କୋର୍ଟଜାତୀୟ

ପୁଣି କଲେଜିୟମ ସିଷ୍ଟମ ଉପରେ ବର୍ଷିଲେ ଆଇନମନ୍ତ୍ରୀ

ନୂଆଦିଲ୍ଲୀ: ତୁଟୁନି ସରକାର ଓ ନ୍ୟାୟପାଳିକାର ବିବାଦ। ପୁଣି ମୁହାଁମୁହିଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତି ଓ ଆଇନ ମନ୍ତ୍ରୀ। ସୁପ୍ରିମକୋର୍ଟ କଲେଜିୟମ ଦ୍ବାରା ବିଚାରପତି ନିଯୁକ୍ତିକୁ ନେଇ ସୁପାରିଶ ପରେ ଆଇନ ମନ୍ତ୍ରୀ ବର୍ଷିଛନ୍ତି ନ୍ୟାୟପାଳିକା ଉପରେ। କିଛି ପୂର୍ବତନ ବିଚାରପତି ଓ ସାମାଜିକକର୍ମୀ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ଭାରତୀୟ ନ୍ୟାୟପାଳିକାରକୁ ବିରୋଧୀଙ୍କ ପାଇଁ ଉପଯୋଗ କରୁଛନ୍ତି। ସେପଟେ ଆଇନ ମନ୍ତ୍ରୀଙ୍କ ବୟାନ ପରେ ସିଜେଆଇ କହିଛନ୍ତି ମୋର ଏସବୁ ବିବାଦରେ ଫସିବାର ନାହିଁ।

ବିଚାରପତି ନିଯୁକ୍ତିକୁ ନେଇ ବର୍ଷିଲେ ଆଇନମନ୍ତ୍ରୀ। କଂଗ୍ରେସ ପ୍ରତି ରହୁଛି ନ୍ୟାୟପାଳିକାର ପକ୍ଷପାତିତା। ବିରୋଧୀଙ୍କ ସପକ୍ଷରେ ନ୍ୟାୟପାଳିକାର କରାଯାଉଛି ବ୍ୟବହାର।ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଟୁଡେର କନକ୍ଲେଭରେ ଯୋଗ ଦେବା ଅବସରରେ ଆଇନ ମନ୍ତ୍ରୀ କିରଣ ରିଜିଜୁ କଲେଜିୟମ ସିଷ୍ଟମ ଦ୍ବାରା ବିଚାରପତି ନିଯୁକ୍ତିକୁ କଟାକ୍ଷ କରିଛନ୍ତି। ଏହା କଂଗ୍ରେସର ମନ୍ଦଉଦ୍ଦେଶ୍ୟର ପରିଣତି ବୋଲି କହିଥିଲେ ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଥିଲେ କି ସେ ସୁପ୍ରିମକୋର୍ଟର ବର୍ତ୍ତମାନ ବିଚାର ପତି, ବିଗତ ବିଚାରପତି ଓ ସମସ୍ତ ବିଚାରପତିଙ୍କ ସହ ଏକ ମଧୁର ସମ୍ପର୍କ ରଖିଛନ୍ତି। ସମ୍ପ୍ରତି ଅଳ୍ପ କିଛି ପୂର୍ବତନ ବିଚାରପତି… ହୁଏତ ତିନି ବା ଚାରି ଜଣ ଓ କିଛି ଓକିଲ ଭାରତ ବିରୋଧୀ ଗୋଷ୍ଠୀର ଅଂଶ ଭାବେ କାମ କରୁଛନ୍ତି। ଏମାନେ ଭାରତୀୟ ନ୍ୟାୟବ୍ୟବସ୍ଥାକୁ ବିରୋଧୀଙ୍କ ଦୃଷ୍ଟିଭଙ୍ଗିକୁ ନେଇ କାମ କରାଇବାକୁ ଚେଷ୍ଟା କରୁଛନ୍ତି। ମନ୍ତ୍ରୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ କି, କିଛି ନ୍ୟାୟପାଳିକାକୁ ଯାଇ ସରକାରର କାର୍ଯ୍ୟଧାରା ଉପରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛନ୍ତି। ସରକାରୀ ନୀତିରେ ପରିବର୍ତ୍ତନ ଆଣିବାକୁ କହୁଛନ୍ତି। ସେମାନେ ଚାହୁଁଛନ୍ତି କି, ନ୍ୟାୟପାଳିକା ବିରୋଧୀର କାର୍ଯ୍ୟ କରୁ, ଯାହା କେବେ ହେବ ନାହିଁ। ରିଜିଜୁ ଆହୁରି କହିଥିଲେ କି, ବିଚାରପତିମାନେ କୌଣସି ଗୋଷ୍ଠୀ ବା ରାଜନୈତିକ ସମ୍ବନ୍ଧର ଅଂଶ ନୁହଁନ୍ତି। କିପରି ସେମାନେ ଖୋଲାଖୋଲି କହିବେ କି, ଭାରତୀୟ ନ୍ୟାୟପାଳିକା ସରକାର ଉପରେ ଆଧିପତ୍ୟ ବିସ୍ତାର କରୁ। ସେଥିପାଇଁ ଆମ ସମ୍ବିଧାନରେ ଏକ ଲକ୍ଷ୍ମଣରେଖା ରହିଛି। ଏହା କି ପ୍ରକାର ପ୍ରୋପାଗଣ୍ଡା ବୋଲି ଆଶ୍ଚର୍ଯ୍ୟବ୍ୟକ୍ତ କରିଥିଲେ ଆଇନମନ୍ତ୍ରୀ। ସେପଟେ ଆଇନମନ୍ତ୍ରୀଙ୍କ ବୟାନ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନାକରିଦେଇଥିଲେ ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଡି ୱାଇ ଚନ୍ଦ୍ରଚୂଡ।

ବିଚାରପତି ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରୀ କହିଥିଲେ କି, ବିଚାରପତି ନିଯୁକ୍ତି  କ୍ଷେତ୍ରରେ ଚୂଡାନ୍ତ ପ୍ରକ୍ରିୟାକରଣ ପାଇଁ ନ୍ୟାୟପାଳିକାର କୌଣସି ଭୂମିକା ନାହିଁ। ତେବେ ପରବର୍ତ୍ତୀ ସମୟରେ ଏହା କଂଗ୍ରେସ ଦଳର ମନ୍ଦ ଉଦ୍ଦେଶ୍ୟ ପାଇଁ ହୋଇଥିଲା। ଏହାକୁ ଲୋକେ କହିଥିଲେ ନ୍ୟାୟପାଳିକାର ସୀମା ଅତିକ୍ରମଣ । ତା ପରେ କଲେଜିୟମ ସିଷ୍ଟମ ରୂପ ନେଇଥିଲା।ବର୍ତ୍ତମାନ ସରକାରର ସ୍ଥିତି ସ୍ପଷ୍ଟ କି, କଲେଜିୟମ ସିଷ୍ଟମ ତାର ସ୍ଥାନରେ ରହିଛି। ଯେପର୍ଯ୍ୟନ୍ତ ଏକ ନୂଆ ସିଷ୍ଟମକୁ ଆରମ୍ଭ କରାଯାଇ ନାହିଁ, ଆମେ କଲେଜିୟମ ସିଷ୍ଟମକୁ ଅନୁପାଳନ କରିବୁ, କିନ୍ତୁ ବିଚାରପତି ନିଯୁକ୍ତି ନ୍ୟାୟିକ ନିର୍ଦ୍ଦେଶରେ ହେବ ନାହିଁ। ଏହା ସମ୍ପୂର୍ଣ୍ଣରୂପେ ପ୍ରଶାସନିକ କାର୍ଯ୍ୟ ବୋଲି ରିଜିଜୁ କହିଥିଲେ। ଏହି କନକ୍ଲେଭରେ ପୁଣି ଥରେ ଆଇନମନ୍ତ୍ରୀଙ୍କୁ କଲେଜିୟମ ସିଷ୍ଟମକୁ ନେଇ ମୁଖର ହେବା ଦେଖିବାକୁ ମିଳିଥିଲା। ତେବେ ପରେ ଡାଏସକୁ ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ଆସି କଲେଜିୟମ ସିଷ୍ଟମ ସପକ୍ଷରେ ବାଢିଥିଲେ ମତ। ନ୍ୟାୟପାଳିକାକୁ ସ୍ବାଧୀନ ରଖିବାକୁ କଲେଜିୟମର ସୃଷ୍ଟି। ଏହାକୁ ବାହ୍ୟ ଶକ୍ତିମାନଙ୍କ ଠାରୁ ଅଲଗା କରି ରଖିବା ଦ୍ବାରା ସମ୍ଭବ। ସିଜେଆଇ ଆହୁରି କହିଥିଲେ କି, ଜଣେ ବିଚାରପତି ଭାବେ ସିଷ୍ଟମକୁ ଆମକୁ ଯେଉଁ ଭାବେ ଦିଆଯାଇଛି ତାକୁ ଗ୍ରହଣ କରିଛି। ମୁଁ କହୁନାହିଁ କି, ପ୍ରତ୍ୟେକ ବ୍ୟବସ୍ଥା ସଠିକ, କିନ୍ତୁ ଏହା ସର୍ବୋତ୍କୃଷ୍ଟ ବ୍ୟବସ୍ଥା, ଯାହାକୁ ଆମେ ବିକଶିତ କରିଛୁ। ସରକାର ଓ ନ୍ୟାୟପାଳିକା ମଧ୍ୟରେ ଜାରି ବିବାଦ ଭିତରେ ସୁପ୍ରିମକୋର୍ଟର ସିଜେଆଇ ସୁପ୍ରିମକୋର୍ଟ କଲେଜିୟମ ଦ୍ବାରା ସମ୍ବିଧାନିକ କୋର୍ଟଗୁଡିକରେ ବିଚାରପତି ନିଯୁକ୍ତିକୁ ନେଇ ସୁପାରିଶ ନାମସବୁ ଉପରେ ସରକାର ମଞ୍ଜୁରି ନ ଦେବାର କାରଣସବୁର ଖୁଲାସା କରିବା ଉପରେ ଅସନ୍ତୋଷ ବ୍ୟକ୍ତ ପୂର୍ବକ ରିଜିଜୁଙ୍‌କୁ ମଧ୍ୟ ଉତ୍ତର ଦେଇଥିଲେ। ସିଜେଆଇ କହିଥିଲେ କି, ତାଙ୍କର ନିଜ ଦୃଷ୍ଟିଭଙ୍ଗି ରହିଛି ଓ ମୋର ମଧ୍ୟ। ଦୁଇଟି ପରସ୍ପରଠାରୁ ଭିନ୍ନ ହୋଇପାରେ। ଏଥିରେ କୌଣସି ଭୁଲ ନାହିଁ। ଆମକୁ ଦୃଷ୍ଟିଭଙ୍ଗି ବିବିଧତା ଭିତରେ ନ୍ୟାୟ ବ୍ୟବସ୍ଥା ଭିତରେ ରହି କାମ କରିବାକୁ ହେବ। ଆମେ କେଉଁ ମାମଲାର କିପରି ସମାଧାନ କରିବୁ ଓ କେଉଁ ରାୟ ଦେବୁ ଏହାକୁ ନେଇ ଆମକୁ କେହି ବାଧ୍ୟ କରିପାରିବେ ନାହିଁ। ଏପରି ଆମ ସହକର୍ମୀଙ୍କ ସହ ମଧ୍ୟ ରାୟକୁ ନେଇ ଖୁଲାସା କରୁ ନାହିଁ। ଆମ ଭିତରେ ଏକ ସୀମା ରହିଛି। ଆମେ କଣ କରିବୁ ତାହା  ଆମକୁ ସଠିକ ଜଣା।  

