ରାଜନୀତିରାଜ୍ୟ

କଂଗ୍ରେସ ଛାଡିଲେ ଗୁଲାମ ନବୀ ଆଜାଦ

ଶେଷରେ କଂଗ୍ରେସ ସହ ସମ୍ପର୍କ ଛିନ୍ନ କଲେ ଗୁଲାମ ନବୀ ଆଜାଦ। କଂଗ୍ରେସର ହାତ ଛାଡ଼ିଦେଇଛନ୍ତି ସବୁଦିନ ଲାଗି ଆଜାଦ୍। ସମସ୍ତ ପଦପଦବୀ ସହ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଆଜାଦ୍। ସପ୍ତାହକ ତଳେ ଜମ୍ମୁକଶ୍ମୀର କଂଗ୍ରେସର ପ୍ରଚାର ଓ ରାଜନୈତିକ ବ୍ୟାପାର କମିଟିରୁ ଇସ୍ତଫା ଦେଇଥିଲେ ଆଜାଦ୍। ତେବେ ଇସ୍ତଫା ପତ୍ରରେ ବିଶେଷ କରି ରାହୁଲଙ୍କ ପାଇଁ ଦଳ ବୁଡ଼ୁଛି ବୋଲି ସାଙ୍ଘାତିକ କଥା ଲେଖିଛନ୍ତି ଆଜାଦ୍।

କଂଗ୍ରେସକୁ ବାଏ ବାଏ କଲେ ଆଜାଦ୍। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ ସବୁଦିନ ଲାଗି କଂଗ୍ରେସ ସହ ସମ୍ପର୍କ ଛିନ୍ନ କରିଦେଇଛନ୍ତି। ସମସ୍ତ ପଦପଦବୀ ସହ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ଆଜାଦ୍। ସୋନିଆଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫା ପତ୍ରରେ କିଭଳି ଦଳର ଅଧୋଗତି ଓ ତାଙ୍କ ଭଳି ନେତାଙ୍କୁ ଅପମାନିତ କରିବା ପଛରେ ରାହୁଲ ହିଁ ଦାୟୀ। ସେ କଥାର ଅବତାରଣା କରିଛନ୍ତି ଆଜାଦ୍। ଏବେ ଦଳ ରିମୋଟ୍ କଣ୍ଟ୍ରୋଲ୍ ମଡେଲ ହୋଇଗଲାଣି। ଉପା ସରକାର ଅମଳରେ ଥିବା ଦଳର ଗାରିମା ଏବେ ଧ୍ୱଂସ ହୋଇଗଲାଣି। ସୋନିଆ କେବଳ ନାମକୁ ମାତ୍ର ଦଳର ମୁଖ୍ୟ। କିନ୍ତୁ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାହୁଲ ନେଉଛନ୍ତି। ନିର୍ଦ୍ଦିଷ୍ଟ କୋଟରୀ ଗ୍ରୁପରେ ବାନ୍ଧି ହୋଇଗଲାଣି ଦଳ। ଆଗ ଭିଆଇପି କଲଚର ଚାଲୁଥିଲା ଆଉ ଏବେ କୋଟରି କଲଚର।

