ରାଜନୀତିରାଜ୍ୟ

ଟିଏମସିରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଭୟ

କୋଲକାତା: ମହାରାଷ୍ଟ୍ର ପରେ ଏବେ ପଶ୍ଚିମବଙ୍ଗରେ ଡେରା ପକାଇଛି ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଓ ସିବିଆଇ। ଇଡିକୁ ବ୍ୟବହାର କରି କେନ୍ଦ୍ର ସରକାର ନିଜର ପତିଆର ବୃଦ୍ଧି କରିବା ସହ ଅଣ ବିଜେପି ଶାସିତ ରାଜ୍ୟରେ କାୟା ବିସ୍ତାର କରିବାକୁ ଚାହୁଁଛନ୍ତି । ଇଡ ଭୟ ଦେଖାଇ ବିପକ୍ଷ ଦଳର ବିଧାୟକ ମନ୍ତ୍ରୀମାନଙ୍କୁ ଭୟଭୀତ କରି ନିଜ ସପକ୍ଷରେ ଆଣିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରୁଛନ୍ତି । ଖାଲି ସେତିକି ନୁହେଁ ଗୋଟିଏ ପରେ ଗୋଟିଏ ରାଜ୍ୟରେ ସେମାନଙ୍କ ମିଶନ ସଫଳ ହେବାରୁ ଅନ୍ୟ ରାଜ୍ୟ ମାନଙ୍କରେ ଏହି ଫର୍ମୁଲାକୁ ପ୍ରୟୋଗ କରୁଛି ବିଜେପି । ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ନିଲମ୍ବିତ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ପଛରେ ଆଉ କେଉଁ ମାନେ ଅଛନ୍ତି ତାହା ଉପରେ ଖୋଲତାଡ କରୁଛି ଇଡି ଓ ସିବିଆଇ। ମାମଲାର ତଦନ୍ତ କରିବାକୁ କଲିକତା ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଟିଏମସି ନେତାଙ୍କ ମଧ୍ୟରେ ଏକ ପ୍ରକାର ଅଜଣା ଭୟ ସୃଷ୍ଟି ହୋଇଛି।  କେତେବେଳେ କାହା ପାଳି ପଡିବ ତାକୁ ନେଇ ଆତଙ୍କିତ ଟିଏମସି ନେତା । ଏପଟେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ୧୦୦ ଦୁର୍ନୀତିଗ୍ରସ୍ତ ଟିଏମସି ନେତାଙ୍କ ନାମ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇଥିବା ନଗଦ ୫୦ କୋଟି ଟଙ୍କା କାହାର ଏବଂ ଏହି ଦୁର୍ନୀତି ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଉପରେ ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଖୋଳତାଡ  ଆରମ୍ଭ କରିଛି । ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅମିତ ଶାହାଙ୍କୁ ଭେଟି ଏହି ଦୁର୍ନୀତି ସହ ଜଡିତ କିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଦେଇଛନ୍ତି, ଯେଉଁଥିରେ ଟିଏମସିର ନେତା ଓ ବିଧାୟକମାନେ ସେମାନଙ୍କ ସମ୍ପର୍କୀୟ ଅବା ସହଯୋଗୀଙ୍କୁ ନିଯୁକ୍ତି ଦେବାକୁ ଲେଖିଥିବା ଲେଟରହେଡ ରହିଛି । ଏହି ଦୁର୍ନୀତି ଯୋଗୁ ୮୦ ରୁ ୯୦ ଲକ୍ଷ ଆଶାୟୀ ପ୍ରାର୍ଥୀ ନିରାଶ ହୋଇଛନ୍ତି । ଏହା ବିରୋଧରେ ସାରା ରାଜ୍ୟରେ ଅଭିଯାନ ଆରମ୍ଭ କରିବ ବୋଲି କହିଛନ୍ତି ମମତା ବାନାର୍ଜୀଙ୍କୁ ହରାଇଥିବା ଶୁଭେନ୍ଦୁ ଅଧିକାରୀ । ଏପଟେ ପାର୍ଥ ଚାଟାର୍ଜୀ, ଅର୍ପିତା ମୁଖାର୍ଜୀଙ୍କ ୧୦ ଦିନିଆ ରିମାଣ୍ଡ ଶେଷ ହୋଇଥିବା ବେଳେ ତାଙ୍କୁ କୋର୍ଟରେ ହାଜର କରିଛି ଇଡି ।

ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button