ଏଥିସହ କିନ୍ନର ବରିଷ୍ଠ ଓକିଲ ସୌରଭ କିରପାଲଙ୍କୁ ବିଚାରପତି ନିଯୁକ୍ତିକୁ ନେଇ ଲାଗିରହିଥିବା ବିବାଦ ଉପରେ ସିଜେଆଇ କହିଥିଲେ କି, କୌଣସି ବିଚାରପି ପ୍ରାର୍ଥୀଙ୍କ ଯୌନ ବିବିଧତା ସହ ତାଙ୍କ ଦକ୍ଷତାର କୌଣସି କାର୍ଯ୍ୟ ନାହିଁ। ବିଚାରପତି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ପାରଦର୍ଶିତା, ଦକ୍ଷତା, ବରିଷ୍ଠତାକୁ ପ୍ରାଧାନ୍ୟ ଦିଆଯାଏ, ଯାହା କିରପାଲଙ୍କ ନିକଟରେ ରହିଛି। ଏଥିସହ ବିଚାରପତିଙ୍କ କାର୍ଯ୍ୟଦକ୍ଷତାକୁ ଦର୍ଶାଇବାକୁ ଯାଇ ସିଜେଆଇ କହିଥିଲେ, ଆମେରିକା ଓ ଅଷ୍ଟ୍ରେଲିଆ, ଏମିତିକି ସିଙ୍ଗାପୁରରେ ବର୍ଷରେ ସୁପ୍ରିମକୋର୍ଟ ୮୦ରୁ ୧୦୦ ଦିନ ଚାଲୁଥିବା ବେଳେ ଆମେ ସପ୍ତାହକ ଯାକ କାମ କରୁ। ଦଫତର ସମୟ କାଳ ପରେ ମଧ୍ୟ ଆମକୁ ସେହି କେଶ ସମ୍ବନ୍ଧିତ ଆଇନ କାନୁନର ପଠନ କରିବାକୁ ହୋଇଥାଏ ଅବସର ସମୟରେ। ଶନିବାର କୋର୍ଟ ବନ୍ଦ ଥିଲେ ମଧ୍ୟ ଆମେ ପରବର୍ତ୍ତୀ ରାୟର ଡ୍ରାପ୍ତ ପ୍ରସ୍ତୁତ କରୁ, ରବିବାର ଏହାକୁ ପୁନଃ ଅନୁଶୀଳନ କରି ସୋମବାର କୋର୍ଟରେ ଏହାକୁ ପାଠକରୁ। ସେହିପରି ନ୍ୟାୟପାଳିକା ଉପରେ କେନ୍ଦ୍ରର ଚାପକୁ ନେଇ ପ୍ରଶ୍ନ ଉପରେ ସିଜେଆଇ କହିଥିଲେ, ସରକାରୀ କଳର କାର୍ଯ୍ୟପାଳିକାରୁ କୌଣସି ପ୍ରକାରର ଚାପର ପ୍ରଶ୍ନ ଉଠୁନାହିଁ। ଯାହା ନିର୍ବାଚନ ଆୟୋଗ ମାମଲାରୁ ରାୟରୁ ପ୍ରମାଣିତ ହେଉଛି ବୋଲି ସିଜେଆଇ ଅତି ସହଜଭାବେ କହିଥିଲେ।

ତେବେ ଟାଇମ୍ସ ଅଫ ଇଣ୍ଡଆର କନକ୍ଲେଭ କାଳରେ ଆଇନମନ୍ତ୍ରୀଙ୍କ କଲେଜିୟମକୁ ଟାର୍ଗେଟ କିଛି ନୂଆ ନୁହେଁ। ସର୍ବଦା କଲେଜିୟମ ପ୍ରସଙ୍ଗରେ ଆଇନମନ୍ତ୍ରୀ ସତମୁଖର ହୋଇଉଠିଥାନ୍ତି, ଯାହା ନ୍ୟାୟପାଳିକା ଉପରେ ମୋଦି ସରକାରର ଚାପ ବୋଲି ଅନେକ ଅନୁଭବ କରିଥାନ୍ତି। ନିକଟରେ ମହାରାଷ୍ଟ୍ର ପ୍ରସଙ୍ଗରେ ସିଜେଆଇଙ୍କ ବିବୃତ୍ତିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା, ଯାହାକୁ ନ୍ୟାୟପାଳିକା ଉପରେ କୁଠାରାଘାତ ବୋଲି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡାଯାଇଥିଲା।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button