ବିଶ୍ୱ

କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ହେଲେ ସାଉଦି ପ୍ରଧାନମନ୍ତ୍ରୀ

ଦୁବାଇ:  ସାଉଦିର ପ୍ରଧାନମନ୍ତ୍ରୀ ହେଲେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ। ସାଉଦି ଆରବର ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ ସାଉଦ ରାଜପ୍ରସାଦରୁ ଗୋଟିଏ ନିର୍ଦ୍ଦେଶାନାମା ଜାରି କରି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆ ଯାଇଥିବା ସୂଚନା ଦିଆଯାଇଛି।

ତେବେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଓରଫ ଏମବିଏସଙ୍କ ବିରୋଧରେ ରହିଛି ଏକାଧିକ ମାମଲା। ଏମବିଏସ ଆମେରିକା ସାମ୍ୱାଦିକ ଜମାଲ କାସୋଗୀଙ୍କୁ ହତ୍ୟା ପାଇଁ ଅନୁମତି ଦେଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଆମେରିକା ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଥିଲା। ଏହାକୁ ନେଇ ତୈଳ ସମ୍ପଦରେ ପରିପୂର୍ଣ୍ଣ ସାଉଦି ଆରବର ଛବି ପୂରା ବିଶ୍ୱରେ ମଳିନ ପଡିଥିଲା। ହତ୍ୟାକାଣ୍ଡ ଘଟଣାରେ ସଲମାନ ଛନ୍ଦି ହୋଇ ଯାଇଥିଲେ। ତଥାପି ଏବେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ପାଇଛନ୍ତି।

୨୦୧୭ରେ ସେ କ୍ରାଉନ ପ୍ରିନ୍ସ ହେବା ପରେ ପ୍ରଥମେ ନିଜର ପ୍ରତିଦ୍ୱନ୍ଦୀମାନଙ୍କୁ ସାଇଡ କରିଥିଲେ। ଏଥିସହ ଆର୍ଥିକ, ସାମାଜିକ ଓ ଧାର୍ମିକ ନୀତିରେ ଅନେକ ପରିବର୍ତ୍ତନ ଆଣିଥିଲେ। ଦେଶ ପାଇଁ ଅନେକ ଗଠନମୂଳକ ପଦକ୍ଷେପ ନେଇଥିଲେ ମଧ୍ୟ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ନିଜର ସମାଲୋଚନାକୁ ଆଦୌ ସହ୍ୟ କରନ୍ତି ନାହିଁ। ତାଙ୍କୁ ସମାଲୋଚନା କରୁଥିବା ବରିଷ୍ଠ ମୌଲବୀ, ସାମାଜିକ କର୍ମୀ ଓ ରାଜ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନଜିର ମଧ୍ୟ ରହିଛି। 

Related Articles

Leave a Reply

Your email address will not be published.

Back to top button