ସମଲିଙ୍ଗି ଦମ୍ପତି ମାମଲାର ତ୍ବରିତ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ସମଲିଙ୍ଗି ଦମ୍ପତିଙ୍କ ମାମଲାର ତୁରନ୍ତ ଶୁଣାଣି ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏହି ମାମଲାର ତତ୍କାଳ ଶୁଣାଣି ପାଇଁ ସହମତି ପ୍ରକାଶ କରିଛନ୍ତି। କେରଳ ହାଇକୋର୍ଟଙ୍କ ରାୟ ବିରୋଧରେ ଏହ ସମଲିଙ୍ଗି ଦମ୍ପତି ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ମାମଲାରେ ସିଜେଆଇଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଆଜି ହିଁ ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି।
କେରଳ ହାଇକୋର୍ଟ ତାଙ୍କ ରାୟରେ ଏହି ଦମ୍ପତିଙ୍କ ମଧ୍ୟରୁ ଜଣଙ୍କୁ ମନୋବିଜ୍ଞାନିକ ପରାମର୍ଶ ଦେବାକୁ କହିଥିଲେ। ହାଇକୋର୍ଟ ତାଙ୍କ ଠାରେ ଥିବା ଯୌନ ଇଛାକୁ ଅନୁଭବ କରି ଏପରି କହିଥିଲେ। ସୁପ୍ରିମକୋର୍ଟରେ ଯାଚିକାକର୍ତ୍ତାଙ୍କ ଓକିଲ କହିଥିଲେ କି, ୨୦୨୩ ଜାନୁଆରୀ ୧୩ରେ ହାଇକୋର୍ଟଙ୍କ ରାୟ ଆସିଥିଲା।
ତେବେ ଯାଚିକାକର୍ତ୍ତାଙ୍କ ପକ୍ଷରୁ କୁହାଯାଇଛି କି, ତାଙ୍କ ସାଥୀଙ୍କୁ ତାର ପରିବାର ବଳପୂର୍ବକ ବନ୍ଦୀ କରି ରଖିଛନ୍ତି। ଏମିତି କି, କେରଳ ହାଇକୋର୍ଟର ଶୁଣାଣି ଭର୍ଚ୍ୟୁଆଲ ମୋଡରେ ହୋଇଥିଲା। ସେତେବେଳେ ମଧ୍ୟ ତାଙ୍କ ସାଥୀ ତାଙ୍କୁ ଭଲପାଉଥିବା ତଥା ତାଙ୍କ ସହ ରହିବାକୁ ଚାହୁଁଥିବା ଜଣାଇଥିଲେ। ଏହା ସତ୍ତ୍ବେ କୋର୍ଟ ସେମାନଙ୍କ ଅଧିକାର ସମ୍ପର୍କରେ ଚିନ୍ତା ନ କରି ତାଙ୍କ ସାଥୀଙ୍କୁ ମନୋବିଜ୍ଞାନୀଙ୍କ ପରାମର୍ଶ ପାଇଁ ନିର୍ଦ୍ଦେଶ ଦେଇଥିଲେ।