ବିଶ୍ୱ

ଏକଛତ୍ରବାଦୀ ଶାସକ ଥିଲେ ପରଭେଜ

() ଆଉ ନାହାନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାମୁଖ୍ୟ ପରଭେଜ ମୁଶାରଫ। ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗକରିଛନ୍ତି। ରବିବାର ଦୁବାଇରେ ୭୯ ବର୍ଷରେ ମୁଶାରଫଙ୍କ ନିଧନ ହୋଇଥିବା  ଏସମ୍ପର୍କରେ ସୂଚନା ଦେଇଛି ସେଠାକାର ଦୁବାଇସ୍ଥିତ ପାକ ରାଷ୍ଟ୍ରଦୂତ। ୨୦୧୬ରୁ ସେ ଦୁବାଇରେ ରହିଆସୁଥିବା ବେଳେ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦାୟିତ୍ବ ତୁଲାଇଥିଲେ। ଯେଉଁ ପ୍ରଧାନମନ୍ତ୍ରୀ ତାଙ୍କୁ ସେନା ମୁଖ୍ୟ କରିଥିଲେ, କ୍ଷମତା ଲୋଭରେ ପରଭେଜ ତାଙ୍କୁ ହିଁ ଗାଦିଚ୍ୟୁତ କରିଥିଲେ। ତାଙ୍କ ଜନ୍ମ ଭାରତରେ ହୋଇଥିଲେ ମଧ୍ୟ ତାଙ୍କ ପ୍ରୋତ୍ସାହନାରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିଲା କାରଗିଲ ଯୁଦ୍ଧ। ସେ ପାକିସ୍ତାନର ପୂର୍ବତନ ସେନାର ତୃତୀୟ ସେନାମୁଖ୍ୟ ଥିଲେ ଯିଏ ଦେଶର ଶାସନ ଭାର ନିଜ ହାତକୁ ନେଇଥିଲେ।

ପୂର୍ବତନ ପାକ୍ ଏକଛତ୍ରବାଦୀ ଶାସକଙ୍କ ନିଧନ। ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ପରଭେଜ ମୁଶାରଫଙ୍କ ୭୯ ବର୍ଷ ବୟସରେ ପରଲୋକ। ଦୁବାଇର ଏକ ଆମେରିକୀୟ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏହି କ୍ଷମତାଲୋଭି ପାକ ନେତା। ଦୀର୍ଘ ଦିନରୁ ସେଠାର ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିବା ବେଳେ ରବିବାର ଦୁବାଇରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତର ସଚିବ ସାଜିଆ ସରିଫ ତାଙ୍କ ମୃତ୍ୟୁର ସୂଚନା ଦେଇଛନ୍ତି। ସାଜିଆ କହିଛନ୍ତି, ଆଜି ସକାଳୁ ପୂର୍ବତନ ରାଷ୍ଟ୍ରପତି ଶେଷ ନିଶ୍ବାସ ତ୍ୟାଗକରିଥିବା ମୁଁ ନିଶ୍ଚିତ କରୁଛି। ପରଭେଜଙ୍କ ମୃତ୍ୟୁର ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀ ସେହବାଜ ସରିଫ, ରାଷ୍ଟ୍ରପତି ଆରିଫ ଅଲଭି ଓ ସେନାର ତିନି ସେନାମୁଖ୍ୟ ଶୋକ ବ୍ୟକ୍ତ କରିଛନ୍ତି। ପାକ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳୁଛି।  ପରଭେଜ ଅମାଇଲାଇଡୋସିସ ନାମକ ରୋଗ ସହ ଲଢୁଥିଲେ। ଫଳରେ ତାଙ୍କ ସମସ୍ତ ଅଂଗ କାମ କରିବା ବନ୍ଦ କରିଦେଇଥିଲା। ଶେଷରେ ରବିବାର ସକାଳେ ଦୁବାଇରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଅମାଇଲାଇଡୋସିସ ଏମିତି ଏକ ରୋଗ ଯେଉଁଥିରେ ଶରରୀରେ ଅମାଇଲାଇଡ ନାମକ ଅସାମାନ୍ୟ ପ୍ରୋଟିନ ଉତ୍ପନ୍ନ ହୋଇ ହୃତପିଣ୍ଡ, କିଡନୀ, ଲିଭର, ନର୍ଭସ ସିଷ୍ଟମ, ମସ୍ତିଷ୍କ ତଥା ଅନ୍ୟାନ୍ୟ ଅଙ୍ଗରେ ଜମା ହୋଇ ସେହି ଅଙ୍ଗର ଟିସୁସବୁକୁ କ୍ରିୟାଶୂନ୍ୟ କ୍ରିୟାଶୂନ୍ୟ କରିଦିଏ।

ଏହି ପାକ ନେତା ତଥା ପୂର୍ବତନ ସେନା ମୁଖ୍ୟ ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ଭାରତ ପ୍ରତି ଥିଲା ଅହେତୁକ ଘୃଣା, ଅସୂୟା ଭାବ। ଯାହା ଜନତାଙ୍କ ମଧ୍ୟରେ ତାଙ୍କ ପ୍ରତି ସୃଷ୍ଟିକରିଥିଲା ଅହେତୁକ ଲୋକପ୍ରିୟତା। ଭାରତ ବିରୋଧୀ ବିଭିନ୍ନ ଯୁଦ୍ଧରେ ବୀରତ୍ବ ଦେଖାଇ ପାକ୍‌ ସରକାରର ମନ ଜିଣିଥିଲେ ସେ। ଦେଶ ବିଭାଜନ ପୂର୍ବରୁ ପରଭେଜଙ୍କ ପରିବାର ଭାରତର ଏକ ପ୍ରତିଷ୍ଠିତ ପରିବାର ଥିଲା। ତାଙ୍କ ଜେଜେବାପା ଜଣେ ଟ୍ୟାକ୍ସ କଲେକ୍ଟର ଥିବା ବେଳେ ବାପା ଥିଲେ ବ୍ରିଟିଶ ସରକାରର ଅଧିକାରୀ। ପରଭେଜଙ୍କ ମା ବେଗମ ଜରୀନ ୧୯୪୦ରେ ଅଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରୁ ଅଧ୍ୟୟନ କରିଥିଲେ। ପୁରୁଣା ଦିଲ୍ଲୀରେ ମୁସରଫଙ୍କ ଥିଲା ଏକ ବଡ କୋଠା। ସେଇ କୋଠାରେ ୧୧ ଅଗଷ୍ଟ ୧୯୪୩ ମସିହାରେ ହୋଇଥିଲା ପରଭେଜଙ୍କ ଜନ୍ମ। କିନ୍ତୁ ଦେଶ ବିଭାଜନ ହେବାର କିଛି ଦିନ ପୂର୍ବରୁ ତାଙ୍କ ପରିବାର ଚାଲିଯାଇଥିଲା ଲାହୋର। ସେଠାରେ ହିଁ ହୋଇଥିଲା ପରଭେଜଙ୍କ ପ୍ରାଥମିକ ଶିକ୍ଷା ଅଧ୍ୟୟନ।  

ପରଭେଜ ମାତ୍ର ୨୧ ବର୍ଷରେ କଲେଜ ଶିକ୍ଷା ଶେଷ କରି ପାକିସ୍ତାନ ଆର୍ମିରେ ଯୋଗଦେଇଥିଲେ ଜଣେ କନିଷ୍ଠ ଅଧିକାରୀ ଭାବେ। ୧୯୬୫ରେ ଯୁଦ୍ଧରେ ଭାରତ ବିରୋଧୀ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ହେଲେ ଏହି ଯୁଦ୍ଧରେ ଭାରତୀୟ ବୀର ଯବାନ ପାକିସ୍ତାନକୁ ଧୂଳି ଚଟାଇବାରେ ହୋଇଥିଲେ ସକ୍ଷମ। ତଥାପି ମୁସାରଫଙ୍କୁ ତାଙ୍କ ବୀରତ୍ବ ପାଇଁ ପାକ୍‌ ସରକାର ମେଡାଲରେ ସମ୍ମାନିତ କରିଥିଲା। ପରବର୍ତ୍ତୀ ସମୟରେ ୧୯୭୧ ଯୁଦ୍ଧରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ପରଭେଜ। ତେଣୁ ବାରମ୍ବାର ପଦୋନ୍ନତି ପାଇଚାଲିଥିଲେ ସେ। ପରବର୍ତ୍ତୀ ସମୟରେ ୧୯୯୮ରେ ସେ ହୋଇଗଲେ ପାକ ସେନାମୁଖ୍ୟ। ତାଙ୍କ ନେତୃତ୍ବରେ ହିଁ ହୋଇଥିବା କାରଗିଲ ଯୁଦ୍ଧ। ହେଲେ କାରଗିଲରେ ମଧ୍ୟ ପାକ ସେନାକୁ ମିଳିଥିଲା ପରାଜୟ। ତେବେ ଏହି ପରାଜୟ ପାଇଁ ସେ ନବାଜ ସରିଫଙ୍କୁ ଦାୟୀ କରିଥିଲେ। ମୁସରଫ ତାଙ୍କ ଜୀବନୀ ଇନ ଦ ଲାଇନ ଅଫ ଫାୟାର-ଏ ମେମୋରୀରେ ଉଲ୍ଲେଖ କରିଥିଲେ କି, ସେ କାରଗିଲ ଉପରେ କବଜା କରିବାକୁ ଶପଥ ନେଇଥିଲେ, କିନ୍ତୁ ନବାଜ ସରିଫଙ୍କ ପାଇଁ ତାହା ହୋଇପାରିଲା ନାହିଁ।  

