ଜାତୀୟ

ବୈଦେଶିକ ମନ୍ତ୍ରୀଙ୍କ ସହ ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ କରକମଳରେ ‘ଷ୍ଟଡି ଇନ୍ ଇଣ୍ଡିଆ’(ଏସଆଇଆଇ) ପୋର୍ଟାଲର ଶୁଭାରମ୍ଭ ହୋଇଯାଇଛି । ଉନ୍ମୋଚିତ ପୋର୍ଟାଲ ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ଯାତ୍ରାକୁ ସହଜ କରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ପୋର୍ଟାଲ ପ୍ରସ୍ତୁତ ହୋଇଛି । ଷ୍ଟଡି ଇନ୍ ଇଣ୍ଡିଆ ପୋର୍ଟାଲ ଭାରତରେ ପାଠ ପଢୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଭିସା ଆବେଦନ ସହ ଗୋଟିଏ ପ୍ଲାଟଫର୍ମରେ ସବୁ ସମସ୍ୟାର ସମାଧାନ ହେବ । ଏହି ପୋର୍ଟାଲରେ ବିଦେଶରୁ ଆସି ଭାରତରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ଡାଟା ବ୍ୟାଙ୍କ୍ ରହିବ, ଯାହା ମାଧ୍ୟମରେ ଭାରତକୁ ଆସୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଗସୂତ୍ର ରକ୍ଷା କରିପାରିବେ । ଷ୍ଟଡି ଇନ୍ ଇଣ୍ଡିଆ ଭାରତ ସରକାରଙ୍କ ଏକ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ, ଯାହା ସରକାରଙ୍କ ମଧ୍ୟରେ ନୀତିଗତ ଓ ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତାକୁ ମଜଭୁତ୍ କରିବ ଓ ଯୁବବର୍ଗଙ୍କୁ ବୈଶ୍ୱିକ ନେତୃତ୍ୱ ଭାବରେ ପ୍ରତିଷ୍ଠା କରିବ ।

ଭାରତ ନବସୃଜନ ଓ ଟେକ୍ନୋଲୋଜିର କେନ୍ଦ୍ରସ୍ଥଳୀ ହେବା କାରଣରୁ ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନ କରିବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ଭାବରେ ଉଭା ହୋଇଛି । ସୁଲଭ ଓ ଗୁଣାତ୍ମକ ଶିକ୍ଷାର ସନ୍ତୁଳନ ହିଁ ଭାରତରେ ଅଧ୍ୟୟନ କରିବା ପାଇଁ ଏକ ବିଶେଷ ସୁଯୋଗ ପ୍ରଦାନ କରୁଛି । ଯୋଗ ଓ ଆୟୁର୍ବେଦ ଭଳି ପାରମ୍ପରିକ ଜ୍ଞାନ, ଏଆଇ, ରୋବୋଟିକ୍ସ, ସେମି କଣ୍ଡକ୍ଟର ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଭଳି ଉଭା ହେଉଥିବା ଟେକ୍ନୋଲୋଜି ଉପରେ ଭାରତର ବିଶ୍ୱବିଦ୍ୟାଳୟ ଗୁଡିକ ଶିକ୍ଷା ପ୍ରଦାନ କରୁଛନ୍ତି । ବିବିଧ କାର୍ଯ୍ୟକ୍ରମ ଓ ପାଠ୍ୟଖସଡା ଛାତ୍ରଛାତ୍ରୀଙ୍କୁ ନିଜର ଏକାଡେମିକ ଯାତ୍ରାକୁ ସ୍ୱରୂପ ଦେବା ସହ ନିଜ ଲକ୍ଷ୍ୟ ପୂରଣ ଦିଗରେ ସାହାଯ୍ୟ କରିବ । ଏହି ୱେବସାଇଟ୍ ଛାତ୍ରଛାତ୍ରୀଙ୍କୁ ଭାରତର ଉଚ୍ଚ ଶିକ୍ଷାନୁଷ୍ଠାନରେ ଥିବା ବିଭିନ୍ନ ଉପକ୍ରମ ଓ ପାଠ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିବ । ସେହିପରି ଜାତୀୟ ଶିକ୍ଷା ନୀତି ଅଧିକରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଭରତରେ ପଢିବା ପାଇଁ ଗୁରୁତ୍ୱ ଦେଉଛି । ଏହା ଦ୍ୱାରା ଶିକ୍ଷାର ଆନ୍ତର୍ଜାତିକକରଣର ଲକ୍ଷ୍ୟ ପୂରଣ ହୋଇପାରିବ । ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସହଭାଗୀତା, ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟାଳୟ ସ୍ଥାପନ କରିବା, ବିଦେଶୀ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଆକୃଷ୍ଟ କରାଯାଉଛି ।

ପ୍ରଧାନ କହିଛନ୍ତି ଯେ ଶତାବ୍ଦୀ ଶତାବ୍ଦୀ ଧରି ଭାରତର ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟତାର ସମୃଦ୍ଧ ଇତିହାସ ରହିଛି । ନାଳନ୍ଦା, ତକ୍ଷଶିଳା, ବିକ୍ରମଶୀଳା, ବଲ୍ଲଭି ଭଳି ଆମ ପ୍ରାଚୀନ ଭାରତର ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ସମଗ୍ର ବିଶ୍ୱରୁ ଛାତ୍ରଛାତ୍ରୀ ଏବଂ ମେଧାବୀଙ୍କୁ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାର ଏକ ବିଶ୍ୱମାନର ମାପକାଠି ପ୍ରସ୍ତୁତ କରିଥିଲେ । ଚୀନ ପରିବ୍ରାଜକ ହୁଏନ ସାଂ ନାଳନ୍ଦାରେ ୫ ବର୍ଷ ଅଧ୍ୟୟନ କରିବା ସହ ଶିକ୍ଷାଦାନ କରିଥିଲେ । ପଞ୍ଚମ ଶତାବ୍ଦୀରେ ସ୍ଥାପିତ ହୋଇଥିବା ବିଶ୍ୱର ପ୍ରତିଷ୍ଠିତ ଏହି ଜ୍ଞାନ କେନ୍ଦ୍ରରେ ୧୦ ହଜାରରୁ ଉର୍ଦ୍ଦ୍ୱ ଛାତ୍ରଛାତ୍ରୀ ଏବଂ ୩ ହଜାରରୁ ଉର୍ଦ୍ଦ୍ୱ ଶିକ୍ଷକ ଶିକ୍ଷା ଦାନ ଏବଂ ଶିକ୍ଷା ଗ୍ରହଣ କରୁଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତକୁ ପୁଣି ଥରେ ଜ୍ଞାନର ପେଣ୍ଠସ୍ଥଳୀ ଭାବରେ ହେବା ପାଇଁ କାର୍ଯ୍ୟ କରୁଛି । ଏହାବ୍ୟତିତ ପ୍ରଧାନମନ୍ତ୍ରୀ ମୋଦି ଦେଶ ଗୁଡିକ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ, ଛାତ୍ରଛାତ୍ରୀଙ୍କ ମୋବିଲିଟି ଏବଂ ଶିକ୍ଷକଙ୍କ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଭାରତର ଜି-୨୦ ପ୍ରେସିଡେନ୍ସି ‘ବସୁଧୈବ କୁଟୁମ୍ବକମ’ର ବିଚାରକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଭାରତକୁ ବୈଶ୍ୱିକ ଶିକ୍ଷାର ଏକ ପେଣ୍ଠସ୍ଥଳୀ କରିବା ଉଦ୍ଦେଶ୍ୟରେ ଆଜି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ବୋଲି ପ୍ରଧାନ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button