ବିଶ୍ୱ

ଦକ୍ଷିଣ କୋରିଆରେ ହେଲୋୱିନ ପାର୍ଟି କାଳରେ ଦଳାଚକଟ…

() ହେଲୋୱିନ ପାର୍ଟି ବେଳେ ଦଳାଚକଟାରେ ଚାଲିଗଲା ୧୫୧ ଜୀବନ। ୧୦୦ରୁ ଅଧକ ଆହତ। ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ପାଇବାର ଆଶଙ୍କା। ଶନିବାର ରାତିରେ ଦକ୍ଷିଣ କୋରିଆର ରାଜଧାନୀ ସିୟୋଲରେ ହେଲୋୱିନ ପାର୍ଟି ଚାଲିଥିବା ବେଳେ ମାତ୍ରାଧିକ ଭିଡ କାରଣରୁ ଅନେକଙ୍କ ଠେଲାପେଲା ପାଇଁ ଶ୍ବାସକ୍ରିୟାରେ ଦେଖାଦେଇଥିଲା ସମସ୍ୟା। ହୃଦଘାତରେ ଟଳିପଡିଥିଲେ ସେହିଠାରେ। ହେଲୋୱିନ ପାର୍ଟି ସମୟରେ ହୋଇଥିବା ଦଳା ଚକଟା ବେଳେ  ଜୀବନ ବଞ୍ଚାଇବାକୁ ଲାଗିଥିବା କସରତର  ଦୃଶ୍ୟ ଥିଲା ଭୟଙ୍କର।

ହେଲୋୱିନ ପାର୍ଟି ଇସାଇ ଧର୍ମାବଲମ୍ବୀଙ୍କ ଏକ ପର୍ବ, ଯେଉଁଥିରେ ସେମାନେ ସେମାନଙ୍କ ପୂର୍ବଜଙ୍କ ଆବାହନ କରି ସେମାନଙ୍କୁ ସନ୍ତୁଷ୍ଟ କରିଥାନ୍ତି। କରୋନା ପାଇଁ ଦୁଇ ବର୍ଷ ଧରି ହେଲୋୱିନ ପାର୍ଟି ବନ୍ଦ ଥିବା ବେଳେ ଚଳିତ ବର୍ଷ କରୋନା କଟକଣା ନଥିବାରୁ ଲୋକଙ୍କ ଭିତରେ ହେଲୋୱିନ ପାର୍ଟି ପାଇଁ ରହିଛି ଉତ୍ସାହ ଓ ଆଗ୍ରହ।

ପୂର୍ବଜଙ୍କ ସ୍ମରଣରେ ଆୟୋଜିତ ପାର୍ଟି ପାଲଟିଗଲା ମରଣଯନ୍ତା। ଜୀବନ ବଞ୍ଚାଇବାକୁ ଭିଡ ଭିତରେ ଠେଲାପେଲା, ଦଳା ଚକଟାରେ ଚାଲିଗଲା ଶହ ଶହ ପ୍ରାଣ।  ଶନିବାର ରାତିରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଦକ୍ଷିଣ କୋରିଆର ରାଜଧାନୀ ସିୟୋଲଠାରେ ଅନୁଷ୍ଠିତ ହେଲୋୱିନ ପାର୍ଟିରେ। କରୋନା କାରଣରୁ ୨ ବର୍ଷ ଧରି ବନ୍ଦ ଥିବା ଏହି ପାର୍ଟି ପାଇଁ ଶନିବାର ଲୋକଙ୍କ ପ୍ରବଳ ଭିଡ ଜମିଥିଲା ଇଟାୱନଠାରେ।  ପାର୍ଟି ପାଇଁ ୪ ମିଟର ସଂକୀର୍ଣ୍ଣ ରାସ୍ତା ଉପରେ ୧ ଲକ୍ଷରୁ ଅଧିକ ଲୋକଙ୍କ ଭିଡ ଜମିଥିବା ବେଳେ ଅଣନିଶ୍ବାସୀ ହୋଇପଡିଥିଲେ ବହୁ ଲୋକ। ହଠାତ୍ ଅଚେତ ହୋଇ ପଡିଥିଲେ ଡର୍ଜନ ଡର୍ଜନ ଲୋକ । ତାପରେ ଚିତ୍ର ଥିଲା ସମ୍ପୁର୍ଣ୍ଣ ଭିନ୍ନ।

