ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ: ୬୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ଶକ୍ତିଶାଳୀ ଭୂମିକମ୍ପ। ଭୂମିକମ୍ପରେ ଧରାଶାୟୀ ସୁଉଚ୍ଚ କୋଠା। ରାସ୍ତା ଘାଟରେ ଫାଟ। ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ଯୁଆଡେ ଚାହିଁବ, ସିଆଡେ ମୃତ୍ୟୁର ତାଣ୍ଡବ। ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ମପାଯାଇଛି। ଏଥିରେ ୬୦୦ରୁ ଅଧିକଙ୍କ ଯାଇଛି ଜୀବନ।
ସ୍ଥାନୀୟ ସମୟ ଅନୁଯାୟୀ, ଭୋର ୪.୧୭ରେ ତୁର୍କୀର ଦକ୍ଷିଣ ପୂର୍ବାଞ୍ଚଳ ଭୂମିକମ୍ପରେ ଥରି ଉଠିଥିଲା। ଲୋକେ ଶୋଇଥିବା ଅବସ୍ଥାରେ ଏହି ଭୂମିକମ୍ପ ହୋଇଥିବାରୁ ସେମାନେ କିଛି ବୁଝିବା ପୂର୍ବରୁ ଏହି ପ୍ରାକୃତିକ ଦୁର୍ବିପାକ ରଚିସାରିଥିଲା ତାଣ୍ଡବ। ଏହାର କେନ୍ଦ୍ର ନୁରଦାଗି ସହରର ପୂର୍ବକୁ ୨୬ କିମି ଦୂରରେ ରହିଥିବା ବେଳେ ୧୭.୯ କିମି ଗଭୀର ଥିଲା। । ଭୂମିର କମ୍ପନ ପ୍ରାୟ ଏକ ମିନିଟ ଧରି ଅନୁଭୂତ ହୋଇଥିଲା। ଘରର ଝରକା ଭାଙ୍ଗି ଯାଇଥିଲା। ଏଥିରେ ୬୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ସଂଖ୍ୟା ଆଗକୁ ମଧ୍ୟ ବଢିବାର ଆଶଙ୍କା କରାଯାଉଛି।
ତୁର୍କୀ ମିଡିଆ ରିପୋର୍ଟ ମୁତାବକ ମଲାତ୍ୟା କ୍ଷେତ୍ରରେ ୧୩୦ କୋଠା ଭୁଶୁଡି ପଡିଥିବା ବେଳେ ଡିୟାରବାକିର ଅଞ୍ଚଳରେ ୧୬ କୋଠା ଧରାଶାୟୀ ହୋଇଛି। ୨୮୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪୦ ଆହତ ହୋଇଛନ୍ତି। ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି।
ସେହିପରି ଉତ୍ତର ସିରିଆରେରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଅଧିକ ଆହତ ହୋଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଲେପ୍ପୋରେ ବହୁ କୋଠା ଭୁଶୁଡି ପଡିଛି। ଭୂମିର କମ୍ପନ ଏତେ ଶକ୍ତିଶାଳୀ ଥିଲା କି ଏହାର ପ୍ରଭାବ ଲେବାନୋନ ଓ କିପ୍ରସରେ ମଧ୍ୟ ଅନୁଭୂତ ହୋଇଛି।
ତୁର୍କୀ ରାଷ୍ଟ୍ରପତି ରେସିପ ଟାୟିପ ଏର୍ଡୋଗାନ ଟ୍ବିଟ କରି କହିଛନ୍ତି କି, ଲୋକଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଭୂମିକମ୍ପ ପରେ ହିଁ ଆରମ୍ଭ ହୋଇଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଭଙ୍ଗା ଘରୁ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଶୋକ ବ୍ୟକ୍ତ କରିବା ସହ ତୁର୍କୀକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ତୁର୍କୀ ସରକାରକୁ ପ୍ରସ୍ତାବ ଦେଇଛନ୍ତି।