ବଦଳିଛି ମିଡ଼ିଆର ଚିତ୍ର ଚରିତ୍ର: ଦାୟୀ କିଏ?
ଗଣମାଧ୍ୟମ ଉପରୁ ଜନତାଙ୍କ ଭରଷା ତୁଟୁଛି। ବିଶ୍ୱସନୀୟନତାର କଷଟି ପଥରରେ ନିଜକୁ ନିରପେକ୍ଷ ଓ ସତ୍ୟର ଅନୁସନ୍ଧାନକାରୀ ବୋଲି ପ୍ରମାଣ ଦେଇ ପାରୁନି ମିଡିଆ। ମିଡିଆର କଣ୍ଟେଣ୍ଟ ଓ ତାର ପରିବେଷଣ ଶୈଳୀକୁ ନେଇ ନାନା ପ୍ରଶ୍ନ ଉଠୁଛି। ସବୁଠି ସମାନ ଖବର ଆଉ ସବୁ ଖବରକୁ ଏକା ଭଳି ଏକା ରଙ୍ଗରେ ପରିବେଷଣ କରିବାର ଦୌଡ଼। ଇଛା ନହେଲେ ନଦେଖନ୍ତୁ କହିଦେଇ ଦାୟିତ୍ୱ ସାରିବା ମଧ୍ୟ ବୁଦ୍ଧିମାନ ଲୋକର କାମ ନୁହେଁ। ଯଦି ଅଭିଯୋଗ ଆସିଛି ତାହା ସତ୍ୟ ନୁହେଁ ବୋଲି ମିଡିଆକୁ ଅନୁଭବ ହେଉଛି ବା କିଛି ଅତିରଞ୍ଜିତ ଦିଗ ସେଥିରେ ଯୋଡ଼ା ଯାଉଛି ତେବେ ଖଣ୍ଡନ କରିବାର ବଳିଷ୍ଠ ଯୁକ୍ତି ରଖାଯାଉ। ଯାହା ଦର୍ଶକ ଦେଖୁଛନ୍ତି ତାହା ଦେଖାଉଛୁ କହିବା କେବଳ ପୁରା ପ୍ରସଙ୍ଗରୁ ନିଜକୁ ସଫାସୁତୁରା କରି ଖସେଇ ଦେବାର ଉଦ୍ୟମ। ଚା ଖଟିରୁ ବୁଦ୍ଧିଜୀବୀଙ୍କ ଫେସବୁକ୍ ଓ ଟ୍ୱିଟର ପେଜ୍ ଯାଏଁ ସବୁଠି ସମାନ ଚର୍ଚ୍ଚା । କେଉଁ ବାଟରେ ଏବେ ଗଣମାଧ୍ୟମ। ମିଡିଆର ଏ କି ଅବସ୍ଥା। କାହିଁକି ହୋଇଛି ଏ ସ୍ଥିତି । ରାଜ୍ୟରେ ଖବର ନାହିଁ ନା ଦେଶରେ ସବୁ ଠିକଠାକ୍ ଚାଲିଛି । ବିବେକ, ବୁଦ୍ଧି, ପ୍ରାସଙ୍ଗିକତା, ନୀତି, ନିୟମ, ନୈତିକତା ସବୁକୁ ବଳି ପକାଇ ଦେଇ କାମ କରୁଛନ୍ତି ସାମ୍ବାଦିକ। ଯିଏ ଯାହା କହିଲା ତାର ସତ୍ୟ ତଥ୍ୟ ନପରଖି ନିରୁତା ପ୍ରସାର କରିଦେଇ ଆମେ ସାମ୍ବାଦିକ ବୋଲି କହିବା ଲୋକଙ୍କ ସଂଖ୍ୟା କାହିଁକି ବଢୁଛି। ଏ ପ୍ରଶ୍ନର ଉତ୍ତର ଯଦି ପାଖରେ ଅଛି ତେବେ ଭୟ ନାହିଁ ଆଗକୁ ମାଡ଼ି ଚାଲ। ଯେତେବାଟ ଯାଏଁ ପୁରା ଅନ୍ଧାର ଗ୍ରାସ ନକରିଛି। ସେତେ ଦୂର, ସେହି ସ୍ତର ଯାଏଁ ଯାଅ। ସମୟ ଥିଲା ଛାପା ଗଣମାଧ୍ୟମ ଓ ବୈଦୁତିକ ଗଣମାଧ୍ୟମ ମଧ୍ୟରେ ଖବର ପ୍ରକାଶ କରିବାର ଶୈଳୀ ଭିନ୍ନ ଥିଲା। ସମୟ ଆସିଲା ଏ ଶୈଳୀ ଠାରୁ ଭିନ୍ନ ଏକ ଡିଜିଟାଲ ପ୍ଲାଟଫର୍ମ ଆସିଲା। ଅଧିକ ଗଣତାନ୍ତ୍ରିକ ଭାବେ ମୁକ୍ତ ବିଚାର ସେଠି ରହିଲା। କିନ୍ତୁ ତା ମଧ୍ୟରେ କିଛି ଏଭଳି ତତ୍ତ୍ୱଙ୍କ ପ୍ରବେଶ ବଢିଲା ଯେଉଁଠି ସମସ୍ତେ ନିଜକୁ ସାମ୍ବାଦିକ କହିଲେ ଆଉ ଯିଏ ଯାହା ପାରିଲା ଖବର ଦେଖାଇଲେ। ସେ ଯାଏଁ ଠିକ୍ ଥିଲା କିନ୍ତୁ ସେହି ଆତ୍ମଘୋଷିତ ସାମ୍ବାଦିକଙ୍କ ଶୈଳୀକୁ ଯଦି ମୁଖ୍ୟସ୍ରୋତର ଗଣମାଧ୍ୟମ ଅନୁକରଣ କରି ଖବର ପ୍ରସାରଣ କରିବ । ତାଙ୍କୁ କେତେ ଲୋକ ଦେଖିଲେ ଯଦି ତାକୁ ପ୍ରତିଦ୍ୱନ୍ଦୀ ଭାବି ସେହି ସ୍ତରକୁ ଖସି ଯାଇ ଖବର ପ୍ରସାରଣ ହେବ ତେବେ ସାମ୍ବାଦିକତା ବୃତ୍ତି ଓ ସାମ୍ବାଦିକ ଉଭୟ ମର୍ଯ୍ୟଦା ହରାଇବା ଥୟ। ଯାହା ବର୍ତ୍ତମାନ ହୋଇସାରିଛି । ଅବଶ୍ୟ ଛାପା ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ଭିନ୍ନ ଭିନ୍ନ ପୃଷ୍ଠାରେ ଲେଖିବାର ଚାପ ରହିଛି। ବିଜ୍ଞାପନ ବେଶୀ ଥିଲେ ଅବଶ୍ୟ ଖବର କମ୍ ହୋଇଗଲେ ଚଳୁଛି। କିନ୍ତୁ ସବୁ ଖବରରେ ମସଲା ଖୋଜିବାର ରୋଗୀଣା ମାନସିକତା ପୁରା ବିରାଦରକୁ କାଠଗଡ଼ାରେ ଛିଡ଼ା କରିଛି। ତେବେ ଓଡ଼ିଆ ସିନେ ଷ୍ଟାରଙ୍କ ବ୍ୟକ୍ତିଗତ ଜୀବନର ଘଟଣାବଳୀ କିଛି ସମୟର ଖବର ହୋଇପାରେ। ନିର୍ଦ୍ଧିଷ୍ଟ ବର୍ଗର ଦର୍ଶକଙ୍କ ପାଇଁ ପ୍ରସାର କରାଯାଇପାରେ। କିନ୍ତୁ ତାକୁ ଦୀର୍ଘ ସମୟ ଧରି ଏବଂ ବିନା କାରଣରେ ଟାଣିଓଟାରି ଦେଖେଇବା ଗ୍ରହଣଯୋଗ୍ୟ ହେବ କି । ଆମେ କହୁଛୁ ଲୋକ ଦେଖୁଛନ୍ତି, ତେବେ କିଏ ସେ ଲୋକ ଯେଉଁମାନେ ଛି ଛାକର କରୁଛନ୍ତି। ଯେଉଁ ସିନେ ତାରକାମାନଙ୍କୁ ନେଇ ଏତେ ଚର୍ଚ୍ଚା ସେମାନେ କ’ଣ ବାସ୍ତବରେ ସେ ସ୍ଥିତିରେ ପହଞ୍ଚି ଯାଇଛନ୍ତି। ଯାହାଙ୍କ ଷ୍ଟାରଡମ୍ କଥା କହି ଘଣ୍ଟା ଘଣ୍ଟା ଆଲୋଚନା ହେବ। ଅପରପକ୍ଷେ ଗୋଟେ ଅଧେ ସିନେମା ତାରକାଙ୍କ ବ୍ୟକ୍ତିଗତ ଜୀବନ। ପ୍ରେମ, ପ୍ରତାରଣା ଆଉ ପରକୀୟା ସମ୍ପର୍କ ଠାରୁ ପୁରା ଓଡ଼ିଆ ସିନେମା ଶିଳ୍ପର ବାସ୍ତବ ସ୍ଥିତି କ’ଣ ସେ ବିଷୟରେ ଚର୍ଚ୍ଚା ହୋଇଥିଲେ କ’ଣ ମିଡିଆ ଆଜି କାଠଗଡ଼ାରେ ଛିଡ଼ା ହୋଇଥାନ୍ତା । ସେ ଚର୍ଚ୍ଚା କ’ଣ ହେବା ଉଚିତ ନୁହେଁ। ବଲିଉଡ ଓ ସାଉଥ ଷ୍ଟାର ଯେଉଁଠି ସିନେମା ପିଛା କୋଟି କୋଟି ଟଙ୍କା ନେଉଛନ୍ତି ସେଠି ୧୫ରୁ ୨୫ ଲକ୍ଷରେ ପୁରା ଓଡ଼ିଆ ସିନେମା ହେଉଛି। ସେଥିରୁ ଆପଣଙ୍କ ସୁପରଷ୍ଟାରମାନଙ୍କ ଭାଗରେ କେତେ କ’ଣ ପଡ଼ୁଥିବେ। ତାହା ଅନୁମେୟ। ଯାହା ପୁଣି ବକ୍ସ ଅଫିସରେ ସୁପର ଫ୍ଲପ୍ ହେଉଛି। ନା ସିନେମାର ନାମକରଣ ଓଡ଼ିଆରେ ନା କାହାଣୀ ଓ ଚରିତ୍ରମାନଙ୍କ ଭିତରେ ଓଡ଼ିଆ ଚଳଣିର କୌଣସି ବାସ୍ନା ଅଛି।
ଓଡ଼ିଆ ଜନଜଜୀବନ ଠାରୁ ବହୁ ଦୂରରେ ଦକ୍ଷିଣୀ ସିନେମାର କପି ପେଷ୍ଟରେ ସିନେମା ହେଉଛି। ଯେଉଁ ସିନେମା ହଲରେ ହିନ୍ଦୀ ସିନେମା ପଡ଼ିଲେ ଟିକେଟ ମିଳୁନି ହଲ୍ ପ୍ୟାକ୍ ରହୁଛି। ସେଠି ଓଡ଼ିଆ ସିନେମା ବେଳେ ଅନ୍ଧାରରେ ମୁଣ୍ଡ ଗଣି ହୋଇଯାଉଛି। ଏ ସ୍ଥିତି କାହିଁକି। କୋଭିଡ୍ ପରବର୍ତ୍ତୀ ସମୟରେ କି ପରିସ୍ଥିତିରେ ସିନେମା ଶିଳ୍ପ । ବହୁ ପରିବାରର ଗୁଜୁରାଣ ମେଣ୍ଟାଇବାର ସମ୍ଭାବନା ଥିବା ଏ ଶିଳ୍ପର ଦୟନୀୟ ସ୍ଥିତି କାହିଁକି। କି ଉଦ୍ୟମ ହେଉଛି, ଓଡ଼ିଆ ସିନେମା