ବିଶ୍ୱ

ପାକ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ରାଲି ଉପରେ ଗୁଳିମାଡ

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ରାଲି ଉପରେ ଆକ୍ରମଣ। ବଜିରାବାଦର ଅଲ୍ଲାହ ହୋ ଚୌକ ନିକଟରେ ପିଟିଆଇ ଅଧ୍ୟକ୍ଷ ଇମରାନ ଖାନଙ୍କ କଣ୍ଟେନର ଉପରେ ଗୁଳିମାଡ ହୋଇଛି। କୌଣସି ବ୍ୟକ୍ତିର ଗୁଳିମାଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଇମରାନଙ୍କ ସମେତ ୭ଜଣ ଆହତ ହୋଇଛନ୍ତି। ଇମରାନଙ୍କ ଗୋଡରେ ଗୁଳି ବାଜିଥିବା ପାକ ମେଡିଆ ଖବରରୁ ଜଣାପଡିଛି। ଗୁଳି ଚଳାଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି।

ଗୁରୁବାର ଦିନ ଇମରାନଙ୍କ ରାଲି ଚାଲିଥିବା ବେଳେ ତାଙ୍କ କଣ୍ଟେନର ଉପରକୁ ଗୁଳି ମାଡ କରାଯାଇଥିଲା। ଏହା ପରେ ଇମରାନଙ୍କୁ କଣ୍ଟେନରରୁ ବାହାର କରି ବୁଲେଟ ପୁଫ କାରକୁ ନିଆଯାଇଥିଲା। ଏନେଇ ପିଟିଆଇ ନେତା ଫାରୁଖ ହବିବ ସୂଚନା ଦେଇଛନ୍ତି।  ଏହି ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଇମରାନଙ୍କ ସମେତ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ଇମରାନଙ୍କ ରାଲିର ସପ୍ତମ ଦିନ ଥିଲା। ପୂର୍ବ ଯୋଜନା ଅନୁଯାୟୀ, ସପ୍ତମ ଦିନରେ ରାଲିକୁ ଇସଲାମବାଦରେ ପହଞ୍ଚିବାର ଥିଲା।  ରାଲି ଲାହୋରରୁ ବାହାରିଥିଲା। ଗୁଳିମାଡ ଘଟଣାକୁ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ନିନ୍ଦା କରିବା ସହ ଇମରାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।  

ଏହି ଆକ୍ରମଣ ପରେ ପାକିସ୍ତାନର ରାଜନୀତିରେ ପୁଣି ଥରେ ରକ୍ତର ଖେଳ ଆରମ୍ଭ ହେବାର ଆଶଙ୍କା କରାଯାଉଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ରାଲିବେଳେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଆକ୍ରମଣରେ ସେ ଗୁରୁତର ହୋଇପଡିଥିଲେ ଓ ପରେ ତାଙ୍କ ମୃତ୍ୟୁ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button