କ୍ରୀଡ଼ାରାଜ୍ୟ

ବିପଦପୂର୍ଣ୍ଣ ମାଉନଣ୍ଟେନ ରାଲିରେ ଓଡ଼ିଆପୁଅ ଦ୍ଵିତୀୟ

ଭୁବନେଶ୍ୱର: ମାଇନସ ୧୮ ଡିଗ୍ରୀ ତାପମାତ୍ରା । ୧୫ ହଜାର ଫୁଟ ଉପରେ ପାହାଡ଼ର ବିପଦପୂର୍ଣ୍ଣ ଘାଟିରେ ଚାଲିଥିଲା ମାଉନଣ୍ଟେନ ରାଲି । ଟିକିଏ ଏପାଖ ସେପାଖ ହେଲେ… ସିଧା ତଳେ। ସବୁଠୁ ଅଦ୍ଭୁତ କଥା ହେଲା, ଏ ବିପଦ ପୂର୍ଣ୍ଣ ରେସରେ ଗାଡ଼ି ଚାଳକଙ୍କୁ ଜଣାନଥାଏ ରାସ୍ତା । କେବଳ କାରରେ ଖଞ୍ଜାଯାଇଥିବା କମ୍ପୁ୍ୟଟର, ରାସ୍ତାର ମ୍ୟାପ୍ ବହି ଓ ସାଥୀରେ ଥିବା ନାଭିଗେଟର (ପଥ ପ୍ରଦର୍ଶକ) ହିଁ ଭରସା । ଜୀବନକୁ ବାଜି ଲଗାଇ ଏହି ଆଡଭେଞ୍ଚର ରେସରେ କମାଲ୍ ଦେଖାଇଛନ୍ତି ଓଡ଼ିଆ ପୁଅ ବୈଭବ ଚୌଧୁରୀ । ଏ ଯାତ୍ରାରେ ତାଙ୍କୁ ସାଥ୍ ଦେଇଥିଲେ ନାଭିଗେଟର ଶାଶ୍ୱତ ସ୍ୱାଇଁ । ପ୍ରଥମ ଥର ଏଭଳି ବିପଦପୂର୍ଣ୍ଣ ଯାତ୍ରାରେ ଭାଗ ନେଇ ବିଭିନ୍ନ ରାଜ୍ୟର ଜଣାଶୁଣା ଆଡଭେଞ୍ଚର କାର ରେସରଙ୍କୁ ପଛରେ ପକାଇ ଦେଇଛନ୍ତି ବୈଭବ ।ଅବସର ଥିଲା ରାଲି ଅଫ୍ ଚମ୍ବା-୨୦୨୨ । ହିମାଚଳ ପ୍ରଦେଶରେ ଆୟୋଜିତ ହୋଇ ଆସୁଥିବା ଏହି ଖତରନାକ ଯାତ୍ରାରେ ସାମିଲ ହେବା ଆଦୌ ସହଜ ନୁହେଁ ।

ଛାତିରେ ଦମ୍ଭ, ମନରେ ଉତ୍ସାହର ପାହାଡ଼ ନେଇ ଏ ଯାତ୍ରାରେ ସାମିଲ ହୋଇଥିଲେ ଓଡ଼ିଆ ପୁଅ ବୈଭବ । ଲକ୍ଷ୍ୟ ଥିଲା- ନିଜ ଉପସ୍ଥିତି ଜାହିର କରି ଓଡ଼ିଶାର ବୀରତ୍ୱର ପରାକାଷ୍ଠା ସଭିଙ୍କୁ ଦେଖାଇବେ । ହିମାଳଚଳ ପ୍ରଦେଶ ପର୍ଯ୍ୟଟନ ବିଭାଗର ଏହା ସବୁଠୁ ବଡ଼ ଇଭେଣ୍ଟ । ଏହି ରାଲିର ଥାର୍ଡ କ୍ୟାଟେଗୋରିରେ ଯୋଗ ଦେଇଥିଲେ ବୈଭବ । ରାସ୍ତା ମାଲୁମ ନାହିଁ କି ଜଳବାୟୁ କେମିତି ରହିବ, କିଛି ଅଭିଜ୍ଞତା ନଥିଲା । ତଥାପି ବିପଦପୂର୍ଣ୍ଣ ମାଉଣ୍ଟେନ ରାଲିରେ ଗାଡ଼ି ଧରି ବାହାରିଲେ ବୈଭବ । ରାସ୍ତା ଯେତିକି ବିପଦପୂର୍ଣ୍ଣ, ନିୟମ ବି ସେତିକି କଠିନ । ପ୍ରଥମ ଦିନରେ ଚମ୍ବାରୁ ୧୭୮ କିମି ରାସ୍ତା ପାର୍ କରିବାକୁ ପଡ଼ିଥିଲା । ରାସ୍ତା ଏମିତି ଥିଲା ଯେ ଗାଡ଼ିର ଚଉଡ଼ା ଯେତିକି ରାସ୍ତାର ଚଉଡ଼ା ବି ପ୍ରାୟ ସେତିକି, ତାହା ପୁଣି ପାହାଡ଼ ଘାଟି ରାସ୍ତା । କେତେବେଳେ ଅଚାନକ ବାଁକୁ ମୋଡ଼ିବାକୁ ପଡ଼ୁଥାଏ, ପୁଣି କେବେ ଡାହାଣର ଗଳି ରାସ୍ତାକୁ । ତଥାପି ନାଭିଗେଟର ଶାଶ୍ୱତଙ୍କ ସହ ଉତ୍ତମ ବୁଝାମଣା ଯୋଗୁ ବୈଭବ ଆଗେଇ ଚାଲିଥିଲେ ।

