ଓଡ଼ିଶାରାଜନୀତି

୨୪’ ପାଇଁ ରାଜନୈତିକ ଦଳର ସମର ସଜ୍ଜା

ଭୁବନେଶ୍ବର: ବିଜେଡି ପ୍ରତିଷ୍ଠା ଦିବସ ପରେ ପିଢି ବଦଳିକୁ ନେଇ ଦଳରେ ଚର୍ଚା ଜୋର । ବିଶେଷ କରି ଦଳରେ ସମସ୍ତଙ୍କୁ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ମା’ ମାନଙ୍କ ଆଶୀର୍ବାଦ ରହିଲେ ଦଳ ୧୦୦ ବର୍ଷ ଯାଏଁ ଲୋକଙ୍କ ସେବା କରିବ ବୋଲି ନବୀନ କହିଛନ୍ତି । ସେପଟେ ୨୫ ବର୍ଷ ଯାତ୍ରାର କଥା କହିଲା ବେଳେ ଆଗକୁ ଦଳରେ ନୂଆ ପିଢିଙ୍କ ଗୁରୁତ୍ୱ ଅଧିକ ରହିବ ବୋଲି ସମସ୍ତେ ନିଜ ନିଜ ଢଙ୍ଗରେ ରଖିଛନ୍ତି। ଏପଟେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସି ନିର୍ବାଚନ ବିଗୁଲ ଫୁଙ୍କିବେ । ଯେଉଁଥି ପାଇଁ ବିଜେପି ଶିବିର ଚଳଚଞ୍ଚଳ ହୋଇଛି । ଏବଂ କଂଗ୍ରେସ କ୍ୟାମ୍ପ ପ୍ରତିଷ୍ଠା ଦିବସକୁ ନେଇ ତତ୍ପର ହୋଇଛି ।

 ଏଣିକି ନୂଆ ପିଢିଙ୍କ ହାତରେ ରହିବ ବିଜେଡ଼ି କମାଣ୍ଡ । ବିଜେପି ପାଇଁ  କେନ୍ଦ୍ରୀୟ ନେତା ଭରଷା । ଗାଁ ମୁହାଁ ହେବ କଂଗ୍ରେସ । ସୋମବାର ବିଜେଡ଼ି ପାଳିଲା ୨୫ ବର୍ଷ ପୂର୍ତ୍ତି । ସେଠାରେ ଅନେକ ବରିଷ୍ଠ ନେତା ଦଳ ଭିତରେ ପିଢି ପରିବର୍ତ୍ତନ ନେଇ ମଞ୍ଚରେ ମତ ଦେଇଥିଲେ। ଏମିତି କି ମୁଖ୍ୟମନ୍ତ୍ରୀ ମଧ୍ୟ ଦଳ ପାଇଁ ୧୦୦ ବର୍ଷର ଭିଜନ ରଖିଲେ । ମହିଳାଙ୍କ ସହଯୋଗ ମିଳିଲେ ଦଳ ଲୋକଙ୍କ ସେବା କରିବ ବୋଲି କହିଥିଲେ । ଫଳରେ ଦଳକୁ ଆଗକୁ ନେବାକୁ ହେଲେ ନୂଆ ପିଢିଙ୍କୁ ଦାୟୀତ୍ୱ ଦେବା ନେଇ ଏହା ସଂକେତ ବୋଲି ଚର୍ଚା ହେଉଛି। ତେବେ ଦଳ ସବୁବେଳେ ଯୁବକଙ୍କୁ ଗୁରୁତ୍ୱ ଦେଉଥିବା କହିଛନ୍ତି ଦଳୀୟ ନେତା । ଏପଟେ ବୁଧବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କନ୍ଧମାଳ ଓ ପୁରୀ ଜିଲ୍ଲା ଗସ୍ତରେ ଆସି ନିର୍ବାଚନ ବିଗୁଲ ଫୁଙ୍କିବେ । ଯାହାକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଛି । ଏହାସହ ନବୀନ ସରକାରଙ୍କ ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣିବେ ବୋଲି ଦଳ ଆଶା ରଖିଛି । ଏପଟେ କଂଗ୍ରେସ ମଧ୍ୟ ଆସନ୍ତା ୨୮ ତାରିଖରେ ପ୍ରତିଷ୍ଠା ଦିବସ ପାଳିବା ସହ ପ୍ରତ୍ୟେକ ଗାଁକୁ ଯାଇ ଲୋକଙ୍କୁ ଭେଟି ଦଳକୁ ମଜଭୁତ କରିବାକୁ ଯୋଜନା କରିଛି ।

ସେପଟେ ବିଜେଡ଼ିରେ ପିଢି ପରିବର୍ତ୍ତନ କିଛି ନୂଆ କଥା ନୁହେଁ ବୋଲି କହିଛନ୍ତି ରାଜନୀତି ସମିକ୍ଷକ । ଦଳ ଗଠନ ହେବାର ୨୫ ବର୍ଷ ଭିତରେ ୩ ଟି ପିଢି ବଦଳିଲାଣି । ଯେତେବେଳେ ପିଢି ବଦଳୁଛି ପୂର୍ବ ପିଢିର ଗୁରୁତ୍ୱ ମଧ୍ୟ କମୁଛି। ତେଣୁ ନୂଆ ପିଢି ସାଧାରଣ ନିର୍ବାଚନ ପରିଚାଳନା କରୁଛନ୍ତି ତାହା ସମୟ କହିବ ବୋଲି କହିଛନ୍ତି। ଅନ୍ୟପଟେ ନଡ୍ଡାଙ୍କ ଓଡ଼ିଶା ଗସ୍ତ ବିଶେଷ ପ୍ରଭାବ ରହିବ ନାହିଁ ବୋଲି କହିଛନ୍ତି ।

ତେବେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ଦଳ ନୂଆ ନୂଆ କୈାଶଳ ଆପଣାଉଛନ୍ତି । ତେବେ ଦେଖିବା ବାକି ରହିଲା କେଉଁ ଦଳ କିପରି ନିର୍ବାଚନ ଲଢୁଛନ୍ତି ।

ନବ କିଶୋର ସାହୁ

Leave a Reply

Your email address will not be published.

Back to top button