ଓଡ଼ିଶା

୨୩ ବର୍ଷରେ ଖାଦ୍ୟଶସ୍ୟ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି : ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ୨୦୦୦-୦୧ ବର୍ଷରେ ୫୫.୩୫ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା । ବିଗତ ୨୩ ବର୍ଷ ମଧ୍ୟରେ ଏହା ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇ ୨୦୨୨-୨୩ ବର୍ଷରେ ସର୍ବାଧିକ ୧୩୬.୦୭ ଲକ୍ଷ ଟନରେ ପହଞ୍ଚିଛି । ପନିପରିବା ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଅନୁରୂପ ଅଗ୍ରଗତି କରିଛି । ୨୦୦୦-୦୧ ମସିହାରେ ୩୩.୩୭ ଲକ୍ଷ ମେଟ୍ରିକ ଟନ ପନିପରିବା ଉତ୍ପାଦନ ହୋଇଥିବା ସ୍ଥଳେ ୨୦୨୨-୨୩ ମସିହାରେ ଏହା ପ୍ରାୟ ୩ ଗୁଣ ବୃଦ୍ଧିପାଇ ୯୮.୫୨ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିପାରିଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଗତ ୪ ବର୍ଷର ବିଭିନ୍ନ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ଓ ସଫଳତା ବାବଦରେ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ।

ବିଲୁପ୍ତ ପ୍ରାୟ ଲଘୁଶସ୍ୟ ଗୁଡ଼ିକର ପୁନରୁଦ୍ଧାର ସହିତ ପୁଷ୍ଟି ସାଧନ ପାଇଁ ରାଜ୍ୟ ସରକାର ଓଡ଼ିଶା ମିଲେଟ ମିଶନ୍ କାର୍ଯ୍ୟକ୍ରମ ୩୦ ଗୋଟି ଜିଲ୍ଲାର ୧୭୭ ବ୍ଲକକୁ ସମ୍ପ୍ରସାରିତ ହୋଇଛି । ଓଡ଼ିଶା ସର୍ବନିମ୍ନ ସହାୟକ ମୂଲ୍ୟରେ ମାଣ୍ଡିଆ ସଂଗ୍ରହ କରୁଥିବା ଦେଶର ଏକମାତ୍ର ରାଜ୍ୟ । ୬.୦୩ ଲକ୍ଷ କ୍ୱିଂଟାଲ ଲଘୁଶସ୍ୟ ସଂଗ୍ରହ, ଲଘୁଶସ୍ୟ ଚାଷୀଙ୍କ ଆୟରେ ସ୍ଥିରତା ଆଣିବାରେ ସହାୟକ ହୋଇପାରିଛି । ଏପର୍ଯ୍ୟନ୍ତ ‘କାଳିଆ’ ଯୋଜନାରେ ୪୩.୦୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୮.୭୨ ଲକ୍ଷ ଭୂମିହୀନ କୃଷି ପରିବାରକୁ ସହାୟତା ପ୍ରଦାନ ସହିତ ୧୬୨୪ ଜଣ ଛାତ୍ରଙ୍କୁ କାଳିଆ ଛାତ୍ରବୃତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କୃଷି ଯାନ୍ତ୍ରିକୀକରଣର ପ୍ରସାର ପାଇଁ ହେଉଥିବା ବ୍ୟାପକ ପ୍ରଚେଷ୍ଟା ଫଳରେ ରାଜ୍ୟରେ କୃଷି କ୍ଷେତ୍ରରେ ଶକ୍ତି ଉପଲବ୍ଧତା ୨୦୦୦-୦୧ ବର୍ଷରେ ହେକ୍ଟର ପ୍ରତି ୦.୬୧ କିଲୋୱାଟରୁ କ୍ରମାଗତ ଭାବେ ବୃଦ୍ଧିପାଇ ୨୦୨୧-୨୨ ବର୍ଷରେ ୨.୨୩ କିଲୋୱାଟରେ ପହଞ୍ଚିଛି । ଆଗାମୀ ଦୁଇ ବର୍ଷରେ ଏହାକୁ ହେକଫର ପ୍ରତି ୨.୫ କିଲୋୱାଟକୁ ବୃଦ୍ଧି କରାଯିବ । ବର୍ତମାନ ପ୍ରତ୍ୟେକ ସବ୍-ଡିଭିଜନ ସ୍ତରରେ କୃଷି ଯନ୍ତ୍ରପାତି ମେଳାମାନ ଆୟୋଜନ କରାଯିବାର ଯୋଜନା ରହିଛି ।

