କୋର୍ଟ

ନିର୍ବାଚନ କମିଶନର ନିଯୁକ୍ତିକୁ ନେଇ ଐତିହାସିକ ରାୟ

() ନିର୍ବାଚନ କମିଶନଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ନିର୍ବାଚନ କମିଶନ ସ୍ବତନ୍ତ୍ର ହେବା ଆବଶ୍ୟକ। ନିର୍ବାଚନ କମିଶନର ଏକ କମିଟି ଦ୍ବାରା ଚୟନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ଆଦେଶ। ଚୟନ ପରେ ରାଷ୍ଟ୍ରପତି ଦେବେ ନିଯୁକ୍ତି। ଗୁରୁବାର ଦିନ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତିକୁ ନେଇ ଦାୟର ଯାଚିକା ସବୁର ଶୁଣାଣି କରି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦେଇଛନ୍ତି ଏହି ରାୟ।

ଏଣିକି ମୁଖ୍ୟ ନିର୍ବାଚନ କମିଶନର ହେବେ ଚୟନ। ଚୟନ କରିବ କମିଟି। ନିର୍ବାଚନ କମିଶନରଙ୍କୁ ପ୍ରଧାନମନ୍ତ୍ରୀ, ଲୋକସଭାର ବିପକ୍ଷ ନେତା ଓ ଭାରତ ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ କମିଟି ଚୟନ କରିବେ। ଆଉ ନିଯୁକ୍ତି ଦେବେ ରାଷ୍ଟ୍ରପତି। ଜଷ୍ଟିସ କେଏମ ଜୋସେଫ, ଜଷ୍ଟିସ ଅଜୟ ରସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ସୁଧାର ଆଣିବାକୁ ହୋଇଥିବା ଯାଚିକା ଗୁଡିକ ଉପରେ ଶୁଣାଣି କରି ଦେଇଛନ୍ତି ରାୟ। ଜଷ୍ଟିସ କେ ଏମ ଜୋସେଫ ରାୟ ପଢିଛନ୍ତି କି, ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ କଲେଜିୟମ ପରି ଏକ ସ୍ବତନ୍ତ୍ର ପ୍ୟାନେଲ ଗଠନ କରିବାକୁ ନିର୍ଦ୍ଦେଶ।

ନିରପେକ୍ଷ ଓ ପାରଦର୍ଶିତାର ସହ ମୁଖ୍ୟ   ନିର୍ବଚନ କମିଶନର ଓ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥିଲା ଏକାଧିକ ଯାଚିକା ଦାୟର। ଜଷ୍ଟିସ ଏମ ଜୋସେଫଙ୍କ ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିଥିଲେ ଜଷ୍ଟିସ ରସ୍ତୋଗୀ। ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପ୍ରକ୍ରିୟା ବର୍ତ୍ତମାନ ରଦ୍ଦ ହେବ। ନିଯୁକ୍ତି ପାଇଁ ଗଠନ ହେବ କମିଟି। କମିଟି ଗଠନର ଆବଶ୍ୟକତାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି କି, କାର୍ଯ୍ୟପାଳିକାର ହସ୍ତକ୍ଷେପରୁ ନିର୍ବାଚନ କମିଶନକୁ ଅଲଗା କରିବାର ଆବଶ୍ୟକତା ରହିଛି। ଏଥିସହ ନିର୍ବାଚନ କମିଶନରମାନଙ୍କୁ ସିଇସିଙ୍କ ପରି ସମାନ ସୁରକ୍ଷା ମିଳିବା ଦରକାର। ସେମାନଙ୍କୁ ସରକାର ଦ୍ବାରା ହଟାଯାଇ ପାରିବ ନାହିଁ। ସମ୍ବିଧାନ ନିର୍ମାତାମାନେ ସିଇସି ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ସଂସଦ ଉପରେ ଆଇନ କରିବାକୁ ଦେଇଥିଲେ ଛୁଟ । କିନ୍ତୁ ରାଜନୈତିକ ବ୍ୟବସ୍ଥା ସେମାନଙ୍କ ସହ ବିଶ୍ବାସଘାତକତା କରିଛି ଓ ଗତ ସାତ ଦଶକରେ ଆଇନ କରାଯାଇ ନାହିଁ। ସୁପ୍ରିମକୋର୍ଟ ଆହୁରି କହିଛନ୍ତି କି, ନିର୍ବାଚନ କମିଶନକୁ ସ୍ବତନ୍ତ୍ର ହେବା ଆବଶ୍ୟକ।

ଜଣେ ସ୍ବତନ୍ତ୍ର ବ୍ୟକ୍ତି ସତ୍ତାଧାରୀଙ୍କ ଦାସ ହୋଇ ନ ପାରେ। ଜଣେ ସଚ୍ଚୋଟ ବ୍ୟକ୍ତି ଶକ୍ତିଶାଳୀ ଓ କ୍ଷମତାଶୀନଙ୍କ ସହ ଟକ୍କର ଦେବାର ରଖିଥାନ୍ତି ସତସାହସ । ତେଣୁ ଲୋକତନ୍ତ୍ରର ରକ୍ଷା ପାଇଁ ଜଣେ ସାଧାରଣ ମଣିଷ ତାଙ୍କ ଆଡକୁ ଦେଖେ। ଲୋକତନ୍ତ୍ରକୁ ଜନତାଙ୍କ ଦ୍ବାରା, ଜନତାଙ୍କ ପାଇଁ ଘୋଷଣା କରାଯାଇଥିଲା। ଗଣତନ୍ତ୍ର ସେତେବେଳେ ସଫଳ ହେବ ଯେତେବେଳେ ସମସ୍ତ ଅଧିକାରୀ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ରଖିବା ପାଇଁ ଦକ୍ଷତାର ସହ କାର୍ଯ୍ୟଭାର ତୁଲାଇବେ। ଆଇନର ଶାସନ, ଶାସନର ଲୋକତାନ୍ତ୍ରିକ ସ୍ବରୂପର ମୂଳଧାର। ତେଣୁ ଶାସକ ଆଇନ ଅନୁଯାୟୀ ଚାଲିବା ଆବଶ୍ୟକ। ଖଣ୍ଡପୀଠ ଆହୁରି କହିଛନ୍ତି, ଏହି ପଦ୍ଧତି ବଂଶବାଦ, ନିରଙ୍କୁଶତା ପରି ଦୁର୍ନୀତିରୁ ରକ୍ଷାର ପ୍ରତିଶ୍ରୁତି। ନିର୍ବାଚନ ଆୟୋଗ ଯେଉଁ ଆଇନକୁ ଶାସନର ଗ୍ୟାରେଣ୍ଟି ଦେଇ ନ ଥାଏ, ସେ ଲୋକତନ୍ତ୍ର ବିରୋଧୀ। ଯଦି ଅବୈଧ ଓ ଅସାମ୍ବିଧାନିକ ରୂପେ ଶକ୍ତିର ପ୍ରୟୋଗ କରାଯାଏ ତେବେ ରାଜନୈତିକ ଦଳଗୁଡିକ ଉପରେ ଏହାର କୁପରିଣାମ ପଡିବ। କାରଣ ଆମ ନିକଟରେ ରହିଛି ନୋଟା ବିକଳ୍ପ । ଯାହା ପ୍ରାର୍ଥୀମାନଙ୍କ ପ୍ରତି ମତଦାତାମାନଙ୍କ ଅସନ୍ତୋଷ ଦର୍ଶାଉଛି। ତେଣୁ ସିଇସି ନିଯୁକ୍ତିକୁ ସ୍ବଚ୍ଛ କରିବାକୁ କମିଟି ଦ୍ବାରା ଚୟନ କରାଯିବ ଓ ସଂସଦରେ ଏଥି ସମ୍ବନ୍ଧିତ ଏକ ଆଇନ ପ୍ରଣୟନ ନ ହେବା ପର୍ଯ୍ୟନ୍ତ ଏହି ପ୍ରଥା ଜାରି ରହିବ ବୋଲି କହିଛନ୍ତି ଖଣ୍ଡପୀଠ।

 ଶିଳାସ୍ମିତା ରାୟଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ

Related Articles

Leave a Reply

Your email address will not be published.

Back to top button