ତା’ ପରଦିନ ରାସ୍ତା ଥିଲା ଆହୁରି ବିପଦପୂର୍ଣ୍ଣ । ଏ ବିପଦର ନାଁ ‘କିଲର୍ ସଚ୍ ପାସ୍’ । ହିମାଚଳର ଏ ରାସ୍ତା ବିଶ୍ୱର ଅନ୍ୟତମ ବିପଦପୂର୍ଣ୍ଣ ରାସ୍ତା । ସେଥିପାଇଁ ଏ ରାସ୍ତାରେ ସାଧାରଣ ଲୋକଙ୍କୁ  ଛଡ଼ାଯାଇନଥାଏ । ଯୁଆଡେ଼ ଦେଖିବ କେବଳ ପାହାଡ଼ ହିଁ ପାହାଡ଼ । ଭୂପୃଷ୍ଠରୁ ୧୫ ହଜାର ଫୁଟ ଉଚ୍ଚରେ ଏ ରାସ୍ତା । ସାମାନ୍ୟ ତ୍ରୁଟି ହେଲେ… କଥା ସରିଲା । ହେଲେ ଜୀବନକୁ ବାଜି ଲଗାଇ ସାହସ ଓ ବୁଦ୍ଧିମତାର ସହ ବୈଭବ ଗାଡ଼ିକୁ ସତର୍କତାର ସହ ଆଗକୁ ନେଇ ଚାଲିଲେ । ଡ୍ରାଇଭିଂ ପାଇଁ ସର୍ତ୍ତାବଳୀ ବି ଅତି କଠିନ ଥାଏ । ବିଳମ୍ବରେ ପହଞ୍ଚି ହେବନି କିମ୍ବା ଶୀଘ୍ର ବି ପହଞ୍ଚି ହେବନି । ଧାର୍ଯ୍ୟ ସମୟରେ ହିଁ ପହଞ୍ଚିବାକୁ ହେବ । ଏମିତି ବିପଦପୂର୍ଣ୍ଣ ରାସ୍ତା ପାର୍ ହେବା ପାଇଁ ସବୁଠୁ ବଡ଼ ବିପଦ ଥିଲା ପାଣିପାଗ । ମାଇନସ ୧୫ ଡିଗ୍ରୀ ତାପମାତ୍ରା । ରାସ୍ତାରେ ଖାଲି ବରଫ ।

ବ୍ରେକ ମାରିଲେ ଗାଡ଼ି ଅଟକୁ ନଥାଏ, ଖସି ଯାଉଥାଏ । ତଥାପି ଲକ୍ଷ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚିଲେ ବୈଭବ । ସାବାସି ଦେଲେ ଆୟୋଜକ । ଓଡ଼ିଶାରୁ ଭାଗ ନେଇଥିବା ପ୍ରତିଯୋଗୀଙ୍କ ଭିତରେ ବୈଭବଙ୍କୁ ପୁରସ୍କୃତ କରାଗଲା ଶ୍ରେଷ୍ଠ ଡ୍ରାଇଭର ଭାବେ । ଏହାସହ ସର୍ବଭାରତୀୟ ସ୍ତରରେ ସେ ଦ୍ଵିତୀୟ ସ୍ଥାନ ହାସଲ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବୈଭବ l ଭୁବନେଶ୍ୱର, ଦିଲ୍ଲୀ, ଚଣ୍ଡିଗଡ଼ରେ ପୂର୍ବରୁ ଅଭ୍ୟାସ କରିଥିଲେ । ବୈଭବ ହେଉଛନ୍ତି କଂଗ୍ରେସ ନେତା ତଥା କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ପୁଅ । ଦୁଃସାହସିକ ଡ୍ରାଇଭିଂ ପାଇଁ ବୈଭବ ଓଡ଼ିଶାର ନାଁ ରଖିଛନ୍ତି ।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button