
ନୂଆଦିଲ୍ଲୀ: ମୁମ୍ବାଇରେ ୫ ଫେବୃଆରୀରେ ହିନ୍ଦୁ ସମାଜର ରାଲିକୁ ବିରୋଧ କରି ଦାୟର ଯାଚିକାର ସୁପ୍ରିମ କୋର୍ଟରେ ଶୁଣାଣି। ରାଲିକୁ ମିଳିଛି କୋର୍ଟଙ୍କ ଅନୁମତି। ତେବେ ରାଲି କରିବା ଉପରେ ଲଗାଇଛନ୍ତି ସର୍ତ୍ତ। ରାଲିରେ କୌଣସି ହେଟ ସ୍ପିଚ ଦିଆଯିବ ନାହିଁ ଏହାକୁ ସୁନିଶ୍ଚିତ କରିବାକୁ ମହାରାଷ୍ଟ୍ର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ରାଲିର ଭିଡିଓ ରେକଡିଂ ପୁଲିସ ଦ୍ବାରା କରାଇବାକୁ କୁହାଯାଇଛି। ଏଥିସହ ଜାନୁଆରୀ ୨୯ରେ ହୋଇଥିବା ହିନ୍ଦୁ ଜନ ଆକ୍ରୋଶ ରାଲିର ରିପୋର୍ଟ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ।
ଜଷ୍ଟିସ କେ ଏମ ଜୋସେଫ ଓ ଜଷ୍ଯିସ ଜେ ବି ପର୍ଦିୱାଲା ନିର୍ଦ୍ଦେଶ ଦେଇଛନ୍ତି କି, ରାଲି କାଳରେ ଯେମିତି କୌଣସି ଘୃଣିତ ଭାଷଣ ଦିଆନଯାଏ ଓ ନିୟମର ଅନୁପାଳନ କରାଯାଇ ଜନତାଙ୍କ ଭାବନାକୁ ଆଘାତ ନ ପହଞ୍ଚାଏ ତାକୁ ସରକାର ସୁନିଶ୍ଚିତ କରନ୍ତୁ। ଏହା ବ୍ୟତୀତ କାର୍ଯ୍ୟକ୍ରମରେ କଣ ସବୁ ହେବାର ଅଛି ସେସମ୍ପର୍କରେ କୋର୍ଟଙ୍କୁ ଜଣାଇବାକୁ କୁହାଯାଇଛି। ରାଲି କାଳରେ ରେକଡିଂ ପୁଲିସ କରି ସଲିସିଟର ଜେନେରାଲଙ୍କ ନିକଟରେ ଦାଖଲ କରିବାକୁ କହିଛନ୍ତି ଖଣ୍ଡପୀଠ।
ଶାହିନ ଅବ୍ଦୁଲ୍ଲା ନାମକ ଯାଚିକାକର୍ତ୍ତା ସର୍ବୋଚ୍ଚ ନ୍ୟାୟାଳୟରେ ରାଲିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ସେ ଯାଚିକାରେ ଉଲ୍ଲେଖ କରିଥିଲେ କି, ମୁସଲମାନ ସମୁଦାୟର ଆର୍ଥିକ ଓ ସାମାଜିକ ବହିଷ୍କାର ଆହ୍ବାନ ଦେଇ ମହାରାଷ୍ଟ୍ରରେ ବହୁ କାର୍ଯ୍ୟକ୍ରମ ଓ ରାଲି ହେଉଛି। ସମ୍ପୂର୍ଣ୍ଣ ମୁସଲମାନ ସମୁଦାୟକୁ ଅପରାଧୀ ସଜାଇବାକୁ ଜମିନ ଜିହାଦ ସହ ଲଭ ଜିହାଦକୁ ନିଜ ଭାଷଣରେ ସ୍ଥାନ ଦେଉଛନ୍ତି ନେତା। ଏପରି କାର୍ଯ୍ୟକ୍ରମ ଦ୍ବାରା ମୁସଲମାନ ସମ୍ପ୍ରଦାୟ ଉପରେ ଉତ୍ପୀଡନର ଆଶଙ୍କା ଦେଖା ଦେଇଥିବା ଯାଚିକାରେ ଉଲ୍ଲେଖ କରିବା ସହ ଏହା ଉପରେ ରୋକ ଲଗାଇବାକୁ ଅପିଲ କରିଥିଲେ। ଏହା ବ୍ୟତୀତ ଜାନୁଆରୀ ୨୯ରେ ହୋଇଥିବା ବିଜେପି ବିଧାୟକ ଟି ରାଜାଙ୍କ କାର୍ଯ୍ୟକ୍ରମରେ କିପରି ସର୍ବସମ୍ମୁଖରେ ମୁସଲମାନଙ୍କୁ ହତ୍ୟା କରିବାକୁ ଆହ୍ବାନ ଦିଆଯାଇଥିଲା ତାହା ମଧ୍ୟ ଉଲ୍ଲେଖ କରିଥିଲେ ଯାଚିକାକର୍ତ୍ତା।