ଓଡ଼ିଶା

ରେଙ୍ଗାଳି ବିସ୍ଥାପିତଙ୍କ ପାଇଁ ଘୋଷିତ କ୍ଷତିପୂରଣ ରାଶି ଓ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହ ଗ୍ରାମକୁ ‘ରାଜସ୍ୱ ଗ୍ରାମ’ର ମାନ୍ୟତା ଦିଆଯାଉ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ । ଏହାସହ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହିତ ସେମାନଙ୍କର ଗ୍ରାମ ଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୮୦ ଦଶକରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଳି ନଦୀବନ୍ଧ ଯୋଜନା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା । ଏହି ଯୋଜନା ଦ୍ୱାରା ଆମର ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷମତା ବହୁଗୁଣିତ ହୋଇପାରିଛି । ତେବେ ବିକାଶର ଏ ରୂପ ଆମକୁ ଅନେକ ବିଷାଦ ମଧ୍ୟ ଦେଇଛି । ବାସଚ୍ୟୁତ ଓ ବିସ୍ଥାପିତଙ୍କ ଦୁର୍ଦ୍ଦଶାର ପ୍ରାୟ ଚାରି ଦଶନ୍ଧିର ବିକଳ ଚିତ୍ର ଆଜି ବି ଆମକୁ ମର୍ମାହତ କରୁଛି । ୧୯୯୭ ମସିହାରେ ଗଠିତ ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ହିଁ ଏ ଦୂରବସ୍ଥାର ସାକ୍ଷୀ ।

ରେଙ୍ଗାଳି ଯୋଜନାରେ ୧୯୭୮ ରୁ ୧୯୮୪ ମସିହା ମଧ୍ୟରେ ମୋଟ ୨୩୬ ଗୋଟି ରାଜସ୍ୱ ଗ୍ରାମର ପ୍ରାୟ ୧୩ ହଜାର କୁଟୁମ୍ବ ବାସହରା ହେଲେ । ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଅଭାବରୁ ଏଭଳି ହଜାର ହଜାର କୁଟୁମ୍ବ ହନ୍ତସନ୍ତ ହେଲେ । ଅନେକ ଗଣଧାରଣା, ଅନଶନ, ପ୍ରତିବାଦ ଓ ବିକ୍ଷୋଭ ଭିତରେ ସେମାନଙ୍କ ଦୁର୍ଦ୍ଦଶା ଆଜି ବି ପୂର୍ବବତ୍ ଉତ୍କଟ ଓ ଅନ୍ତହୀନ । ଗତ ସେପ୍ଟେମ୍ବର ୨୦୧୦ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦ ପ୍ରାୟ ୧୫୨ କୋଟି ଟଙ୍କାର ଅନୁକମ୍ପା ରାଶି ଆକଳନ କରାଯାଇଥିଲା । କିନ୍ତୁ ପରିତାପର ବିଷୟ, ଏ ଅର୍ଥ ରାଶି ଆଜି ଯାଏଁ କ୍ଷତିଗ୍ରସ୍ତମାନଙ୍କୁ ମିଳିପାରିନାହିଁ ।

ଏହି ପରିପ୍ରେକ୍ଷୀରେ ପୁରୁଷ ପୁରୁଷର ଭିଟାମାଟି ହରାଇ ସର୍ବହରା ହୋଇଥିବା ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଓ ସେମାନଙ୍କ ଗ୍ରାମ ଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବିକୁ ପୂରଣ କରିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଓଡ଼ିଶା ସରକାର ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଆନ୍ତରିକତା ଦେଖାଇବା ସଙ୍ଗେ ସଙ୍ଗେ ଏଥି ନିମନ୍ତେ ସମୟୋଚିତ ପଦକ୍ଷେପ ନେବେ ତଥା ବିସ୍ଥାପିତଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ତତ୍ପର ହେବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published.

Back to top button