ଛାଭଲା ଦୁଷ୍କର୍ମ ଓ ହତ୍ୟା ମାମଲା: ତିନି ଦୋଷୀଙ୍କୁ ଦୋଷମୁକ୍ତ କଲେ ସର୍ବୋଚ୍ଚ କୋର୍ଟ
ନୂଆଦିଲ୍ଲୀ: ୨୦୧୨ ଛାଭଲା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ତିନି ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ରଦ୍ଦ କରିବା ସହ ସେମାନଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ଏହି ମାମଲାକୁ ଦ୍ବିତୀୟ ନିର୍ଭୟା ମାମଲା କୁହାଯାଉଥିଲା। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ ହାଇକୋର୍ଟଙ୍କ ଦଣ୍ଡାଦେଶକୁ ରଦ୍ଦ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ, ଜଷ୍ଟିସ ଏସ ରବୀନ୍ଦ୍ର ଭଟ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।
୨୦୧୨ରେ ଘଟିଥିବା ଛାଭଲା ରେପ ଆଣ୍ଡ ମର୍ଡର ଘଟଣା ସେତେବେଳେ ହଇଚଇ ସୃଷ୍ଟି ସୃଷ୍ଟି କରିଥିଲା। ଏହି ମାମଲାକୁ ଦ୍ବିତୀୟ ନିର୍ଭୟା ମମଲା କୁହାଯାଇଥାଏ। ଅଭିଯୁକ୍ତ ରବି କୁମାର, ରାହୁଲ ଓ ବିନୋଦ ଜଣେ ଯୁବତୀଙ୍କୁ ପ୍ରଥମେ ଅପହରଣ କରି ନେଇଥିଲେ। ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିଷ୍ଠୁରତା ସହ ହତ୍ୟା କରିଥିଲେ। ପୀଡିତାଙ୍କ କ୍ଷତ ବିକ୍ଷତ ଶରୀର ହରିୟାଣାର ରେବାଡି ଅଞ୍ଚଳରେ ଏକ ଜମିରୁ ମିଳିଥିଲା।
ଅଭିଯୁକ୍ତମାନେ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ପରେ କାରର ଯନ୍ତ୍ରାଂଶରେ ଆକ୍ରମଣ କରିଥିଲେ। ଏହି ମାମଲାରେ ୨୦୧୪ରେ ଦ୍ବାରକା କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡ ଶୁଣାଇଥିଲେ। ପରେ ୨୦୨୪ ଅଗଷ୍ଟ ୨୬ରେ ଦିଲ୍ଲୀ ହାଇକୋର୍ଟ ଦ୍ବାରକା କୋର୍ଟଙ୍କ ରାୟକୁ ବଳବତ୍ତର ରଖିଥିଲେ।
ଏହା ବିରୋଧରେ ଅଭିଯୁକ୍ତମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ, ଜଷ୍ଟିସ ଏସ ରବୀନ୍ଦ୍ର ଭଟ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ସହ ସେମାନଙ୍କୁ ଦୋଷ ମୁକ୍ତ କରିଛନ୍ତି।
ସେପଟେ ଏହି ରାୟ ପରେ ପୀଡିତା ପରିବାର ଦୁଃଖରେ ଭାଙ୍ଗାପଡିଛନ୍ତି। ଏପରି ରାୟକୁ ପୀଡିତା ପରିବାର ପକ୍ଷରୁ ଅନ୍ଧ ଆଇନ ବ୍ୟବସ୍ଥାର ଆଖ୍ୟା ଦିଆଯାଇଛି। ୧୨ ବର୍ଷ ଧରି ଆଇନଗତ ଲଢେଇ ଲଢିବା ପରେ ଏପରି ରାୟକୁ ନେଇ ସେମାନେ କହିଛନ୍ତି, ଅଭିଯୁକ୍ତମାନେ କୋର୍ଟ ଭିତରେ ସେମାନଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ। କିନ୍ତୁ ଆଜି କୋର୍ଟ ସେମାନଙ୍କୁ ମୁକ୍ତ କରିଛନ୍ତି। ଏହା ଅନ୍ଧ ବ୍ୟବସ୍ଥାର ପରିଣତି। ତେବେ ଆମେ ଆମ ଲଢେଇ ଜାରି ରଖିବୁ।