ରାଜ୍ୟ

ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବଙ୍କୁ ହତ୍ୟା

କର୍ଣ୍ଣାଟକର ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ମଙ୍ଗଳବାର ଦିନ ପ୍ରବୀଣଙ୍କୁ ମାରଣାଅସ୍ତ୍ରରେ ତାଙ୍କୁ କେହି ଦୁର୍ବୃତ୍ତ ଆକ୍ରମଣ କରି ହତ୍ୟା କରିଛି। ଏହି ଘଟଣାରେ ଏକ ନୂଆ ଖୁଲାସ ହୋଇଛି। ଦାବି ହେଉଛି ଯେ, ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କ ହତ୍ୟାକୁ ବିରୋଧ କରି ସେ ଏକ ପୋଷ୍ଟ କରିଥିଲେ। ଯେଉଁଥିପାଇଁ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।

ମଙ୍ଗଳବାର ଦିନ କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ପ୍ରବୀଣ ନେଟ୍ଟାରୁଙ୍କୁ ଅତି ନିର୍ମର୍ମ ଭାବେ ହତ୍ୟା କରାଯାଇଛି। ପ୍ରବୀଣଙ୍କର ବେଲ୍ଲାର ଅଞ୍ଚଳ ନିକଟରେ ଏକ କୁକୁଡା ଦୋକାନ ରହିଛି। ସୂଚନା ଅନୁଯାୟୀ, ସବୁଦିନ ପରି ପ୍ରବୀଣ ଦୋକାନରେ କାମ ସାରି ରାତି ପ୍ରାୟ ୯ଟାରେ ଦୋକାନ ବନ୍ଦ କରି ସେ ଘରକୁ ଫେରୁଥିବା ସମୟରେ ବାଇକରେ ଦୁର୍ବୃତ୍ତମାନେ ଆସି ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

କୁହାଯାଉଛି ଯେ, ଜୁନ୍ ୨୯ରେ ପ୍ରବୀଣ ସୋସିଆଲ ମିଡିଆରେ ଉଦୟପୁରର ଟେଲର କହ୍ନେୟା ଲାଲଙ୍କ ହତ୍ୟାକୁ ବିରୋଧ କରି ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଏକ ଫଟୋ ମଧ୍ୟ ସେୟାର କରିଥିଲେ। ସେ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ଜାତୀୟତାବାଦୀ ଚିନ୍ତାଧାରାକୁ ସମର୍ଥନ କରିବା ପାଇଁ ଜଣେ ଟେଲରଙ୍କ ଗଳା କାଟି ହତ୍ୟା କରିଯାଇଥିଲା ଏବଂ ଏହାର ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ବାସ୍ତବରେ, ନିଲମ୍ୱିତ ବିଜେପି ନେତା ନୁପୁର ଶର୍ମାଙ୍କ ସର୍ମଥନରେ ଏକ ପୋଷ୍ଟ କରିଥିବାରୁ କହ୍ନେୟା ଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। କେବଳ ସେତିକି ନୁହେଁ ଦୁର୍ବୃତ୍ତମାନେ ହତ୍ୟା କରିଥିବାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ପ୍ରବୀଣ ନେଟ୍ଟାଙ୍କ ହତ୍ୟା ମାମଲାରେ ହିନ୍ଦୁ ସଂଗଠନମାନେ ବିରୋଧ ପଦର୍ଶନ କରିଛନ୍ତି। ପ୍ରବୀଣଙ୍କ ହତ୍ୟା ମାମଲାକୁ PFI ଓ SDPI  ସହିତ ସଂଯୋଗ କରି ବୁଧବାର ଦିନ କନ୍ନଡାର ବେଲ୍ଲାର,ପୁଟୁର, ସୁଲ୍ୟା,କଡାବାରେ  ହିନ୍ଦୁ ସଂଗଠନ ବନ୍ଦ ଡାକରା ଦେଇଛି। ହିନ୍ଦୁ ସଂଗଠନ ପକ୍ଷରୁ ଦାବି ହୋଇଛି ଯେ, ବେଲ୍ଲାରୀରୁ ମୁସଲମାନ ଯୁବକ ମାସୁଦ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ହତ୍ୟା କରିଥିଲେ। ପୋଲିସ ଘଟଣାର ତଦନ୍ତ ପାଇଁ ୫ଟି ସ୍ୱତନ୍ତ୍ର ଟିମ ଗଠନ କରିଛି। ଏଥିରୁ ୩ଟି ଟିମ୍ କେରଳ, ମଦିକେରୀ ଓ ହସନ ତଦନ୍ତ ପାଇଁ ଯାଇଛନ୍ତି।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button