ଶିଳ୍ପକୁ ମର୍ଯ୍ୟଦାଜନକ ସ୍ତରକୁ ଉଠାଇବାକୁ। ଜାତୀୟ ଓ ଅର୍ନ୍ତଜାତୀୟ ସ୍ୱୀକୃତି ମିଳୁ ସେଭଳି ସିନେମା ପ୍ରସ୍ତୁତ କାହିଁକି ହେଉନି । ଶେଷ ଓଡ଼ିଆ ସିନେମା କେଉଁଟି ଥିଲା ଯାହା ହିଟ୍ ହୋଇଥିଲା । ଷ୍ଟାରଙ୍କ ଘର ଆଗରେ ଗଣମାଧ୍ୟମର ଭିଡ଼ ଥିଲା ନା ଫ୍ୟାନଙ୍କର । ଯଦି ଏତେ ଫ୍ୟାନ୍ ତେବେ ହଲ୍ କାହିଁକି ଖାଲି । ଅନେକ ପ୍ରଶ୍ନ ଉଠିବ । ଯାହାର ଉତ୍ତର ଖୋଜିଲେ ହୁଏତ ମିଡିଆ ତା ଦାୟିତ୍ୱ ତୁଲାଉଛି ବୋଲି ଲୋକଙ୍କୁ ହୃଦବୋଧ ହୋଇଥାନ୍ତା। ଏକଥା ଆମ ଭିତରୁ ଅନେକ ଭୁଲି ଗଲୁଣି ଯେ ସାମ୍ବାଦିକତା ଏକ ଗମ୍ଭୀର ବ୍ୟାପାର। ମନୋରଞ୍ଜନ ପାଇଁ ଅନ୍ୟ ପ୍ଲାଟଫର୍ମ ଅଛି। ବୃହତର ସ୍ୱାର୍ଥ ସାଧନରେ ଭୁମିକା ନେଉଥିବା ଖବର ହିଁ ପ୍ରକୃତ ଖବର। କିଛି ଲୋକଙ୍କୁ ଲାଗିପାରେ ସମୟ ସହ ଖବର ପ୍ରସାରଣର ତରିକା ବଦଳିବା ଦରକାର। ଯିଏ ନବଦଳିଲା ସେ ପଛରେ ପଡ଼ିଗଲା ଜାଣ। ନୂଆ ପିଢିର ସାମ୍ବାଦିକତାକୁ ହଜମ ନକରି ପାରିଲେ ବୃତ୍ତି ଛାଡ଼ି ସନ୍ୟାସ ହୁଅ। ବାଡି ବାଇଗଣ ଓ ପୋଥି ବାଇଗଣର ଫରକ୍ ବୁଝ। ଟେଲିଭିଜନ ରେସପେକ୍ଟ ପଏଣ୍ଟ ନୁହେଁ ରେଟିଂ ପଏଣ୍ଟ ହିସାବ କର ଯେଉଁଥିରେ ତମେ ପୁରା ଜିରୋ ଆଉ ଆମେ ହିରୋ। କିନ୍ତୁ ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଜନତା ହିଁ ହିରୋକୁ ଜିରୋ ଓ ଜିରୋକୁ ହିରୋ କରେ। ଆଉ ଆଜି ସେହି ଜନତା ଆଜି ମିଡିଆର ଚିତ୍ର ଚରିତ୍ରକୁ ଘୃଣା କରୁଛି। ସେଥିରୁ ଅନୁମାନ କରିନେବା କଥା ଯେ ଆମ ଗତି ଏବେ କୁଆଡ଼େ ।ଆତ୍ମ ସମୀକ୍ଷା ଓ ସମୟୋଚିତ ପଦକ୍ଷେପ ମିଡିଆକୁ ତାର ପୂର୍ବ ମର୍ଯ୍ୟଦା ଫେରେଇପାରିବ ବୋଲି ଆଶା ।
- ସୁପ୍ରିୟା ଦାଶଙ୍କ ରିପୋର୍ଟ