଲେ । ଏଭଳି ହରକତ୍ ଅସହ୍ୟ ହେବାରୁ ବାଧ୍ୟ ହୋଇ ସେ ମାମଲା ରୁଜୁ କରିଥିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଭିଯୁକ୍ତ ସିବିକ୍‌ ଚନ୍ଦ୍ରନଙ୍କ ବୟସ ହେଉଛି ୭୪ ବର୍ଷ । ତେଣୁ ପରିଣତ ବୟସରେ ଜଣେ କିଭଳି ଭାବେ ଯୌନ ଉତ୍ପୀଡନ କରିବେ ଏବଂ ଦୁର୍ବ୍ୟବହାର କରିବେ ବୋଲି କୋର୍ଟ ପ୍ରଶ୍ନ କହିଛନ୍ତି l ଏହି ରାୟ ପରେ ଏବେ ବିବାଦ ଦେଖିବାକୁ ମିଳିଛି l

Related Articles

Leave a Reply

Your email address will not be published.

Back to top button