
ପୁଷ୍ଟିହୀନତାରୁ କଲବଲ ହୋଇ ଶିଶୁଙ୍କ ଜୀବନ ଯାଉଛି। ଅଥଚ ପ୍ରଶାସନ ନୀରବଦ୍ରଷ୍ଟା ହୋଇ ବସିଛି। କେବଳ ଆଜିକାର କଥା ନୁହେଁ। ଗଲା ୧୬ ବର୍ଷ ଧରି ମହାରାଷ୍ଟ୍ରର ମେଲଘାଟରେ ଥିବା ଆଦିବାସୀ ପଡ଼ାରେ ପୁଷ୍ଟିହୀନତାରୁ ମୃତ୍ୟୁର ବିଭୀଷିକା ଜାରି ରହିଛି। କଅଣ କରୁଛନ୍ତି ସରକାର। ଅମରାବତୀ ଜିଲ୍ଲା ପ୍ରଶାସନ କାହିଁକି ଏଥିରେ ଲଗାମ ଲଗାଇପାରୁନି। ଏଭଳି ଶବ୍ଦରେ ବମ୍ୱେ ହାଇକୋର୍ଟ ଚିନ୍ତାପ୍ରକଟ କରିବା ସହ କାହିଁକି ମୃତ୍ୟୁ ସଂଖ୍ୟା ହ୍ରାସ ପାଇନି ବୋଲି ସରକାରଙ୍କୁ ପଚାରିଛନ୍ତି। ପୁଷ୍ଟିହୀନତାରେ ପିଲାଙ୍କ ଜୀବନ ଯାଉଛି କହି ୨୦୦୬ରୁ ଅଦାଲତରେ ଜନସ୍ୱାର୍ଥ ମାମଲା ହେଲାଣି। ସେହିଭଳି ପାଲଘର ଜିଲ୍ଲାରେ ଜଣେ ମାଆ ନିଜର ଦୁଇ ଜାଆଁଳା ଛୁଆଙ୍କୁ ଅକାଳରେ ହରାଇଦେଲା। କାରଣ ବୋଟୋସି ଗାଁରେ କୌଣସି ହସ୍ପିଟାଲ ନଥିଲା। ଏ କଥାକୁ ବି ମୁଖ୍ୟ ବିଚାରପତି ନିଜ ଦୃଷ୍ଟିକୁ ଆଣିଛନ୍ତି। ମୁଖ୍ୟ ବିଚାରପତି ଦିପଙ୍କର ଦତ୍ତା, ଜଷ୍ଟିସ ଏମ.ଏସ. କାର୍ଣ୍ଣିକଙ୍କ ଖଣ୍ଡପୀଠ ଏହାର ଶୁଣାଣୀ କରିଥିଲେ।
ମେଲଘାଟ ଅଞ୍ଚଳରେ ବିଶେଷଜ୍ଞ ଡାକ୍ତର, ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଯୋଗାଣ ସହ ପିଲା ଓ ଗର୍ଭବତୀଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ଆବେଦନକାରୀ ଅଦାଲତର ହସ୍ତକ୍ଷେପ ଲୋଡ଼ିଥିଲେ। ଆବେଦନକାରୀ ଡକ୍ଚର ରାଜେନ୍ଦ୍ର ବର୍ମାଙ୍କ ଓକିଲ ଜେ.ଟି. ଗିଲଡା କୋର୍ଟକୁ ଜଣାଇଥିଲେ କି, ଜୁଲାଇ ୧୫ରୁ ଅଗଷ୍ଟ ୧୫ ମାସକ ଭିତରେ ଗୋଟିଏ ଗାଁରେ କେବଳ ୧୮ ପିଲାଙ୍କ ମୃତ୍ୟୁ ହୋଇଛି। ଅବଶ୍ୟ ସେ ଅଞ୍ଚଳରେ ଡାକ୍ତର ନିଯୁକ୍ତ ହୋଇଛନ୍ତି। କିନ୍ତୁ ସେମାନଙ୍କ ଭିତରୁ ୫୦ ପ୍ରତିଶତ ଡାକ୍ତର ଡ୍ୟୁଟିରେ ଜଏନ କରିନାହାନ୍ତି। ଯଦିଓ ଡାକ୍ତରଙ୍କୁ ମୋଟା ତଥା ଆକର୍ଷଣୀୟ ଦରମା ଦିଆଯାଉଛି। ଏହାକୁ ଶୁଣି ଜଷ୍ଟିସ କାର୍ଣ୍ଣିକ ଅନୁପସ୍ଥିତ ତଥା ଡ୍ୟୁଟିରେ ଜଏନ କରିନଥିବା ସମସ୍ତ ଡାକ୍ତରଙ୍କ ତାଲିକା ମାଗିଛନ୍ତି। ଯଦି ଏହା ସତ ତେବେ ସାଙ୍ଘାତିକ। କେବଳ ଏତିକି ନୁହେଁ। ଅଧିକାଂଶ ମୃତ୍ୟୁ ପଛରେ ପାଣି ବି ଦାୟୀ ବୋଲି କହିଛନ୍ତି ଆଇନଜୀବି ଗିଲ୍ଡା। ବିଶୁଦ୍ଧ ପାଣି ଟିକକ ମିଳୁନି। କାରଣ ପଞ୍ଚାୟତ ଉପରେ ବିଦ୍ୟୁତ୍ ବିଲ୍ ବାକି ଥିବାରୁ ଲାଇନ୍ କଟିଯାଇଛି। ସେଥିଲାଗି ଟ୍ୟାପ୍ ଯୋଗେ ପାଣି ମିଳୁନି। ଆଦିବାସୀ ଅଧିକାର ଉପରେ ଲଢୁଥିବା ଜଣେ ଆକ୍ଟିଭିଷ୍ଟ ବନ୍ଦୁ ସାମପାତ୍ରୋ ସାଣେ କହିଛନ୍ତି କି, ଗଲା ଡିସେମ୍ୱରରୁ ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଆସୁନାହାନ୍ତି।
କାରଣ ଡାକ୍ତରଙ୍କ ରହିବା ଲାଗି କୌଣସି ସୁବିଧା କରିନି ପ୍ରଶାସନ। ନନ୍ଦୁରବାର ଜିଲ୍ଲାରେ ବି ପୁଷ୍ଟିହୀନତାରୁ ଅନେକ ଶିଶୁ ମରିଛନ୍ତି। ଯେ ପର୍ଯ୍ୟନ୍ତ ମୁମ୍ୱାଇରେ ବସି ଅଫିସର ସମୀକ୍ଷା କରୁଥିବେ ଓ ଗ୍ରାଉଣ୍ଡକୁ ଯାଇନାହାନ୍ତି, ସେଯାଏ ପିଲା ଏମିତି ମରୁଥିବେ ବୋଲି କ୍ଷୋଭର ସହ ଅଦାଲତ ଆଗରେ କହିଛନ୍ତି ଆକ୍ଟିଭିଷ୍ଟ। ଏ ସବୁ ଶୁଣି ଆଡଭୋକେଟ ଜେନେରାଲଙ୍କୁ ଅଦାଲତ ନିର୍ଦେଶ ଦେଇଛନ୍ତି କି, ତୁରନ୍ତ ଏହାକୁ ରୋକିବାକୁ ଦୀର୍ଘମିଆଦୀ ଓ ସ୍ୱଳ୍ପମିଆଦୀ ଖସଡ଼ା ସରକାର ପ୍ରସ୍ତୁତ କରନ୍ତୁ। ମାମଲାର ପରବର୍ତ୍ତୀ ଶୁଣାଣୀ ସେପ୍ଟେମ୍ୱର ୧୨ରେ କରିବାକୁ ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି। କିନ୍ତୁ ଏହାରି ଭିତରେ ପୁଷ୍ଟିହୀନତାରୁ ବଢ଼ୁଥିବା ମୃତ୍ୟୁ ସଂଖ୍ୟାକୁ କିଭଳି ତ୍ୱରିତ ରୋକାଯାଇପାରିବ, ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ସରକାର ବୋଲି ନିର୍ଦେଶ ଦେଇଛନ୍ତି।
- ପ୍ରଦୀପ ନାୟକଙ୍କ ରିପୋର୍ଟ