ଜାତୀୟ

ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ତିନି ଦିନିଆ ସିଙ୍ଗାପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପର୍କକୁ ମଜବୁତ କରିବା ତଥା ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ପରିସର ବିସ୍ତାର କରିବାର ସମ୍ଭାବନା ଅନୁସନ୍ଧାନ ନିମନ୍ତେ ତିନି ଦିନିଆ ସିଙ୍ଗାପୁର ଗସ୍ତରେ ଯାଉଛନ୍ତି ।

ଏହି ଗସ୍ତ ସମୟରେ ଶ୍ରୀ ପ୍ରଧାନ ସିଙ୍ଗାପୁରର ଉପ-ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଲରେନ୍ସ ୱଙ୍ଗ, ବରିଷ୍ଠ ମନ୍ତ୍ରୀ ଥରମାନ ଶାନମୁଗରତ୍ନମ୍, ବୈଦେଶିକ ମନ୍ତ୍ରୀ ଡକ୍ଟର ଭିଭିଆନ୍ ବାଲାକ୍ରିଷ୍ଣନ୍, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗନ୍ କିମ୍ ୟଙ୍ଗ ଏବଂ ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଙ୍ଗ୍ଙ୍କ ସମେତ ସିଙ୍ଗାପୁର ସରକାରଙ୍କ ବିଭିନ୍ନ ପ୍ରମୁଖ ମନ୍ତ୍ରୀଙ୍କ ସହିତ ବୈଠକ କରିବେ ।

ପ୍ରଧାନ ସିଙ୍ଗାପୁର ସ୍ପେକ୍ଟ୍ରା ମାଧ୍ୟମିକ ବିଦ୍ୟାଳୟ, ନାନିଆଙ୍ଗ ଟେକ୍ନୋଲୋଜି ୟୁନିଭରସିଟି (ଏନଟିୟୁ), ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ଏଜୁକେସନାଲ୍ ସର୍ଭିସେସ୍ (ଆଇଟିଇଇଏସ୍), ସିଙ୍ଗାପୁର ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ଡିଜାଇନ (ଏସୟୁଟିଡି) ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ । ସେ ସ୍କିଲ୍ସ ଫ୍ୟୁଚର ସିଙ୍ଗାପୁର (ଏସଏସଜି), ସିଙ୍ଗାପୁର ସରକାରଙ୍କ ଅଧୀନରେ ଥିବା ନୋଡାଲ ଏଜେନ୍ସି ସହିତ ମଧ୍ୟ ଆଲୋଚନା କରିବେ ଯାହା ଭବିଷ୍ୟତର ଦକ୍ଷତା କାର୍ଯ୍ୟକ୍ରମକୁ ଆଗେଇ ନେଇଥାଏ ।

ତାଙ୍କ ଗସ୍ତ ସମୟରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଭାରତୀୟ ଏବଂ ଓଡିଆ ସଂଗଠନର ସଦସ୍ୟମାନଙ୍କୁ ଭେଟିବେ । ମନ୍ତ୍ରୀ ମଧ୍ୟ ସିଙ୍ଗାପୁରରେ ଥିବା ଆଇଆଇଟି ଏବଂ ଆଇଆଇଏମ୍ର ପୁରାତନ ଛାତ୍ରମାନଙ୍କ ସହ ଆଲୋଚନା କରିବେ ।

ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ଏବଂ ସିଙ୍ଗାପୁରର ଦୀର୍ଘ ଦିନର ସହଭାଗିତା ରହିଛି । ଆମର ଜି୨୦ ଅଧ୍ୟକ୍ଷତା ଅଧୀନରେ ଥିବା ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ଏକ ଧ୍ୟାନ କ୍ଷେତ୍ର ହେଉଛି ଆଜୀବନ ଶିକ୍ଷା ଏବଂ କାର୍ଯ୍ୟର ଭବିଷ୍ୟତକୁ ପ୍ରୋତ୍ସାହିତ କରିବା । ୨୫ ଏପ୍ରିଲ ୨୦୨୩ ରେ, ସିଙ୍ଗାପୁରର ଶିକ୍ଷା ମନ୍ତ୍ରଣାଳୟ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଓଡ଼ିଶାର ଭୁବନେଶ୍ୱରରେ ଅନୁଷ୍ଠିତ ତୃତୀୟ ଶିକ୍ଷା କାର୍ଯ୍ୟ ଗୋଷ୍ଠି ବୈଠକ ଅବସରରେ ଭବିଷ୍ୟତ କାର୍ଯ୍ୟପନ୍ଥା: ଭାରତ ଏବଂ ସିଙ୍ଗାପୁରର ଦକ୍ଷତା ଏବଂ ଶାସନ ମଡେଲ ଉପରେ ମିଳିତ କର୍ମଶାଳା ଆୟୋଜିତ ହୋଇଥିଲା । କର୍ମଶାଳା ସମୟରେ ଅନୁଷ୍ଠିତ ଆଲୋଚନା ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଭବିଷ୍ୟତରେ ଦକ୍ଷତା ସହଯୋଗ ପାଇଁ ଏକ ରୋଡ୍ ମ୍ୟାପ୍ ର୍ନିମାଣରେ ସହାୟକ ହେବ ।

Related Articles

Leave a Reply

Your email address will not be published.

Back to top button