ବର୍ତମାନ ସୁଦ୍ଧା ‘କୃଷକ ଓଡ଼ିଶା’ ଡାଟାବେସ୍ ରେ ୭୬ ଲକ୍ଷ ୩୦ ହଜାର ଚାଷୀଙ୍କ ସମ୍ପର୍କରେ ୯୦ କିସମର ବିଭିନ୍ନ ସୂଚନା ଉପଲବ୍ଧ । କୃଷି ଋଣ ପାଇଁ ସରଳୀକୃତ ବ୍ୟବସ୍ଥା ‘ସଫଲ’ ଜରିଆରେ ୪୦ରୁ ଊର୍ଦ୍ଧ୍ୱ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡିକର ୩୦୦ ପ୍ରକାରର ଋଣ ସେବାକୁ ନେଇ ଏକକ ଅନ୍-ଲାଇନ ପୋର୍ଟାଲ ସଫଲ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ଆବେଦନ ନିମନ୍ତେ କୃଷି ଉଦ୍ୟୋଗୀମାନଙ୍କ ପାଇଁ ଏହା ଏକ ବରଦାନ ସଦୃଶ, ଯାହା ସମସ୍ତ ସୂଚନା ଯୋଗାଇବା ସଙ୍ଗେ ସଙ୍ଗେ ଆଦାନ ପ୍ରଦାନ ପାଇଁ ସୁବିଧା ଯୋଗାଇଥାଏ । ସମଗ୍ର ଦେଶରେ ଏପରି ଏକ ବ୍ୟବସ୍ଥା ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଓଡିଶା ଭାରତୀୟ କୃଷି ଗବେଷଣା ପରିଷଦ-ଭାରତୀୟ କ୍ଷୁଦ୍ରଶସ୍ୟ ଗବେଷଣା ପ୍ରତିଷ୍ଠାନ ଏବଂ ଆନ୍ତର୍ଜାତୀୟ ଖାଦ୍ୟ ଓ କୃଷି ସଂସ୍ଥା ଆନୁକୂଲ୍ୟରେ ୨୦୨୦-୨୧ ଓ ୨୦୨୧-୨୨ ବର୍ଷ ପୋଷକ ଅନାଜ ପୁରସ୍କାର ଅନ୍ତର୍ଗତ ସର୍ବୋତ୍କୃଷ୍ଟ କ୍ଷୁଦ୍ରଶସ୍ୟ ପ୍ରୋତ୍ସାହନକାରୀ ରାଜ୍ୟ ଭାବେ ପୁରସ୍କାର ହାସଲ କରିଛି । ଭାରତୀୟ କାଜୁବାଦାମ ଓ କୋକୋଆ ଉନ୍ନୟନ ନିର୍ଦ୍ଦେଶାଳୟ ଠାରୁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ୨୦୧୯, ୨୦୨୧ ଓ ୨୦୨୩ ବର୍ଷ ପାଇଁ ସର୍ବୋତ୍କୃଷ୍ଟ ଚାରା ଉତ୍ପାଦନ ପୁରସ୍କାର ପାଇଛି । ଅଭିନବ ଓ ଲୋକପ୍ରିୟ ନୀତି ପ୍ରଣୟନ ମାଧ୍ୟମରେ କୃଷିର ବିକାଶ ପ୍ରକ୍ରିୟାକୁ ଏକ ନୂତନ ଦିଗ ଦେଇ ନିୟୁତ ନିୟୁତ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥିବାରୁ ଆମ ରାଜ୍ୟ ୨୦୨୨ ବର୍ଷ ପାଇଁ ‘କୃଷି ନେତୃତ୍ୱ’ ପୁରସ୍କାର ହାସଲ କରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

Back to top button