ବିଶ୍ୱ

ଅନ୍ତରାଷ୍ଟ୍ରୀୟସ୍ତରରେ ବଢୁଛି ଭାରତର ଗୁରୁତ୍ବ!

() ପୋଲାଣ୍ଡ ଉପରେ ମିଶାଇଲ ଆକ୍ରମଣର ପ୍ରଭାବ ଦେଖିବାକୁ ମିଳିଛି ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ଶୀଖର ସମ୍ମିଳନୀରେ। ମିଶାଇଲ ଆକ୍ରମଣର ସୂଚନା ମିଳିବା ପରେ ଜି-୨୦ ସମ୍ମିଳନୀର କାର୍ଯ୍ୟକ୍ରମରେ ହୋଇଛି ପରିବର୍ତ୍ତନ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି-୭ ଓ ନାଟୋ ଦେଶ ସହ ଆପତ୍ତକାଳୀନ ବୈଠକ କାରଣରୁ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ବିଳମ୍ବରେ ଆରମ୍ଭ ହୋଇଛି।

ବାଲିରେ ପୋଲାଣ୍ଡ ମିଶାଇଲ ଆକ୍ରମଣର ପ୍ରଭାବ। ଜି-୨୦ ସମ୍ମିଳନୀର ଦ୍ବିତୀୟ ଦିନ ଆରମ୍ଭ ହେଉ ହେଉ ପୋଲାଣ୍ଡ ଉପରେ ଏକ ମିଶାଇଲ ମାଡରେ ଦୁଇ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ସମ୍ପର୍କିତ ଖବର ମିଳିଥିଲା। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ତଥା ନାଟୋ ରାଷ୍ଟ୍ରର ଜି ୨୦ ସଦସ୍ୟ ବିଚଳିତ ହୋଇଯାଇଥିଲେ। ଏହାକୁ ନେଇ ଜୋ ବାଇଡେନ ଡକାଇଥିଲେ ଜି- ୭ ଓ ନାଟୋ ରାଷ୍ଟ୍ର ସହ ଜରୁରୀକାଳୀନ ବୈଠକ। ଏହାକୁ ନେଇ ଆଜି ଦିନର ସମସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ବିଳମ୍ବ ହୋଇଥିଲା। ତେବେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଅବଶ୍ୟ ପରେ ଜଣାପଡିଥିଲା ପୋଲାଣ୍ଡରେ ପଡିଥିବା ମିଶାଇଲ୍ ଋଷର ନ ଥିଲା, ଥିଲା ୟୁକ୍ରେନର। ସେପଟେ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଜି-୨୦ ରାଷ୍ଟ୍ରମାନେ ଏକ ଡ୍ରାପ୍ଟ ପ୍ରସ୍ତୁତ କରିଛନ୍ତି। ସବୁଠାରୁ ବଡ କଥା, ଏହି ଡ୍ରାପ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁମନ୍ତ୍ର ଉପରେ ଆଧାରିତ। ଦୁଇ ମାସ ତଳେ ସମରକନ୍ଦରେ ଋଷ  ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ହୋଇଥିବା ସାକ୍ଷାତକାରରେ ମୋଦି ଯାହା କହିଥିଲେ, ଡ୍ରାପ୍ଟରେ ତାକୁ ପ୍ରାଧାନ୍ୟ ଦିଆଯାଇଛି।

ବର୍ତ୍ତମାନର ଯୁଗ ନୁହେଁ ଯୁଦ୍ଧର। ଯୁଦ୍ଧର ପ୍ରଭାବ ବିଶ୍ବ ବିକାଶ ଉପରେ ପଡିଛି। ବିଶ୍ବବ୍ୟାପୀ ମାନ୍ଦାବସ୍ଥା ଜାରି ରହିଛି। ସପ୍ଲାଇ ଚେନ ନଷ୍ଟ ହୋଇଛି, ଶକ୍ତି କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି। ଖାଦ୍ୟାଭାବ ଦେଖାଦେଇଛି ବୋଲି ଡ୍ରାପ୍ଟରେ ଉଲ୍ଲେଖ କରାଯାଇଛି। ଏଥିସହ ଋଷ ବାରମ୍ବାର ପରମାଣୁ ଧମକ ଦେବା ଉପରେ ଜି-୨୦ ଅସନ୍ତୋଷ ବ୍ୟକ୍ତ କରିଛି। ତେବେ ଜି-୨୦ରେ ୟୁକ୍ରେନ ଋଷ ଯୁଦ୍ଧ ବନ୍ଦ କରିବାକୁ ହୋଇଥିବା ଡ୍ରାପ୍ଟରେ ମୋଦିଙ୍କ ଉକ୍ତିକୁ ଉଲ୍ଲେଖ କରିବା ଏକ ବଡ ସନ୍ଦେଶ ଦେଉଛି। ବିଶ୍ବ ଭାରତ ତଥା ମୋଦିଙ୍କ ଚିନ୍ତାଧାରାକୁ ସମ୍ମାନ ଦେଉଛି, ମାନିଛି ତଥା ମୋଦିଙ୍କ ନେତୃତ୍ବ ଉପରେ ଆଜି ସାରା ବିଶ୍ବର ନଜର ଥିବା ପରି ମନେ ହେଉଛି। ଜି ୨୦ର ପ୍ରଥମ ଦିନରେ ମଧ୍ୟ ମୋଦି ତାଙ୍କ ବକ୍ତବ୍ୟରେ କୂଟନୀତିକ ରାସ୍ତା ବାହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ। ମୋଦି ସମସ୍ତ ସମସ୍ୟାର ସମାଧାନ ପାଇଁ ଆଲୋଚନାକୁ ପ୍ରାଧାନ୍ୟ ଦେଇଛନ୍ତି।

ସେପଟେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ନେଇ ଦେଶରେ ରାଜନୀତି ମୁଣ୍ଡ ଟେକିଛି। କଂଗ୍ରେସ ଏହାକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛି। ଏହି ସାକ୍ଷାତକାରକୁ କଂଗ୍ରେସ ପକ୍ଷରୁ ଲାଲ ଆଖିରୁ ଲାଲ କୁର୍ତ୍ତା  ପର୍ଯ୍ୟନ୍ତର ଯାତ୍ରା କୁହାଯାଇଛି। ଟ୍ବିଟରେ ଜି-୨୦ରେ ଜିନପିଙ୍ଗ ଓ ମୋଦିଙ୍କ ସାକ୍ଷାତ କାଳର ଭିଡିଓ ସହ ଗଲୱାନର ଚିତ୍ର ତଥା ୨୦୨୦ରେ ଗଲୱାନରେ ଚୀନ ସେନା ସହ ଲଢେଇରେ ପ୍ରାଣବଳୀ ଦେଇଥିବା ବୀର ସହିଦଙ୍କ ନାମ ଦିଆଯାଇଛି। ଏହି ସାକ୍ଷାତକାରକୁ କଂଗ୍ରେସ ଭିନ୍ନ ଦୃଷ୍ଟିରେ ଦେଖୁଛି। ଜିନପିଙ୍ଗଙ୍କୁ ସାକ୍ଷାତକାଳରେ ମୋଦି ଓ ଜିନପିଙ୍ଗ ତଥା ଅନ୍ୟ ଅତିଥିମାନେ ରାତ୍ରୀ ଭୋଜନ ପାଇଁ ଇଣ୍ଡୋନେସିଆର ପାରମ୍ପରିକ ପୋଷାକ ପିନ୍ଧିଥିଲେ, ଯାହା ଲାଲ ରଙ୍ଗର ଥିଲା। ଏହାକୁ ନେଇ କଂଗ୍ରେସ ଲାଲ କୁର୍ତ୍ତା ପର୍ଯ୍ୟନ୍ତର ଯାତ୍ରା ବୋଲି ଟ୍ବିଟରେ ଉଳ୍ଲେଖ କରିଛି। ତେବେ ରାତ୍ର ଭୋଜନ ପାଇଁ ଜି ୨୦ ନେତୃବୃନ୍ଦ ଏକାଠି ହୋଇଥିଲେ। ସେତିକି ବେଳେ ଉଭୟ ନେତାଙ୍କ ଆଖି ପରସ୍ପର ସହ ମିଶିଥିଲା। ଜିନପିଙ୍ଗ ନିଜ ଆଡୁ ମୋଦିଙ୍କ ଆଡକୁ ଆଗେଇ ଯାଇଥିଲେ। ତେଣୁ ମୋଦି ମଧ୍ୟ ଔପଚାରିକତା ଦୃଷ୍ଟିରୁ କିଛି ପାଦ ଆଗକୁ ଯାଇଥିଲେ ଓ ଉଭୟ ନେତା ପରସ୍ପର ସହ ହାତ ମିଳାଇଥିଲେ। ଗଲୱାନ ସଂଘର୍ଷ ପରେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର ଥିଲା। ଏବେ ଦେଖିବାକୁ ରହିଲା କଂଗ୍ରେସ ଏହାକୁ ନେଇ କି ରାଜନୀତି ଖେଳୁଛି।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button