ସୁପ୍ରିମକୋର୍ଟର ୫ ବିଚାରପତିଙ୍କ ଶପଥପାଠ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟଙ୍କୁ ଆଜି ମିଳିଲେ ୫ ନୂଆ ବିଚାରପତି। ଏହା ପରେ ସୁପ୍ରିମ କୋର୍ଟଙ୍କ ମୋଟ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ସୋମବାର ଏହି ୫ ବିଚାରପତିଙ୍କୁ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ଶପଥ ପାଠ କରାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ନୂଆ ଭବନରେ ଏହି ଶପଥପାଠ ସମାରୋହର ଆୟୋଜନ କରାଯାଇଛି।
ସୁପ୍ରିମକୋର୍ଟର ନବନିଯୁକ୍ତ ବିଚାର ପତି ହେଲେ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତଲ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୟ କରୋଲ, ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ପି ବି ସଞ୍ଜୟ କୁମାର, ପାଟନା ହାଇକୋର୍ଟ ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଇଲାହାବାଦ ହାଇକୋର୍ଟ ଜଷ୍ଟିସ ମନୋଜ ମିଶ୍ରା।
ଜଷ୍ଟିସ ପଙ୍କଜ ମିତ୍ତଲ ଏହି ପାଞ୍ଚ ଜଣଙ୍କ ମଧ୍ୟରେ ସର୍ବବରିଷ୍ଠ। ସେ ମୂଳତଃ ଇଲାହାବାଦ ଉଚ୍ଚ ନ୍ୟାୟାଳୟ କ୍ୟାଡରର ହୋଇଥିବା ବେଳେ ଗତ ବର୍ଷ ୧୪ ଅକ୍ଟୋବରକୁ ତାଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ପଦୋନ୍ନତି ସହ ବଦଳି କରାଯାଇଥିଲା। ମିତଲଙ୍କ ଜନ୍ମ ୧୯୬୧ ଜୁନ ୧୭ରେ ହୋଇଥିବା ବେଳେ ୧୯୮୫ରେ ଇଲାହାବାଦ ହାଇକୋର୍ଟରେ ଜଣେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୬ ଜୁଲାଇରେ ଇଲାହାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ ଓ ୨୦୦୮ ଜୁଲାଇରେ ବିଚାରପତି ଭାବେ ଶପଥ ନେଇଥିଲେ। ସେ ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହାଇକୋର୍ଟର ନ୍ୟାୟାଧୀଶ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଆଜି ଶପଥ ନେଇଥିବା ଦ୍ବିତୀୟ ବରିଷ୍ଠ ବିଚାରପତି ହେଲେ ପାଟନା ହାଇକୋର୍ଟର ମୁଖ୍ୟବିଚାରପତି ସଞ୍ଜୟ କରୋଲ। ସେ ହିମାଚଳ କ୍ୟାଡରର ବିଚାରପତି। ୧୯୬୧ ଅଗଷ୍ଟ ୨୩ରେ କରୋଲଙ୍କ ଜନ୍ମ କାଙ୍ଗଡା ଜିଲ୍ଲାରେ ହୋଇଥିଲା। ୧୯୮୬ରେ ସେ ତାଙ୍କ ଓକିଲାତି ଆରମ୍ଭ କରିଥିଲେ। ୧୯୯୮ରୁ ୨୦୦୩ ମଧ୍ୟରେ ସେ ହିମାଚଳ ପ୍ରଦେଶର ଓକିଲ ଥିଲେ ଓ ୨୦୦୭ରେ ସେଠାରେ ବିଚାରପତି ଭାବେ ଯୋଗ ଦେଇଥିଲେ। ସେ ୨୦୧୮ରେ ତ୍ରିପୁରା ଓ ୨୦୧୯ରେ ପାଟନା ହାଇକୋର୍ଟକୁ ବିଚାରପତି ଭାବେ ବଦଳି ହୋଇଥିଲେ।