ସେ ସେନାର ଜେନେରାଲ ହେବା ପଛରେ ଥିଲା ତତ୍କାଳନୀ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କର ବଡ ହାତ। କିନ୍ତୁ ଗଙ୍ଗଦତ୍ତ ଓ ସାପ ଗଳ୍ପ ପରି, ସେନା ମୁଖ୍ୟ ହେବାର ଏକ ବର୍ଷ ମଧ୍ୟରେ ପରଭେଜ ନବାଜ ସରିଫଙ୍କୁ ଗାଦିଚ୍ୟୁତ କରିଥିଲେ ଓ ହୋଇଥିଲେ ପାକିସ୍ତାନର ଏକଛତ୍ରବାଦୀ ଶାସକ। ପରଭେଜଙ୍କ ପାଇଁ ଖାଲି ସତ୍ତା ଯାଇ ନ ଥିଲା, ସରିଫ ଓ ତାଙ୍କ ପରିବାର ପାଇଁ ପାକିସ୍ତାନରେ ବାସକରିବା ମଧ୍ୟ ଅସମ୍ଭବ ହୋଇପଡିଥିଲା। ତେଣୁ ସରିଫ ପରିବାର ପାକିସ୍ତାନ ଛାଡି ଚାଲିଯାଇଥିଲେ ବ୍ରିଟେନ। କ୍ଷମତା ବଳରେ ଅନ୍ଧ ଜେନେରାଲ ମୁଶରଫ ବେଲୁଚିସ୍ତାନର ସ୍ବାଧୀନତା ଦାବି ଉପରେ ଉଠାଇଥିଲେ କଠୋର ପଦକ୍ଷେପ। ଏହି ବିରୋଧ ଦମନ ପାଇଁ ବେଲୁଚିସ୍ତାନରେ ପରଭେଜଙ୍କ ନିର୍ଦ୍ଦେଶରେ ଶହ ଶହ ଲୋକଙ୍କୁ କରାଯାଇଥିଲା ହତ୍ୟା। ସେଥିପାଇଁ ଯେତେବେଳେ ପରଭେଜଙ୍କ ହାତରୁ କ୍ଷମତା ଚାଲିଗଲା, ବେଲୁଚିସ୍ତାନର ମହିଳାମାନେ ତାଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା ନିକଟରେ ଦାବି କରିଥିଲେ।

ଭାରତ ବିରୋଧୀ ପଦକ୍ଷେପକୁ ନେଇ ପାକିସ୍ତାନବାସୀ ତାଙ୍କୁ ଭଲପାଉଥିଲେ ମଧ୍ୟ ତାଙ୍କ ଏକଛତ୍ରବାଦୀ ମନୋଭାବରେ ମଧ୍ୟ ଅସନ୍ତୁଷ୍ଟ ହୋଇପଡିଥିଲେ। ତାଙ୍କ ରାଷ୍ଟ୍ରପତିତ୍ବ କାଳରେ ୨୦୦୭ ନଭେମ୍ବର ୩ରେ ସେ ଦେଶରେ ଜରୁରୀ ପରିସ୍ଥିତି ଓ ମାର୍ଶଲ ଲ ଘୋଷଣା କରିଥିଲେ। ଯେଉଁଥି ପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ଦେଶଦ୍ରୋହୀ ଘୋଷଣା କରାଯାଇ ଫାଶୀ ଦେବାକୁ ଘୋଷଣା କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ସେ ଦୁବାଇ ଖସିଯିବାରେ ହୋଇଥିଲେ ସକ୍ଷମ। ପ୍ରାରମ୍ଭିକ ଜୀବନରେ ସମ୍ମାନ, କ୍ଷମତା ଓ ବୀରତ୍ବ ହାସଲ କରି ଯେତିକି ଐଶ୍ବର୍ଯ୍ୟପୂର୍ଣ୍ଣ ଜୀବନ ଅତିବାହିତ କରିଥିଲେ ମୁଶାରଫ, ସେମିତି ଶେଷ ଜୀବନ ଅନ୍ୟ ଆଶ୍ରୟରେ, ରୋଗବ୍ୟାଧି ମଧ୍ୟରେ ଦୁରୁହ ଜୀବନ ବିତାଇଥିଲେ ଓ ସେଠାରେ ହିଁ ଛାଡିଗଲେ ଦୁନିଆ।      

Related Articles

Leave a Reply

Your email address will not be published.

Back to top button