
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ସୋମବାର ଜବରଦସ୍ତି ଧର୍ମ ପରିବର୍ତ୍ତନ ଉପରେ ଶୁଣାଣି ହୋଇଛି। ଏହି ପ୍ରସଙ୍ଗକୁ କୋର୍ଟ ଗମ୍ଭୀର ମାମଲା କହିବା ସହ ଏହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯେଉଁଠି ଧର୍ମର ସମ୍ବନ୍ଧ ରହିଛି ସେଠାରେ ନାଗରିକମାନଙ୍କ ଅନ୍ତରାତ୍ମାର ସ୍ବତନ୍ତ୍ରତା ପ୍ରଭାବିତ ହୋଇପାରେ। ଏହା ଉପରେ ନୋଟିସ ଜାରି କରି ନିଜର ଆଭିମୁଖ୍ୟ କେନ୍ଦ୍ରଠାରୁ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏଥିସହ ଏଦିଗରେ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ଏହି ମାମଲାରେ ଆଗାମୀ ଶୁଣାଣି ନଭେମ୍ବର ୨୮ରେ ହେବ।
ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି କି, ଏପରି ଧର୍ମାନ୍ତରଣ ଆଦିବାସୀ କ୍ଷେତ୍ରରେ ବହୁ ସଂଖ୍ୟାରେ ହେଉଛି। ଏହା ଉପରେ କୋର୍ଟ ସରକାରର ପଦକ୍ଷେପକୁ ନେଇ ପ୍ରଶ୍ନ କରିଛନ୍ତି। ସରକାର କଣ କରୁଛି? ରାଜ୍ୟ ପାଖରେ ଆଇନ ରହିଛି, କେନ୍ଦ୍ରକୁ ମଧ୍ୟ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି। . ଏହା ଉପରେ ୨୨ ନଭେମ୍ବର ଭିତରେ କେନ୍ଦ୍ରର ଆଭିମୁଖ୍ୟ ଜାଣିବାକୁ ଚାହିଁଛନ୍ତି କୋର୍ଟ।
ସୁପ୍ରିମକୋର୍ଟ ଏହି ଜନହିତ ଯାଚିକା ଉପରେ ଶୁଣାଣି କରି ଏହି ନୋଟିସ କରିଛନ୍ତି। ଯାଚିକାରେ ଉଲ୍ଲେଖ କରାଯାଇଛି କି, ଲୋକଙ୍କୁ ଠକିକି, ଡରାଇଧମକାଇ, ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରାଯାଉଛି। ଏହା ସମ୍ବିଧାନର ଅନୁଚ୍ଛେଦ ୧୪,୨୧ ଓ ୨୫ର ଉଲ୍ଲଙ୍ଘନ। ଜଷ୍ଟିସ ଏମଆର ସାହ, ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଜବରଦସ୍ତି ଧର୍ମପରିବର୍ତ୍ତନକୁ କଠୋର ବିରୋଧ କରିବା ସହ ଦେଶରେ ଜଣେ ସ୍ବଇଛାରେ ଧର୍ମ ପରିବର୍ତ୍ତନ ପାଇଁ ଅନୁମତି ଥିବା କହିଛନ୍ତି। କିନ୍ତୁ ଜବରଦସ୍ତି ଧର୍ମ ପରିବର୍ତ୍ତନ ସଂଖ୍ୟା ଅଧିକ ଥିବାରୁ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଖଣ୍ଡପୀଠ।