ପାଖେଇ ଆସୁଛି ଫଗୁଣ ପୂର୍ଣ୍ଣିମା,ଚଳଚଞ୍ଚଳ ଗାଁଠୁ ସହର

ପାଖେଇ ଆସୁଛି ଫଗୁଣ ପୂର୍ଣ୍ଣିମା । ଆଉ ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର । ଏହି ପୂର୍ଣ୍ଣିମା ଦିନ ଓଡିଶାର ପ୍ରତ୍ୟେକ ଘରେ ଓ ଦେବାଦେବୀ ମନ୍ଦିର ମାନଙ୍କରେ ନୁଆ ବନ୍ୟଜାତ ଫଳ ଆମ୍ବ,ଚାର,ମହୁଲ ସହ ଗୁଡ଼ରେ ତିଆରି ସାକରପଟି କୁ ଭୋଗ ଲଗାଯାଏ । ତେବେ ବର୍ଷକରେ ଥରେ ଏହି ସାକରପଟିର ଚାହିଦା ଥିବାରୁ ଭଲ ଦି’ ପଇସା ରୋଜଗାର ଆଶାରେ ବରଗଡ଼ ଜିଲ୍ଲାର ଗୁଡ଼ିଆ ସମ୍ପ୍ରଦାୟ ଲୋକେ  ଏବେଠାରୁ ଲାଗି ପଡିଛନ୍ତି ଏହାକୁ ତିଆରି କାମରେ ।

ଫଗୁଣ ପୂର୍ଣ୍ଣମୀ ଦିନ ବିଭିନ୍ନ ଦେବାଦେବୀ ମନ୍ଦିରରେ ମୁଖ୍ୟ ଭୋଗ ରୂପେ ଲାଗି ହୋଇଥାଏ ସାକରପଟି । କ କେବଳ ପୂର୍ଣ୍ଣମୀନୁହଁ, ଚୈତ୍ରମାସର ମଙ୍ଗଳବାର ଦିନ ହେଉଥିବା ମା ମଙ୍ଗଳାଙ୍କ ପୂଜାରେ ଭୋଗ ରୂପେ ଲାଗିହୁଏ  ଏହି ସାକରପଟି । ବିଶେଷତଃ ପଶ୍ଚିମ ଓଡ଼ିଶାରେ ଏହାର ଚାହିଦା ବେଶୀ ରହିଥିବା ବେଳେ ଗୁଡ଼ିଆ ସମ୍ପ୍ରଦାୟର ଲୋକେ ଏହାକୁ ତିଆରି କରିଥାନ୍ତି । ପ୍ରଥମେ ଭେଲା ଗୁଡକୁ ଅଳ୍ପ ପରିମାଣର ପାଣି ଦେଇ ମାଟି ହାଣ୍ଡି ଦ୍ୱାରା ନିଆଁରେ ଫୁଟାଯାଏ । ଗୁଡ଼ ଫୁଟି ଗଲା ପରେ ତାକୁ ତେଲ ଦିଆଯାଇଥିବା ପଥର ଶିଳରେ ଢଳାଯାଇ ଥଣ୍ଡା କରାଯାଏ  । ଥଣ୍ଡା ହେବା ପରେ ତାକୁ ଏକ ଗୋଜିଆ ଖମ୍ବରେ ରଖି ଟଣାଯାଏ । ଧୀରେ ଧୀରେ ଏହାର ରଙ୍ଗ ପରିବର୍ତ୍ତନ ହୋଇ ସୁନା ରଙ୍ଗ ପରି ଦେଖାଯାଏ ।ଏହାପରେ ନିଆଁରେ ଦେଖାଇ ତାକୁ ସୁତା ପରି ବାହାର କରାଯାଏ ଏବଂ ତାକୁ ବିଭିନ୍ନ ଆକୃତି ଦେଇ ସାକରପଟି ତିଆରି କରାଯାଏ । ସାକରପଟି ତିଆରି ହେବାପରେ ତାକୁ ଓଦା କନାରେ ଗୋଡ଼ାଇ ଥଣ୍ଡା କରାଯାଏ ଓ ପରେ ତାକୁ ଖରାରେ ଶୁଖାଇ ବଜାରକୁ ବିକ୍ରୟ କରିବା ପାଇଁ ନିଆଯାଏ । ଏହି କାମରେ ପରିବାରର ଛୋଟ ଛୁଆ ଠାରୁ ଆରମ୍ଭକରି ବୃଦ୍ଧ ପର୍ଯ୍ୟନ୍ତ ନିୟୋଜିତ ରହିଥାନ୍ତି ।

