
ନୂଆଦିଲ୍ଲୀ: ଗୋଧ୍ରା ଟ୍ରେନ ପୋଡି ଘଟଣାର ଅଭିଯୁକ୍ତକୁ ଜାମିନ ମଞ୍ଜୁର। ସୁପ୍ରିମକୋର୍ଟ ଗୁରୁବାର ଦିନ ଗୋଧ୍ରା ଘଟଣାର ଅନ୍ୟତମ ଦୋଷୀ ଫାରୁକକୁ ଜାମିନ ପ୍ରଦାନ କରିଛନ୍ତି। ସେ ଟ୍ରେନ ଉପରକୁ ପଥର ମାଡ କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା । ତେବେ ସେ ୧୭ ବର୍ଷ ଧରି ବନ୍ଦୀ ରହିସାରିଥିବାରୁ ତାକୁ ଜାମିନ ଦେଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ପି ଏସ ନରସିଂହାଙ୍କ ଖଣ୍ଡପୀଠ।
ଖଣ୍ଡପୀଠ କହିଛନ୍ତି କି, ଗୋଧ୍ରା ମାମଲାର ୪ର୍ଥ ଦୋଷୀ ଫାରୁକକୁ ଜାମିନ ପ୍ରଦାନ କରାଯାଇଛି। ଆବେଦନକାରୀ ବିରୋଧରେ ଆପିସିର ଧାରା ୩୦୨ ଅନ୍ତର୍ଗତ ମାମଲା ରୁଜୁ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ହାଇକୋର୍ଟ ୨୦୧୭ରେ ତାର ଜାମିନ ଆବେଦନ ଖାରଜ କରି ଦେଇଥିଲେ। ସେହି ଦଙ୍ଗା ସମୟରେ ସେ କେବଳ ଟ୍ରେନ ଉପରକୁ ପଥର ମାଡ କରିଥିଲା। ଅନ୍ୟ କୌଣସି ବଡ ଅପରାଧ ଘଟଇ ନ ଥିଲା। ତେଣୁ ଏହି ଆଧାରରେ ତାକୁ ଜାମିନ ଦିଆଯାଇପାରେ। ସେ ୨୦୦୪ରୁ ବନ୍ଦୀ ଜୀବନ ବିତାଇ ଆସୁଛି। ୧୭ ବର୍ଷ ଧରି ସେ ଜେଲରେ ରହୁଥିବାରୁ ତାଙ୍କୁ ଜାମିନ ଦେବାକୁ ଆବଦନ କରିଥିଲା ଫାରୁକ।
ତେବେ ଏହି ମାମଲାର ଶୁଣାଣି କାଳରେ ଗୁଜୁରାଟ ସରକାର ପକ୍ଷରୁ ସଲିସିଟର ଜେନେରାଲ ଫାରୁକର ଜାମିନକୁ ବିରୋଧ କରିଥିଲେ। ସେ କହିଥିଲେ କି, ଏହା କେବଳ ପଥର ମାଡର ଘଟଣା ନ ଥିଲା। ଫାରୁକ ଅନ୍ୟ ମାନଙ୍କୁ ହିଂସା ପାଇଁ ଉସକାଇ ଥିଲା, ପଥର ମାଡ କରିଥିଲା ଟ୍ରେନ ଉପରକୁ ତଥା ଓ ଯାତ୍ରୀଙ୍କୁ ଆହତ କରିଥିଲା। ପଥର ମାଡ ପାଇଁ ଜଳନ୍ତା ଟ୍ରେନର ବଗି ଭିତରୁ ଯାତ୍ରୀ ବାହାରକୁ ବାହାରି ନ ପାରି ୫୯ ଜଣ ଜୀବନ୍ତ ଜଳିଗଲେ। ତେଣୁ ସେ ହତ୍ୟା ପରି କାର୍ଯ୍ୟରେ ନିୟୋଜିତ ଥିବା କୋର୍ଟକୁ ମେହତା ଜଣାଇଥିଲେ।