ଗାଡିର ତେଲକୁ ନେଇ ହେବ ଜରିମାନା

ନୂଆଦିଲ୍ଲୀ: ଗାଡ଼ିରେ ତେଲ ନାହିଁ କି। ନା ଯେତିକି ତେଲ ରହିବା କଥା ସେତିକି ଭରିନ। ତା ହେଲେ ଏଥିଲାଗି କଟିବ ଚାଲାଣ। ଟ୍ରାଫିକକୁ ଦେବାକୁ ପଡ଼ିବ ଟଙ୍କା। ଅର୍ଥାତ୍ ସିଧା ଭାଷାରେ କହିବାକୁ ଗଲେ ଭରିବ ଜରିମାନା। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। କାରଣ ଏଭଳି ଭୋଗିସାରିଛନ୍ତି ଚାଳକ ଓ ଏଭଳି କଟିସାରିଛି ଚାଲାଣ। ଚାଳକ ଜଣକ ଟ୍ରାଫିକ୍ ଚାଲାଣକୁ ଫେସବୁକରେ ପୋଷ୍ଟ କରିବା ପରେ ଏହି ଘଟଣା ଏବେ ପଦାକୁ ଆସିଛି। ଯାହାକୁ ନେଇ ସବୁଠି ଉତ୍ସୁକତା ଲାଗିରହିଛି।
କେରଳର ଜଣେ ଚାଳକକୁ ଏମିତି ଏକ ଟ୍ରାଫିକ୍ ଚାଲାଣ ମିଳିଛି, ଯାହାକୁ ଦେଖି ସେ ହତଚକିତ ହୋଇଯାଇଛନ୍ତି। ପର୍ଯ୍ୟାପ୍ତ ତେଲ ନଥିବାରୁ ଟ୍ରାଫିକ ଫାଇନ୍ କାଟିଛି। ଏମିତିରେ ଟ୍ରାଫିକ୍ ଚାଲାଣରୁ ବର୍ତ୍ତିବାକୁ ସଚେତନ ଚାଳକ ନିଜ ପାଖରେ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ ପ୍ରମାଣପତ୍ର, ହେଲମେଟ୍ ଓ ଗାଡ଼ିର ସମସ୍ତ କାଗଜପତ୍ର ରଖିଥାଆନ୍ତି। ତା ସତ୍ତ୍ୱେ ବି ଏହି ଚାଳକ ଜଣକ ଟ୍ରାଫିକ ଚାଲାଣରୁ ତ୍ରାହି ପାଇନାହାନ୍ତି। କାରଣ ନିଜ ଗାଡ଼ିରେ କମ୍ ପେଟ୍ରୋଲ୍ ଭର୍ତ୍ତି କରିଥିଲେ। ଗାଡ଼ିରେ ପର୍ଯ୍ୟାପ୍ତ ତେଲ ନ ଥାଇ କାହିଁକି ଚଲାଉଥିଲ ଗାଡି କହି ଟ୍ରାଫିକ୍ ତାଙ୍କୁ ଜରିମାନା ଦେବାକୁ ଚାଲାଣ ପଠାଇଛି। ଏହି ଇ-ଚାଲାଣରେ ୨୫୦ ଟଙ୍କା ବାନ୍ଧିବାକୁ କୁହାଯାଇଛି। ତୁଲସୀ ଶ୍ୟାମ ନାମକ ଯୁବକ ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ମୋଟରସାଇକେଲ ଚଲାଉଥିଲେ। ନିଜର କର୍ମସ୍ଥଳୀକୁ ଯାଉଥିଲେ ଶ୍ୟାମ୍। କିନ୍ତୁ ସେ ରଙ୍ଗରୁଟ୍ ରେ ଯାଉଥିଲେ। ଏଥିଲାଗି ୨୫୦ ଟଙ୍କା ଜରିମାନା ଦେବାକୁ କହିଥିଲା ଟ୍ରାଫିକ୍। ଭୁଲ୍ କରିଥିବାରୁ ଏହାକୁ ଭରିବାକୁ ବି ରାଜି ହୋଇଥିଲେ ଶ୍ୟାମ୍। କିନ୍ତୁ ଯେତେବେଳେ କର୍ମସ୍ଥଳରେ ପହଞ୍ଚିଲେ, ଟ୍ରାଫିକ୍ ଚାଲାଣ ସ୍ଲିପ୍ ଦେଖି ହଡ଼ବଡ଼େଇ ଗଲେ ଚାଳକ। କାରଣ ଚାଲାଣ କଟିଥିବାର କାରଣ ଦର୍ଶାଯାଇଥିଲା କି, ପର୍ଯ୍ୟାପ୍ତ ତେଲ ବିନା ଯାତ୍ରୀଙ୍କୁ ଗାଡ଼ିରେ ନେଇକି ଯାଉଥିବାରୁ ଚାଳକଙ୍କୁ ଏହି ଜରିମାନା ଦାଖଲ କରିବାକୁ ପଡ଼ିଛି।
- ପ୍ରଦୀପ ନାୟକଙ୍କ ରିପୋର୍ଟ