ଉପା ସରକାରରେ ସୋନିଆଙ୍କ ବଳିଷ୍ଠ ନେତୃତ୍ୱରେ ଦଳ ଓ ସରକାର ଯେତିକି ଆଗେଇ ଚାଲିଥିଲା। ସେହି ଅନୁପାତରେ ପଛେଇଲା, ଯେତେବେଳେ ରାହୁଲ ଜାନୁଆରୀ ୨୦୧୩ରୁ ରାଜନୀତିରେ ଏଣ୍ଟ୍ରି କରିଥିଲେ। ଏଣ୍ଟ୍ରି କରୁ କରୁ ଦଳର ଉପାଧ୍ୟକ୍ଷ ହେଲେ ଆଉ ଦଳର ପୁରା ପରାମର୍ଶ ମେକାନିଜିମ୍ କୁ ଧୀରେ ଧୀରେ ଧ୍ୱଂସ କରିବାକୁ ଲାଗିଲେ ରାହୁଲ। ସମସ୍ତ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ସାଇଡଲାଇନ କରାଗଲା। ଅନେକ ଅନଭିଜ୍ଞ ଓ କ୍ଷମତା ଲୋଭୀଙ୍କୁ ଦଳର ରାଜନୀତିକ ବ୍ୟାପାର କମିଟିରେ ମୁଣ୍ଡ ପୁରାଇବାକୁ ବାଟ ଛାଡ଼ିଦେଲେ ରାହୁଲ। ରାହୁଲଙ୍କ ପିଲାଳିଆମୀ ବ୍ୟବହାର ଲାଗି କିଭଳି ଉପା-୨ ସରକାର ଓ ପ୍ରଧାନମନ୍ତ୍ରୀ ପଦର ଗାରିମା କ୍ଷୁର୍ଣ୍ଣ ହୋଇଥିଲା, ତାହାର ନଜିର୍ ବି ଦେଇଛନ୍ତି ଆଜାଦ୍। ଏକ ଅର୍ଡିନାନ୍ସ୍ କଂଗ୍ରେସ କୋର୍ ଗ୍ରୁପ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଏହାକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ପାରିତ କଲା ଓ ପରେ ଏହାକୁ ରାଷ୍ଟ୍ରପତି ବି ଅନୁମୋଦନ ଦେଇଥିଲେ। କିନ୍ତୁ ଏହାକୁ ନେଇ ରାହୁଲ ମିଡିଆ ଆଗରେ ଯେଭଳି ଅଭିନୟ କରି କାନ୍ଦିଲେ, ଏହା ହିଁ ତାଙ୍କର ଅପିରପକ୍ୱତାକୁ ବୟାନ କରିବା ଯଥେଷ୍ଟ ଥିଲା। ଆଉ ଏହି ଗୋଟିଏ ଆକ୍ସନ ଲାଗି ୨୦୧୪ରେ ପରାଜୟର ମୁହଁ ଦେଖିଲା ଉପା।

୨୦୧୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ଦେଖି ଦଳକୁ ପୁନର୍ଗଠିତ, ସଂଗଠିତ, ମଝଭୁତ କରିବାକୁ ସେ ଆକ୍ସନ ପ୍ଲାନ ତିଆରି କରିଥିଲେ। ଯାହାକୁ ସିଡବ୍ଲୁସି ବି ମଞ୍ଜୁରୀ ଦେଇଥିଲା। ୨୦୧୪ ନିର୍ବାଚନ ଆଗରୁ ଏହାକୁ କାର୍ଯ୍ୟକାରୀ ହୋଇଥାଆନ୍ତା। କିନ୍ତୁ ଦୁର୍ଭାଗ୍ୟବଶତଃ ଦୀର୍ଘ ୯ ବର୍ଷ ଧରି ଏଆଇସିସିର ଶୀତଳଭଣ୍ଡାରରେ ଏହା ପଡ଼ିରହିଛି।  ବାରମ୍ୱାର ସୋନିଆ ଓ ରାହୁଲଙ୍କୁ ମନେ ପକାଇଦେବା ସତ୍ତ୍ୱେ କେହି କର୍ଣ୍ଣପାତ କଲେନି। ଜି-୨୩ ଗ୍ରୁପର ନେତାଙ୍କ ଅପରାଧ କଅଣ ଥିଲା। ସେମାନେ ଦଳର ଉତଥାନ ଲାଗି ପଦକ୍ଷେପ ନେଲେ। କିନ୍ତୁ ପରିବର୍ଦ୍ଧିତ ସିଡବ୍ଲୁସି ବୈଠକରେ ସୋନିଆଙ୍କୁ ଚିଠି ଲେଖିଥିବା ଏ ନେତାମାନଙ୍କ ଉପରେ ଦୋଷ ଲଦିଲେ ରାହୁଲ। ସେମାନଙ୍କୁ ସମନ କରାଗଲା। ବିଜେପି-ଆରଏସଏସ ସହ ହାତ ମିଳାଇଥିବାର ଗମ୍ଭୀର ଆରୋପ ଲଦିଲେ ରାହୁଲ।

୨୦୧୯ ପରଠୁ ଦଳର ସ୍ଥିତି ଶୋଚନୀୟ ହେବାକୁ ଲାଗିଛି। ଏବେ ଦଳ ନୋ-ରିଟର୍ଣ୍ଣ ସ୍ଥିତିରେ ପହଞ୍ଚିଯାଇଛି। କେବଳ ପ୍ରକ୍ସି ଲିଡରସିପରେ ଚାଲିଛି। କାରଣ ଯାହାର ନେତୃତ୍ୱ କଥା କୁହାଯାଉଛି, ସେ କେବଳ ଏକ ସଖୀ କଣ୍ଢେଇ ସାଜିଛନ୍ତି। ଏଭଳି ନେତୃତ୍ୱରେ ଦୁଇଟି ଲୋକସଭା ନିର୍ବାଚନ ହାରିଲାଣି କଂଗ୍ରେସ। ୨୦୧୪ରୁ ୨୦୨୨ ଭିତରେ ୪୯ ବିଧାନସଭା ନିର୍ବାଚନରୁ ୩୯ ହାରିଛି କଂଗ୍ରେସ। କେବଳ ୪ଟି ରାଜ୍ୟରେ ଜିତିଥିଲା। ଏବେ କେବଳ ଦୁଇଟି ରାଜ୍ୟରେ ହାମୁଡେଇପଡିଛି। ଆଉ ଦୁଇଟି ରାଜ୍ୟରେ ମେଣ୍ଟ କରି ନିଜର ସ୍ଥିତିକୁ ଯେନତେନ ପ୍ରକାରେ ବଜାୟ ରଖିବାକୁ ସଂଘର୍ଷ ଜାରି ରଖିଛି।

ଦଳକୁ ଏଭଳି ସ୍ଥିତିରେ ପହଞ୍ଚାଇଥିବା ଦଳୀୟ ନେତୃତ୍ୱ ଏବେ ନିଜକୁ ପଚାରନ୍ତୁ। ବୁଥ୍, ବ୍ଲକ୍, ଜିଲ୍ଲା ଓ ରାଜ୍ୟରେ ଦଳର ଇଲେକ୍ଟୋରାଲ ସ୍ଥିତି ଆଜିକା ଦିନରେ କଅଣ, ଆତ୍ମନିରୀକ୍ଷଣ କରନ୍ତୁ। ଏବେ କଂଗ୍ରେସ ଉଭୟ ଇଛାଶକ୍ତି ଓ ଦକ୍ଷତାକୁ ହରାଇସାରିଲାଣି। ଭାରତ ଯୋଡ଼ ଯାତ୍ରା ବଦଳରେ ଦଳୀୟ ନେତୃତ୍ୱ ଏବେ କଂଗ୍ରେସ ଯୋଡ଼ ଏକ୍ସସରସାଇଜ୍ କରୁ ବୋଲି ପରାମର୍ଶ ବି ଦେଇଛନ୍ତି ଆଜାଦ୍। ଜୀବନର ୫୦ ବର୍ଷ କଂଗ୍ରେସ ପାଇଁ ନିଃସ୍ୱାର୍ଥପର ଭାବେ ସମର୍ପଣ ମନୋଭାବରେ କାମ କରିଥିବା ଆଜାଦ୍ ଦଳର ଦୁର୍ଦ୍ଦଶା ଲାଗି ରାହୁଲଙ୍କୁ ଦାୟୀ କରିଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button