ଏହି ସାକରପଟି ମୁଖ୍ୟତଃ ଜିଲ୍ଲାର ଅତାବିରା ବ୍ଳକ ଲସ୍ତଲା ଗ୍ରାମର ଗୁଡ଼ିଆ ସଂପ୍ରଦାୟର ଲୋକ ତିଆରି କରିଥାନ୍ତି।  ପୂର୍ବ ପୁରୁଷରୁ ସାକରପଟି ତିଆରୀକୁ ନିଜର କୌଳିକ ବୃତ୍ତି ଭାବେ ଆଦରି ନେଇଥିବା ଏହି ଗୁଡ଼ିଆ ପରିବାର ପ୍ରତିବର୍ଷ ଏହିଦିନକୁ ଅପେକ୍ଷା କରି ରହିଥାନ୍ତି ଏବଂ ଗୋଟିଏ ମାସ ପୂର୍ବରୁ  ଏହି କାମରେ ଲାଗି ପଡ଼ିଥାନ୍ତି । ଗୋଟିଏ ଦିନରେ ୧୫ ରୁ ୨୦ କେଜି ପର୍ଯ୍ୟନ୍ତ ସାକରପଟି ତିଆରି କରିଥାନ୍ତି । ଫଗୁଣ ପୂର୍ଣ୍ଣିମା ଏବଂ ଚୈତ୍ର ମାସରେ ଏହାର ଚାହିଦା ଥିବାରୁ  ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ସହିତ ଛଡ଼ିଶଗଡ଼ ରାଜ୍ୟରୁ ବେପାରି ମାନେ ସାକରପଟି ନେବାକୁ ଏହି ଲସ୍ତଲା ଗ୍ରାମକୁ ଆସିଥାନ୍ତି ।  ତେବେ ଭଲ ଗୁଡ଼ ଓ କାଠର ଅଭାଵ ସାଙ୍ଗକୁ  ପରିଶ୍ରମ ମୁତାବକ ଉଚିତ ଲାଭ ମିଳୁନଥିବା ଅଭିଯୋଗ କରିଛନ୍ତି । ଏଣୁ ଗ୍ରାମର ଅନେକ ଗୁଡ଼ିଆ ସଂପ୍ରଦାୟ ପରିବାର ସାକରପଟି ତିଆରି ଛାଡି ଦେଇଥିବା ଦେଖିବାକୁ ମିଳିଛି । ତଥାପି ଗ୍ରାମର କିଛି ଗୁଡ଼ିଆ ସମ୍ପ୍ରଦାୟର ଲୋକେ ଏହାକୁ ବଞ୍ଚାଇ ରଖିଛନ୍ତି ।  

ଏହି ସାକରପଟିର ପ୍ରଚାର ପ୍ରସାର, ବଜାର ବ୍ୟବସ୍ଥା ସହ ସରକାରୀ ପ୍ରୋସାହନ ଯୋଗାଇ ଦେଲେ ଆଗକୁ ଅନେକ ଲୋକେ ଏହାକୁ ତିଆରି କରିବା ସହ ନିଯୁକ୍ତି ମଧ୍ୟ ସୃଷ୍ଟି ହୁଅନ୍ତା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *