ରତ୍ନଭଣ୍ଡାର ଯାଞ୍ଚ କମିଟିର ଆଜି ଦ୍ବିତୀୟ ବୈଠକ , ରତ୍ନଭଣ୍ଡାର ଖୋଲିବା ଉପରେ ହେବ ଚୂଡ଼ାନ୍ତ ନିଷ୍ପତ୍ତି

Spread the love

ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ଆଜି ଦ୍ବିତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ରତ୍ନଭଣ୍ଡାର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବାର ଥିବାରୁ ଏହା ଅନେକ ଗୁରୁତ୍ବ ବହନ କରୁଛି। ରତ୍ନଭଣ୍ଡାର ଖୋଲିବା ନେଇ ଆଜି ବୈଠକରେ ଉପସ୍ଥାପିତ ହେବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଚାବି କମିଟି ଆଗରେ ଦାଖଲ କରିବେ। ରତ୍ନଭଣ୍ଡାର ଚାବି ବି କେମିତି ଖୋଲାଯିବ, ବୈଠକରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ। ଯେହେତୁ ୨୦୧୮ ମସିହାଠାରୁ ରତ୍ନଭଣ୍ଡାର ଚାବିକୁ ନେଇ ଭକ୍ତଙ୍କ ମହଲରେ ସନ୍ଦେହ ଉଦ୍ରେକ ହୋଇଛି, ମଙ୍ଗଳବାର ବୈଠକରେ ଚାବି ଉପସ୍ଥାପନ ପରେ ଭକ୍ତଙ୍କ ଏହି ସନ୍ଦେହ କିଛିକାଂଶରେ ଦୂର ହେବ ବୋଲି ଆଶା କରାଯାଉଛି।

ପୂର୍ବରୁ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ୧୨ଜଣିଆ କମିଟିକୁ ଭାଙ୍ଗି ରାଜ୍ୟ ସରକାର ଜଷ୍ଟିସ ଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ନୂଆ ରତ୍ନଭଣ୍ଡାର ଯାଞ୍ଚ କମିଟି ଗଠନ କରିଛନ୍ତି। କମିଟି ଗଠନ ପରେ ଏହାର ପ୍ରଥମ ବୈଠକ ଗତ ୬ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତ୍ତି ହୋଇଥିଲା କି ମଙ୍ଗଳବାର ଅର୍ଥାତ ୯ ତାରିଖ ବୈଠକରେ ରତ୍ନଭଣ୍ଡାର ଖୋଲିବା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ରତ୍ନଭଣ୍ଡାର କେମିତି ଖୋଲାଯିବ ତାର ରୂପରେଖ ପ୍ରସ୍ତୁତ ହେବ। ଯେଉଁସବୁ ଚାବି ରହିଛି, ମଙ୍ଗଳବାର ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଉପସ୍ଥାପନ କରାଯିବ। ଯାଞ୍ଚ ପରେ ଯଦି ଚାବିରେ ରତ୍ନଭଣ୍ଡାର ଖୋଲିବା ସମ୍ଭବ ନହୁଏ ଅବା କଳଙ୍କି ଲାଗି ଯାଇଥିବ, ତା’ହେଲେ ରତ୍ନଭଣ୍ଡାର ତାଲା ଭାଙ୍ଗାଯିବ। ଏଥିପାଇଁ ସ୍ବତନ୍ତ୍ର ଏସ୍‌ଓପି ପ୍ରସ୍ତୁତ ହେବ। ମଙ୍ଗଳବାର ବୈଠକରେ ଏହି ଏସ୍‌ଓପି ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସେହିଭଳି ରତ୍ନଭଣ୍ଡାର ମରାମତି ଆବଶ୍ୟକ କରୁଥିବାରୁ ଖୋଲିବା ପରେ ଏଥିରେ ଥିବା ସମସ୍ତ ଅଳଙ୍କାର ଅନ୍ୟତ୍ର ସ୍ଥାନାନ୍ତର ହେବ। ଆବଶ୍ୟକ ପଡ଼ିଲେ, ଏକ ଅସ୍ଥାୟୀ ଗୃହ ନିର୍ମାଣ ହେବ। ଶ୍ରୀମନ୍ଦିର ପରିଚାଳନା କମିଟି ଏ ସଂପର୍କିତ ଏସ୍‌ଓପି ପ୍ରସ୍ତୁତ କରିବ। ଏଥିସହ କେଉଁମାନେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି କରିବେ, ସେମାନଙ୍କ ତାଲିକା ବି ପରିଚାଳନା କମିଟି ଦେବ। ଏଣୁ ଆଜି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *