ଛାତ୍ରଛାତ୍ରୀଙ୍କୁ ଏପରି ଛାଡିଦିଆଯାଇ ପାରିବ ନାହିଁ: ଏସସି
ନୂଆଦିଲ୍ଲୀ: ୟୁକ୍ରେନରୁ ମେଡିକାଲ ପାଠ୍ୟକ୍ରମ ଅଧାରେ ଛାଡି ଫେରିଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ଅଧ୍ୟୟନ କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ପରି କେନ୍ଦ୍ରର ବୟାନ ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଛାତ୍ରଛାତ୍ରୀଙ୍କୁ ଏପରି ଛାଡିଦିଆଯାଇ ପାରିବ ନାହିଁ ଓ ଏହାକୁ ନେଇ କେନ୍ଦ୍ରକୁ ଏକ ସମାଧାନର ବାଟ ବାହାର କରିବା ଦରକାର ଯେମିତି ପିଲାମାନେ ସେମାନଙ୍କ ପାଠ୍ୟକ୍ରମ ଯେଉଁଠି ଛାଡିଥିଲେ ସେହିଠାରୁ ପୂରା କରି ପାରିବେ। ଏଥିସହ ସୁପ୍ରିମକୋର୍ଟ ସଲିସିଟର ଜେନେରାଲଙ୍କୁ ପରାମର୍ଶ ଦେଇଛନ୍ତି କି, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଏକ କମିଟି ଗଠନ କରାଯାଉ, ଯେମିତି ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ପାଠ୍ୟକ୍ରମରେ ଯୋଗାଇ ଦିଆଯିବ।
ଏହିପରି ପିଲାଙ୍କୁ ଅନିଶ୍ଚିତତା ମଧ୍ୟରେ ଛାଡି ଦିଆଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସରକାରଙ୍କୁ ସହାୟତା କରିବାକୁ ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି, ଏକ ୱେବ ପୋର୍ଟାଲ କରି ସେଥିରେ ବିଦେଶୀ ବିଶ୍ବବିଦ୍ୟାଳୟର ବିବରଣୀ ଦିଆଯିବ, ଯେଉଁଠି ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀ ଜାତୀୟ ମେଡିକାଲ କମିଶନଙ୍କ ବା ଏନଏମସିଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ଗ୍ଲୋବାଲ ଏକାଡେମିକ ମୋବିଲିଟି ପ୍ରୋଗ୍ରାମ ଅନ୍ତର୍ଗତ ନିଜ ପାଠ୍ୟକ୍ରମ ପୂରା କରି ପାରିବେ।
ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି କି, ସ୍ବଚ୍ଛ ବ୍ୟବସ୍ଥା ପାଇଁ ୱେବ ପୋର୍ଟାଲରେ ଫି ଓ ସିଟର ସଂଖ୍ୟା ଉଲ୍ଲେଖ ରହିବ। କିନ୍ତୁ ସଲିସିଟର ଜେନେରୋଲ ତୁଷାର ମେହତା ଖଣ୍ଡପୀଠଙ୍କ ପରାମର୍ଶ ଉପରେ ସରକାରର ଦୃଷ୍ଟି ଭଙ୍ଗି ଓ ପଦକ୍ଷେପ ବିଷୟରେ ଅନଭିଜ୍ଞ ଥିବା କହିଛନ୍ତି। ତେଣୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ ହେବ।
ୟୁକ୍ରେନରେ ମେଡିକାଲ ଶିକ୍ଷା ଅଧାରେ ଛାଡି ସ୍ବଦେଶକୁ ଫେରିଥିବା ୨୦ହଜାରରୁ ୩୦ ହଜାର ଛାତ୍ର ଛାତ୍ରୀ ଭାରତରେ ନିଜ ପାଠ୍ୟକ୍ରମ ପୂରା କରିବାକୁ ଦାବି କରିଥିଲେ। କେନ୍ଦ୍ର ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା କି, ୟୁକ୍ରେନରୁ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତୀୟ ବିଶ୍ବବିଦ୍ୟାଳୟରେ ସାମିଲ କରାଯାଇ ପାରିବ ନାହିଁ। କାରଣ ଏଏମସି ଆକ୍ଟରେ ଏପରି କୌଣସି ବ୍ୟବସ୍ଥା ନାହିଁ।