Kendujhar

ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକରେ ଶୃଙ୍ଖଳିତ ଭାବେ ରଥଯାତ୍ରା ପାଳନ ଉପରେ ଗୁରୁତ୍ୱ

କେନ୍ଦୁଝର : କେନ୍ଦୁଝରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଥଯାତ୍ରା ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଠାକରେ ଉଦ୍‌ବୋଧନ ଦେଇ ଆଗାମୀ ରଥଯାତ୍ରାକୁ ଆନନ୍ଦ ଉଲ୍ଲାସର ସହ ଶୃଙ୍ଖଳିତ ଭାବେ ପାଳନ କରିବାକୁ ନିବେଦନ କରିଥିଲେ । ଗତ ବର୍ଷ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଥଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିବାରୁ ଚଳିତ ବର୍ଷ ମଧ୍ୟ ଜନସମାଗମ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ରଥ ନିର୍ମାଣ ସହିତ ରଥଯାତ୍ରା ସହିତ ଜଡିତ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମ ଯେପରି ସଠିକ୍ ଭାବେ ପରିଚାଳିତ ହେବ ସେଥିପାଇଁ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ କେନ୍ଦୁଝର ଜିଲ୍ଲାରେ ନୂଆ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଏସ୍‌.ପି. ନୀତିନ୍ କୁଶଲକର ଉଦ୍‌ବୋଧନ ଦେଇ ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଙ୍କ ପବିତ୍ର ରଥଯାତ୍ରା ଜିଲ୍ଲାବାସୀଙ୍କର ଏକ ପ୍ରମୁଖ ପର୍ବ ବୋଲି କହିବା ସହିତ ଏହାର ସୁପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ରଥଯାତ୍ରା ଯେପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ସେଥିପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ବିଶେଷ କରି ଭିଡ ନିୟନ୍ତ୍ରଣ, ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ଶୃଙ୍ଖଳିତ ଭାବେ ରଥଟଣା ପାଇଁ ସୁବ୍ୟବସ୍ଥିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ । କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜେ ଏବଂ ରାଜପୁରୋହିତ ପ୍ରସନ୍ନ କୁମାର ନନ୍ଦ ବୈଠକରେ ଉପସ୍ଥିତ ଥିଲେ । ତତ୍‌?ପରେ ବୈଠକର ଆବାହକ କେନ୍ଦୁଝର ଉପଜିଲ୍ଲାପାଳ-ତଥା-ନିର୍ବାହୀ ଅଧିକାରୀ ଦେବୋତର ରାମଚନ୍ଦ୍ର କିସ୍କୁ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ଆରମ୍ଭ କରି ଚଳିତ ବର୍ଷର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଜୁନ୪ତାରିଖ ଦିନ ଦେବସ୍ନାନ ପୂର୍ଣ୍ଣିମା,୧୮ତାରିଖ ଦିନ ନେତ୍ର ପ୍ରତିଷ୍ଠା ଓ ନବଯୌବନ ଦର୍ଶନ,୧୯ତାରିଖ ଦିନ ଉଭାଯାତ୍ରା ଓ ନବଯୌବନ ଦର୍ଶନ,୨୦ତାରିଖ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା,୨୧ତାରିଖ ଦିନ ଗୁଣ୍ଡିଚା ମନ୍ଦିରକୁ ରଥରୁ ଧାଡି ପହଣ୍ଡିରେ ବିଜେ,୨୪ତାରିଖ ଦିନ ହେରା ପଂଚମୀ,୨୮ତାରିଖ ଦିନ ବାହୁଡା ଯାତ୍ରା,୨୯ତାରିଖ ଦିନ ସୁନାବେଶ,୩୦ତାରିଖ ଦିନ ଶ୍ରୀମନ୍ଦିର ବିଜେ ସଂପର୍କରେ ସୂଚନା ଦେବା ସହ ବିଭିନ୍ନ ଦିବସରେ ଶ୍ରୀଶ୍ରୀ ବଳଦେବଜୀଉଙ୍କର ବିଭିନ୍ନ ବେଶ ଆଦି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ମହିଳା ଭକ୍ତମାନଙ୍କୁ ରଥ ଟଣା କାର୍ଯ୍ୟକ୍ରମରେ ସାମିଲ୍ କରାଯିବା ପ୍ରସ୍ତାବ ବୈଠକରେ ସର୍ବ ସମ୍ମତିକ୍ରମେ ଗୃହିତ ହୋଇଥିଲା । ବିଭିନ୍ନ କମିଟି ଗଠନ, ରଥ ନିର୍ମାଣ, ରଥ ଦଉଡି ଯୋଗାଣ, ପୂଜା ବ୍ୟବସ୍ଥା ଓ ପହଣ୍ଡି ସେବା, ଆଇନଶୃଙ୍ଖଳା, ସ୍ୱେଚ୍ଛାସେବୀ ନିୟୋଜନ, ସ୍ୱାସ୍ଥ୍ୟ ଓ ପରିମଳ ସେବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସରବରାହ, ଅବକାରୀ ପଦକ୍ଷେପ, ଅଗ୍ନିଶମ ବ୍ୟବସ୍ଥା, ଉଠାଦୋକାନ ଓ ସରକାରୀ ଷ୍ଟଲ୍ ନିମନ୍ତେ ଭୂମି ଚିହ୍ନଟ ଓ ଆବଂଟନ, ବଡଦାଣ୍ଡର ପରିଷ୍କାର ଓ ପରିଚ୍ଛନ୍ନତା, ସାଜ୍ଜସଜ୍ଜା ଓ ଆଲୋକ ବ୍ୟବସ୍ଥା, ଶ୍ରୀଗୁଣ୍ଡିଚା ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାତ୍ରୀମାନଙ୍କର ଗମନାଗମନ ବ୍ୟବସ୍ଥା, ପ୍ରସାଦ ବଂଟନ, ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାର ମରାମତି ଓ ଉନ୍ନତିକରଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା । ମହାପ୍ରଭୁଙ୍କର ରଥଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ଅର୍ଥ କମିଟି,ରଥନିର୍ମାଣ ଓ ରଥ ସରଞ୍ଜାମ ତଦାରଖ କମିଟି,ସ୍ୱାସ୍ଥ୍ୟ ଓ ପରିମଳ କମିଟି,ପାନୀୟ ଜଳ ଯୋଗାଣ କମିଟି, ଆଇନଶୃଙ୍ଖଳା/ପାସ୍ ପ୍ରଦାନ କମିଟି,ପୂଜା ନୀତି ତଥା ପହଣ୍ଡିସେବା କମିଟି,ଆଲୋକ ଓ ସାଜ୍ଜସଜ୍ଜା କମିଟି,ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି,ସୁନାବେଶ କମିଟି ଏବଂ ଶାନ୍ତିଶୃଙ୍ଖଳା କମିଟି ଗଠନ ପ୍ରସ୍ତାବ ଗୃହୀତ ହୋଇଥିଲା । ଶ୍ରୀଜୀଉମାନଙ୍କର ସୁନାବେଶ ନିମନ୍ତେ ଏକ ସ୍ୱତନ୍ତ୍ର ବୈଠକ ଆହ୍ୱାନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଏତଦ୍‌ବ୍ୟତୀତ ରଥଯାତ୍ରା ସଂପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ, ପୁରୁଣା ସହର ପରିପାଶ୍ୱର୍ର ଉନ୍ନତିକରଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ଉପନିର୍ଦ୍ଦେଶକ, ସୂଚନା ଓ ଲୋକ ସଂପର୍କ କେନ୍ଦୁଝର ସଂଜୀବ ବାରିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରଂଚି ପ୍ରସାଦ ଦେହୁରୀ,ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାର୍ହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ,ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ,ଆଇ.ଏ.ଏସ୍‌. ପ୍ରୋବେସନର ଧିମେନ୍ ଚକ୍‌ମା,ଆଇ.ପି.ଏସ୍‌. ପ୍ରୋବେସନର ଅମ୍ରିତ ପାଲ ସିଂହ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ କିଶୋର କୁମାର ପୃଷ୍ଟି,ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଡଃ ମଧୁସ୍ମିତା ସାମନ୍ତରାୟ, ତହସିଲଦାର କେନ୍ଦୁଝର ଆଶିଷ ମହାପାତ୍ର,ଡି.ଏସ୍‌.ପି. ଡିଆଇବି ଇନ୍ଦୁରେଖା ପଶ୍ଚିମକବାଟ,ଏସ୍‌. ଡି.ପି.ଓ କେନ୍ଦୁଝର ମହେନ୍ଦ୍ରନାଥ ମୁର୍ମୁ,ଟାଉନ ଥାନା ଆଇ.ଆଇ.ସି. ସୁନୀଲ କୁମାର କର,ବଡବିଲ୍ ଥାନା ଆଇ.ଆଇ.ସି. ପ୍ରୋମଦିନୀ ସାହୁ,ବିଭିନ୍ନ ବିଭାଗୀୟ ଅଧିକାରୀ,ସେବାୟତ/ସେବକ ବିଭିନ୍ନ କ୍ଲବ୍‌/ଅନୁଷ୍ଠାନର ପ୍ରତିନିଧି ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Articles

Leave a Reply

Your email address will not be published.

Back to top button