Kendujhar

ବାପାଙ୍କ ମୃତ୍ୟୁ ପରେ ପର ପୁରୁଷ ସହିତ ଚାଲିଗଲା ମା, ଅସହାୟ ଅବସ୍ଥାରେ ଦୁଇ ଭାଇ ଭଉଣୀ

ଚମ୍ପୁଆ : ବାପାଙ୍କ ମୃତ୍ୟୁର ଚାରି ବର୍ଷ ଗଲାନି, ପର ପୁରୁଷ ସହିତ ଚାଲି ଗଲା ମା’ । ମା’ ବାପାଙ୍କୁ ହରାଇ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଥିବା ଦୁଇ ଭାଇ ଭଉଣୀଙ୍କ ଉପରେ ନା ପଡୁଛି ଚମ୍ପୁଆ ବ୍ଲକ ପ୍ରଶାସନର ନଜର ନା ପଡୁଛି କାଳିକା ପ୍ରସାଦ ସରପଂଚଙ୍କ ନଜର । ପିଲାଙ୍କ ପାଇଁ ତାଙ୍କ କକା ସାଜିଛନ୍ତି ଏକମାତ୍ର ସାହାଭରଷା । ଏପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ପଂଚାୟତ କୃଷ୍ଣପୁର ଗ୍ରାମରେ । ସୂଚନା ଅନୁଯାଇ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ପଂଚାୟତ କୃଷ୍ଣପୁର ଗ୍ରାମର ଗୋବିନ୍ଦ ମୁଣ୍ଡା ଗତ ଚାରିବର୍ଷ ତଳେ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ସ୍ତ୍ରୀ ମନ୍ଦାକିନୀ ମୁଣ୍ଡା ଦୁଇ ଶିଶୁଙ୍କୁ ନେଇ ରହି ଆସୁଥିଲେ । କିନ୍ତୁ ଏବେ ପ୍ରାୟ ଏକ ମାସ ପୂର୍ବରୁ ମନ୍ଦାକିନୀ ଅନ୍ୟ ଏକ ପର ପୁରୁଷର ହାତ ଧରି ଚାଲିଯିବା ପରେ ବାପା, ମାଙ୍କୁ ହରାଇ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି ଦୁଇ ଶିଶୁ ପୁଅ ଆକାଶ ମୁଣ୍ଡା(୯) ଝିଅ ସୁଲୋଚନା ମୁଣ୍ଡା(୭) । ଖେଳି ବୁଲି ପାଠ ପଢିବା ସମୟରେ ମୁଣ୍ଡରୁ ଉଠିଗଲା ମା ବାପାଙ୍କ ହାତ । ଫଳରେ ଏହି ଦୁଇ ନା ବାଳକ ଶିଶୁ ସମ୍ପୂର୍ଣ୍ଣ ଅସହାୟ ଅବସ୍ଥାରେ ଏକମାତ୍ର ଭଙ୍ଗା ଦଦରା ଚାଳ ଘରେ ମୁଣ୍ଡ ଗୁଞ୍ଜି ରହିଛନ୍ତି । ପିଲାଙ୍କ ଦୁର୍ଦିନରେ ତାଙ୍କ କକା ବଳିଆ ମୁଣ୍ଡା ସାଜିଛନ୍ତି ଏକ ମାତ୍ର ସାହା ଭରଷା । ତାଙ୍କ କକା ବଳିଆଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ସହିତ ଦୁଇ ଜଣ ବଡ଼ ଭାଇ ଗୁଟକା ମୁଣ୍ଡା ଓ କାଳିଆ ମୁଣ୍ଡା ରହିଛନ୍ତି । ଗୁଟକା ମୁଣ୍ଡା (୬୦)ଙ୍କ ବୟସ ଅଧିକ ହେତୁ କୌଣସି କାମ କରି ପାରୁନଥିବାବେଳେ କାଳିଆ ଦୀର୍ଘ ଦିନରୁ ଟିବି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏବେ ବୋଝ ଉପରେ ନଳିତା ବିଡା ପରି ପୁଣି ଯୋଡି ହେଲେ ମା ବାପାଙ୍କୁ ହରାଇ ଥିବା ଦୁଇ ଶିଶୁ ଆକାଶ ଓ ସୁଲଚନା । ଫଳରେ ବର୍ତମାନ ଏହି ଆଠ ଜଣିଆ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ବଳିଆ ମୁଣ୍ଡା । ବଳିଆ ପରିବାର ଚଳେଇବା ପାଇଁ ପରଘରେ ମୁଲ ଲାଗି କୌଣସି ମତେ ଆହାର ଯୋଗାଡ଼ କରୁଥିବାବେଳେ ଜଣଙ୍କ ରୋଜଗାରରେ ଆଠ ପ୍ରାଣୀ ଚଳିବା କଷ୍ଟକର ହୋଇ ପଡିଛି । ଏପରି ଅବସ୍ଥାରେ ଆଗକୁ ଏହି ଦୁଇ ଅସହାୟ ଭାଇ ଭଉଣୀଙ୍କ ଭବିଷ୍ୟତ କଣ ହେବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ଦୁଇ ଭାଇ ଭଉଣୀ ସରକାରଙ୍କ ଆହାର ଯୋଜନାରେ ମଧ୍ୟ ସାମିଲ ହୋଇ ନ ଥିବାରୁ ରେସନ କାର୍ଡରେ ପାଂଚ କିଲୋ ଚାଉଳ ମଧ୍ୟ ପାଉନାହାନ୍ତି । ବର୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲିଷ୍ଟରେ ମା ମନ୍ଦାକିନୀଙ୍କ ନାମ ରହିଛି, କିନ୍ତୁ ମନ୍ଦାକିନୀ ପିଲାଙ୍କୁ ଛାଡି ଅନ୍ୟତ୍ର ଚାଲିଯିବାପରେ ପିଲାମାନଙ୍କୁ ଅବାସ ଯୋଜନାରେ ଘର ମିଳିବକି ନାହିଁ ସନ୍ଦେହ ସୃଷ୍ଟି ହୋଇଛି । ପୁଅ ଆକାଶ କୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବାବେଳେ ପାଠ ପଢିବାକୁ ଇଚ୍ଛା ଥାଇବି ସ୍କୁଲରେ ପାଦ ଥାପି ପାରିନି ଝିଅ ସୁଲୋଚନା । ଆଶାଥିଲା ପାଠ ପଢିବେ, ନିଜ ଭବିଷ୍ୟତ ଗଢିବେ, ହେଲେ ବାପାଙ୍କ ମୃତ୍ୟୁ ପରେ ମା ଅନ୍ୟର ହାତ ଧରି ଚାଲିଗଲା । ଏବେ ଆଗକୁ ଏହି ଦୁଇ ଭାଇ ଭଉଣୀଙ୍କ ଭବିଷ୍ୟତ ତଥା ଖାଦ୍ୟପେୟ ଠାରୁ ଆରମ୍ଭ କରି ପାଠ ପଢି ପାରିବେ କି ନାହିଁ ସନ୍ଦେହ ଦେଖା ଦେଇଛି । ତେଣୁ ଏହି ଦୁଇ ଅସହାୟ ନାବାଳକ ଭାଇ ଭଉଣୀ ଙ୍କ ପାଠ ପଢା ଓ ଭବିଷ୍ୟତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button