ବିଶ୍ୱସ୍ୱାସ୍ଥ୍ୟ

ପ୍ରତି ୨ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ଏନସିଡିରେ ହେଉଛି

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଏକ ବିଚଳିତ କଲାପରି ତଥ୍ୟ ଦିଆଯାଇଛି। ଡବ୍ଲୁଏଚଓ ଅନୁଯାୟୀ ସମ୍ପ୍ରତି ଲୋକଙ୍କ ମଧ୍ୟରେ ହୃଦଘାତ, କର୍କଟ, ମଧୁମେହ, ଶ୍ବାସ ଜନିତ ଅସଂକ୍ରମିତ ରୋଗ (ଏନସିଡି) ବୃଦ୍ଧି ପାଇବାରେ ଲାଗିଛି। ଯାହାର ପ୍ରଭାବରେ ବିଶ୍ବରେ ପ୍ରତି  ୨ ସେକେଣ୍ଡରେ ଜଣେ ୭୦ ବର୍ଷରୁ କମ ବୟସ ବର୍ଗର ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ବିଶ୍ବର ସ୍ବଳ୍ପ ଓ ମଧ୍ୟମ ଆୟକାରୀ ଦେଶମାନଙ୍କରେ ୧୦ ଜଣରେ ୯ ଜଣଙ୍କ ମୃତ୍ୟୁ ଏହି କାରଣରୁ ହେଉଛି।

ଡବ୍ଲୁଏଚଓ ଅନୁଯାୟୀ, ବିଶ୍ବରେ ଅଣସଂକ୍ରମିତ ରୋଗ ପାଇଁ ସ୍ବଳ୍ପ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରରେ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ସ୍ବଳ୍ପ ଆୟକାରୀ ରାଷ୍ଟ୍ରରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି, କାରଣ ସେମାନଙ୍କ ନିକଟରେ ଏହି ସବୁ ରୋଗର ନିରାକଣ, ଚିକିତ୍ସା ଓ ସେବାର ସୁବିଧା ଉପଲବ୍ଧ ନଥିବାରୁ ମୃତ୍ୟୁକୁ ଏଡାଇବା ସମ୍ଭବ ହୋଇପାରି ନ ଥାଏ। ଅଣସଂକ୍ରମିତ ରୋଗରେ ପ୍ରତି ବର୍ଷ ୧୭ ମିଲିୟନ ଲୋକଙ୍କର ୭୦ ବର୍ଷ ବୟସ ମଧ୍ୟରେ ମୃତ୍ୟୁ ହେଉଛି ଓ ବିଶ୍ବରେ ଏହି ବର୍ଗର ମୃତ୍ୟୁର ୮୬ ପ୍ରତିଶତ କେବଳ ସ୍ବଳ୍ପ ଓ ମଧ୍ୟମ ଆୟକାରୀ ଦେଶରେ ଘଟୁଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ବିଶ୍ବର ମୋଟ ମୃତ୍ୟୁ ମଧ୍ୟରୁ ଏକ ତୃତୀୟାଂଶ ମୃତ୍ୟୁ ହୃଦଘାତ, କର୍କଟ, ମଧୁମେହ ଓ ଭୟଙ୍କର ଶ୍ବାସରୋଗ କାରଣରୁ ହେଉଛି। ରିପୋର୍ଟରେ ଆହୁରି କୁହାଯାଇଛି କି, ଅଣସଂକ୍ରମିତ ରୋଗର ବୃଦ୍ଧି ମୁଖ୍ୟତ ସାମାଜିକ, ଜଳବାୟୁ, ବ୍ୟବସାୟିକ ଓ ବଂଶାନୁଗତ କାରଣରୁ  ହେଉଛି। କର୍କଟ ରୋଗରେ ପ୍ରତି ୬ ମୃତ୍ୟୁରୁ ଗୋଟିଏ ହେଉଛି, ଯାହା ବାର୍ଷିକ ୯.୩ ମିଲିୟନ ପରିବାରଙ୍କର ମୃତ୍ୟୁର କାରଣ ପାଲଟିଛି।

Related Articles

Leave a Reply

Your email address will not be published.

Back to top button