ହସ ଖୁସିର ମାହୋଲ ଭିତରେ ଆରମ୍ଭ ହୋଇଯାଇଥିଲା ଠେଲାପେଲା, ଦଳା ଚକଟା, ହୋ ହାଲ୍ଲା। ପ୍ରାଣ ରକ୍ଷା ପାଇଁ ଆର୍ତ ଚିତ୍କାରରେ ଫାଟିପଡିଲା ଅଣଓସାରିଆ ସ୍ଥାନଟି। ଆନନ୍ଦ ଉଲ୍ଲାସର ସ୍ଥଳିରେ ଶୁଭିଲା କାନ୍ଦବୋବାଳି। ଖବର ପାଇ ତୁରନ୍ତ ସେଠାରେ ମେଡିକାଲ ଓ ପୁଲିସ ଟିମ ପହଞ୍ଚି ଥିଲା। ୫୦ରୁ ଅଧିକ ଲୋକଙ୍କୁ ରାସ୍ତା ଉପରେ ପଡିଥିବା ଦେଖାଯାଇଥଲା।  ଅନେକ ରାସ୍ତା ଉପରେ ଛଟପଟ ହେଉଥିବା ବେଳେ ଅନେକ ନିଶ୍ଚେତ ହୋଇ ପଡିଥିଲେ।  ସେହିଠାରେ ହିଁ ପୁଲିସ ଓ ଡାକ୍ତର ସେମାନଙ୍କ ଛାତିକୁ ପମ୍ପିଂ କରିଥିଲେ। ହୃତପିଣ୍ଡକୁ କାର୍ଯ୍ୟକ୍ଷମ କରିବାର ଆପ୍ରାଣ ପ୍ରୟାସ ଚାଲିଥିଲା ରାସ୍ତା ଉପରେ। ସିୟୋଲରେ ଘଟିଥିବା ଦଳଚଟକା ବେଳେର ଏମିତି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି ଭିଡିଓରେ ।

  ଏହି ଦୁର୍ଘଟଣାକୁ ନେଇ ଦକ୍ଷିଣ କୋରିଆ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି କି, ରାଜଧାନୀ ସିୟୋଲରେ ହେଲୋୱିନ ଫେଷ୍ଟିଭାଲ ଚାଲିଥିବା ବେଳେ ଏକ ସଂକୀର୍ଣ୍ଣ ରାସ୍ତାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଗଲା।  ଫଳରେ ବହୁ ଲୋକଙ୍କ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖା ଦେଇଥିଲେ। ଏହା ପରେ ପ୍ରାଣ ରକ୍ଷା ପାଇଁ ଚାଲିଥିଲା ପ୍ରୟାସ ଭିତରେ ଠେଲାପେଲାରୁ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ସେଠାକାର ଅଗ୍ନିଶମ ଅଧକାରୀ ଚୋଇ ଚେଓନ ସିକ କହିଛନ୍ତି କି, ଶନିବାର ରାତିରେ ଇଟାୱନ ଲେଜର ଜିଲ୍ଲାରେ ହେଲୋୱିନ ପାର୍ଟି ସମୟରେ ହୋଇଥିବା ଦଳା ଚକଟାରେ ପ୍ରାୟ ୧୦୦ ଜଣ ଆହତ ହୋଇଥିବା ବେଳେ ପ୍ରାୟ ୫୦ ଜଣଙ୍କର ହୃଦ୍‌ଘାତ ହୋଇଥିଲା, ଯେଉଁମାନଙ୍କର ଏବେ ଚିକିତ୍ସା ଚାଲିଛି। ଚୋଇ ଆହୁରି କହିଛନ୍ତି, ସ୍ଥିତିକୁ ଦେଖି ମନେ ହେଉଛି କି, ସିୟୋଲର ହେମିଲ୍ଟନ ହୋଟେଲ ନିକଟରେ ଏକ ସଂକୀର୍ଣ୍ଣ ଗଳିରେ ଭିଡ କାରଣରୁ କିଛି ଲୋକ ଦଳାଚକଟାରେ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣା ପରେ ସେଠାକୁ  ୪୦୦ରୁ ଅଧିକ ଜରୁରୀକାଳୀନ ସେବା କର୍ମଚାରୀ ଓ ୧୪୦ ଆମ୍ବୁଲାନ୍ସ ମୁତୟନ ହୋଇଥିଲେ।