ଜଷ୍ଟିସ ପି ବି ସଂଜୟ କୁମାର ତେଲେଙ୍ଗାନା ହାଇକୋର୍ଟ କ୍ୟାଡରର ବିଚାରପତି। ଏବେ ସେ ମଣିପୁର ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଥିଲେ। ତାଙ୍କ ଜନ୍ମ ୧୯୬୩ ଅଗଷ୍ଟ ୧୪ରେ ହୋଇଥିଲା। ଜଷ୍ଟିସ ସଞ୍ଜୟ ୧୯୮୮ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଏଲଏଲବି ହାସଲ କରିଥିଲେ ଓ ସେହି ବର୍ଷ ଓକିଲାତି ଆରମ୍ଭ କରିଥିଲେ। ୨୦୦୦ରୁ ୨୦୦୩ ମଧ୍ୟରେ ସେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ସରକାରୀ ଓକିଲ ଭାବେ କାମ କରିଥିଲେ। ୨୦୦୮ରେ ଆନ୍ଧ୍ର ହାଇକୋର୍ଟର ଅତିରିକ୍ତ ବିଚାରପତି ନିଯୁକ୍ତ ହୋଇ ୨୦୧୦ ଜାନୁଆରୀରେ ବିଚାରପତି ଭାବେ ଶପଥ ନେଇଥିଲେ। ୨୦୧୯ରେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ୨୦୨୧ ଫେବୃଆରୀରେ ମଣିପୁର ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ପଦୋନ୍ନତି ପାଇଥିଲେ।
ସେହିପରି ଆଜି ପାଟନା ହାଇକୋର୍ଟର ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାହ ମଧ୍ୟ ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି। ତାଙ୍କ ଜନ୍ମ ୧୯୬୩ ମେ ୧୧ରେ ହୋଇଥିବା ବେଳେ ୧୯୯୧ ସେପ୍ଟେମ୍ବରକୁ ବିହାର ଷ୍ଟେଟ ବାର କାଉନସିଲରେ ନାମ ପଞ୍ଜିକରଣ କରିଥିଲେ। ୨୦୦୬ ମାର୍ଚ୍ଚରୁ ୨୦୧୦ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟ ସରକାରର ସ୍ଥାୟୀ ଓକିଲ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୧ ଜୁନରେ ତାଙ୍କୁ ପାଟନା ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦିଆଯାଇଥିଲା। ୨୦୨୧ରେ ସେ ଆନ୍ଧ୍ର ହାଇକୋର୍ଟରେ ଓ ୨୦୨୨ ଜୁନ ୨୦ରେ ପାଟନା ହାଇକୋର୍ଟକୁ ପୁଣି ବଦଳି ହୋଇଥିଲେ।
ଆଜି ଶପଥ ନେଇଥିବା ୫ମ ନ୍ୟାୟାଧୀଶ ହେଲେ ଜଷ୍ଟିସ ମନୋଜ ମିଶ୍ରା। ୧୯୬୫ ଜୁନ ୨ ତାରିଖରେ ତାଙ୍କ ଜନ୍ମ। ୧୯୮୮ ଡିସେମ୍ବରରୁ ସେ ଓକିଲ ଭାବେ କ୍ୟାରିୟର ଆରମ୍ଭ କରିଥିବା ବେଳେ ୨୦୧୧ରେ ଇଲାହାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତିକୁ ପଦୋନ୍ନତି ପାଇଥିଲେ। ୨୦୧୩ ଅଗଷ୍ଟରେ ସେଠାରେ ସ୍ଥାୟୀ ବିଚାରପତି ହୋଇଥିଲେ।
ଆଜି ସୁପ୍ରିମକୋର୍ଟଙ୍କ ମୋଟ ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବା ବେଳେ ଚଳିତ ବର୍ଷ ୮ ଜଣଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେଣୁ କଲେଜିୟମ ଗତ ଡିସେମ୍ବର ୧୩ରେ ୫ ଜଣଙ୍କ ନାମ କେନ୍ଦ୍ରକୁ ସୁପାରିଶ କରିଥିବା ବେଳେ ୩୧ ଜାନୁଆରୀକୁ ଆଉ ଦୁଇ ଜଣଙ୍କ ନାମ ସୁପାରିଶ କରିଥିଲେ। ସେମାନେ ହେଲେ ଇଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଓ ଗୁଜୁରାଟ ହାଇକୋର୍ଟର ମୁଖ୍ୟବିଚାରପତି ଅରବିନ୍ଦ କୁମାର।