ସମଲିଙ୍ଗି ବିବାହକୁ ମାନ୍ୟତା: ଫେବୃଆରୀ ୧୫ ସୁଦ୍ଧା କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ: ଶୁକ୍ରବାର ସମଲିଙ୍ଗି ବିବାହକୁ ଆଇନଗତ ମାନ୍ୟତା ଦେବା ଉପରେ ଦେଶବ୍ୟାପୀ ଥିବା ସମସ୍ତ ହାଇକୋର୍ଟରେ ପଡିରହିଥିବା ମାମଲାଗୁଡିକୁ ଏକାଠି ଯୋଡିବା ସହ ନିଜ ଅଧୀନକୁ ନେଇଛନ୍ତି ସୁପ୍ରିମ କୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ପି ଏସ ନରସିଂହା ଓ ଜଷ୍ଟିସ ଜେ ବି ପର୍ଦିୱାଲାଙ୍କ ଖଣ୍ଡପୀଠ ଆସନ୍ତା ମାର୍ଚ୍ଚରେ ମାମଲାର ଶୁଣାଣି କରିବାକୁ ସୂଚିବଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କେନ୍ଦ୍ରକୁ ସମସ୍ତ ଯାଚିକା ଉପରେ ମିଶ୍ରିତ ଜବାବ ଫେବୃଆରୀ ୧୫ ସୁଦ୍ଧା ଦାଖଲ କରିବାକୁ କହିଛନ୍ତି।
ଯଦି କୌଣସି ଯାଚିକାକର୍ତ୍ତା କୋର୍ଟ ସମ୍ମୁଖରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ଯୁକ୍ତି କରି ନ ପାରନ୍ତି, ତେବେ ଭର୍ଚୁଆଲ ମୋଡରେ ସାମିଲ ହୋଇ ପାରିବେ ବୋଲି ଯାଚିକାକର୍ତ୍ତାଙ୍କୁ ଛୁଟ ଦେଇଛନ୍ତି କୋର୍ଟ। କୋର୍ଟ ଉଭୟ କେନ୍ଦ୍ର ଓ ଯାଚିକାକର୍ତ୍ତାଙ୍କ ଓକିଲଙ୍କୁ ମାମଲା, ଆଇନ ଓ ପ୍ରଥମିକତା ବା ଏମଧ୍ୟରୁ କୌଣସି ବ୍ୟାପାରରେ ଲିଖିତ ଦସ୍ତାବିଜ କୋର୍ଟଙ୍କ ସମ୍ମୁଖରେ ରଖିବାକୁ କହିଛନ୍ତି।
ଖଣ୍ଡପୀଠ କେନ୍ଦ୍ରର ଓକିଲଙ୍କୁ ମାମଲାରେ ଯେମିତି କୌଣସି ଜଣେ ବି ଯାଚିକାକର୍ତ୍ତା ଛାଡ ନ ପାଆନ୍ତି ଓ ସମସ୍ତ ଯାଚିକାକର୍ତ୍ତାଙ୍କ ବିବରଣୀ ପ୍ରସ୍ତୁତ ହୋଇଥିବା ସଂକଳନରେ ସାମିଲ ହୋଇଥିବା ସୁନିଶ୍ଚିତ କରନ୍ତୁ।
ସଲିସିଟର ଜେନେରାଲ ତୁଷାର ମେହତା ଖଣ୍ଡପୀଠଙ୍କ ସମ୍ମୁଖରେ କହିଥିଲେ କି, ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମ୍ମୁଖରେ ଦୁଇଟି ବିକଳ୍ପ ରହିଛି, ଗୋଟିଏ ଯାଚିକାର ଶୁଣାଣି ହାଇକୋର୍ଟରେ ହେବାକୁ ଅଛି, ଏହାର ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି ବା ସମସ୍ତ ଯାଚିକାକୁ ଏକତ୍ରୀତ କରି ନିଜ ପାଖକୁ ଆଣିପାରନ୍ତି।ତେବେ ବହୁ ଯାଚିକାକର୍ତ୍ତାଙ୍କ ପକ୍ଷରୁ ସେମାନଙ୍କ ଓକିଲ ଜଣାଇଥିଲେ କି, ସମସ୍ତ ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର କରାଯାଇ ଶୁଣାଣି ହେଉ।
ଜାନୁଆରୀ ୩ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଜାନୁଆରୀ ୬ରେ କରିବାକୁ କହିବା ସହ ବିଭିନ୍ନ ହାଇକୋର୍ଟରେ ପଡିରହିଥିବା ମାମଲାଗୁଡିକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।