ସେପଟେ ଜଣେ ପୁଲିସ ଅଧିକାରୀଙ୍କ ମୁତାବକ, ପୁଲିସକୁ ଇଟାୱନ ରାସ୍ତାରେ ହେଲୋୱିନ ପାର୍ଟି ସମୟରେ ପ୍ରବଳ ଭିଡ କାରଣରୁ ଧାଁ ଦୌଡ, ଦଳାଚକଟାର ସୂଚନା ମିଳିଥିଲା। କିଛି ସ୍ଥାନୀୟ ମିଡିଆ ରିପୋର୍ଟରେ କୁହାଯାଇଛି କି,  ହେମିଲ୍ଟନ ହୋଟେଲରେ ହେଲୋୱିନ ପାର୍ଟି ପାଇଁ କିଛି ସେଲିବ୍ରିଟିଙ୍କ ସମାଗମ ହୋଇଥିବା ଖବର ପାଇ ଅସମ୍ଭବ ଭିଡ ସଂକୀର୍ଣ୍ଣ ଗଳି ରାସ୍ତାରେ ଜମା ହୋଇଥିଲା।  ୪ ମିଟର ଓସାର ଗଳିରେ ପ୍ରାୟ ୧ ଲକ୍ଷ ଲୋକ ଜମା ହୋଇଥିଲେ। ତେବେ ଏହି ଅଘଟଣ ପରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁ ସୁକ ୟେଓଲ ଏକ ବୟାନ ଜାରି କରି ଅଧିକାରୀଙ୍କୁ ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସିୟୋଲ ପାର୍ଟି ଦୁର୍ଘଟଣା ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି। ବିଶ୍ବର ବିଭିନ୍ନ ଦେଶର ବଡ ବଡ ନେତା ଶୋକବ୍ୟକ୍ତ କରିଛନ୍ତି। ନିକଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ଋଷି ସୁନକ ଶୋକ ବ୍ୟକ୍ତ କରିଛନ୍ତି। ଆମର ସମସ୍ତ ସମବେଦନା ସିୟୋଲରେ ଘଟିଥିବା ଅଘଟଣର ପୀଡିତଙ୍କ ପରିବାର ଓ ସମସ୍ତ ସାଉଥ କୋରିଆ ଅଧିବାସୀଙ୍କ ସହ  ରହିଥିବା ସେ ଟ୍ବିଟ କରି କହିଛନ୍ତି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଘଟଣାକୁ ନେଇ ଶୋକ ପ୍ରକାଶ କରି କହିଛନ୍ତି କି, ଜିଲ ଓ ମୁଁ ସିୟୋଲରେ ନିଜର ଲୋକଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛୁ। ଆମେ ଏହି ଦୁଃଖର ସମୟରେ ଦକ୍ଷିଣ କୋରିଆ ଲୋକଙ୍କ ସହ ରହିଛୁ ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ। ଆମେରିକା ଦକ୍ଷିଣ କୋରିଆ ସହ ଠିଆହୋଇିଥିବା ବାଇଡେନ କହିଛନ୍ତି। ସେହିପରି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ, ଫ୍ରାନ୍ସ ରାଷ୍ଟ୍ରପତି ଇମୋନୁଏଲ ମୈକ୍ରୋ ମଧ୍ୟ ଦୁଃଖ ବ୍ୟକ୍ତ କରିଛନ୍ତି।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button