
ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ବୈଜ୍ଞାନିକମାନେ ପାଇଛନ୍ତି ଏକ ବିଚିତ୍ର ପ୍ରାଣୀ, ଯାହାକୁ ବିଶ୍ବରେ ଅନ୍ୟତ୍ର କେଉଁଠାରେ ଦେଖିବାକୁ ମିଳିପାରି ନାହିଁ। ଏହି ଦୁର୍ଲଭ ଜୀବର ଶରୀର ପ୍ରାୟ ୯ ଫୁଟର। ଜୀବର ଗୋଟିଏ ମୁଣ୍ଡରେ ଏକାଧିକ ସୁଣ୍ଢର ଗୁଚ୍ଛ ଆକୃତି ସହ ଏକ ଲମ୍ବା ଲାଞ୍ଚ ରହିଛି। ବୈଜ୍ଞାନିକମାନେ ଏହି ବିରଳ ପ୍ରଜାତିର ଜୀବକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ଓ ଏହାକୁ ନେଇ ଆରମ୍ଭ ହୋଇଛି ଅଧିକରୁ ଅଧିକ ଅନୁସନ୍ଧାନ। ଏହି ଆଶ୍ଚର୍ଯ୍ୟଚକିତ କରୁଥିବା ଜୀବନଟିକୁ ଇ/ଭି ନ୍ୟୁଟିଲସ ନାମକ ରିମୋଟ ଚାଳିତ ସାମୁଦ୍ରିକ ଯାନ ଖୋଜି ବାହାର କରିଛି। ଏହାର ଏ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛି ଯାନ। ବେସରକାରୀ ସଂସ୍ଥା ଓଶନ ଏକ୍ସପ୍ଲୋରେସନ ଟ୍ରଷ୍ଟ ଏହି ସାମୁଦ୍ରିକ ଯାନ ଦ୍ବାରା ଗଭୀର ସମୁଦ୍ରରେ ଗବେଷଣା କରିଆସୁଛି।
ଜୀବଟି ୯ ଫୁଟ ଲମ୍ବର ହୋଇଥିବା ବେଳେ ଏହାର ସୁଣ୍ଢ ପ୍ରାୟ ୧୬ ଇଞ୍ଚର।ସୁଣ୍ଢକୁ ଦେଖିଲେ ଲାଗିବ ଯେମିତି କୌଣସି ନରମ ଗୋଲାକାର ଉପରେ କଣ୍ଟାର ଗୁଚ୍ଛ ରହିଛି। ଏହି ଗୁଚ୍ଛ ଦ୍ବାରା ହିଁ ଜୀବଟି ପାଣିରେ ପହଁରିଥାଏ, ଖାଇଥାଏ। ଚଳିତ ମାସ ସାତ ତାରିଖରେ ଜୀବଟିକୁ ଗଭୀର ସମୁଦ୍ରରେ ଖୋଜା ଯାଇଥିଲା। ଏହା ପ୍ରଶାନ୍ତ ମହାସାଗରର ପ୍ରାୟ ୯୮୨୩ ଫୁଟ ଗଭୀରରେ ଥିଲା। ବୈଜ୍ଞାନିକମାନେ ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ସୋଲମବେଲୁଲା ମୋନୋସିଫେଲସ ପ୍ରଜାତିର ଭାବିଥିଲେ। ତେବେ ଏହି ଜୀବଟି ଜେଲିଫିସ, ହାଇଡ୍ରା ଓ କୋରଲ ଶ୍ରେଣୀରେ ଆସୁଥିବା ଜଣାପଡିଛି।
- ଶିଳା ରାୟଙ୍କ ରିପୋର୍ଟ