ବିଶ୍ୱ

ଅଶାନ୍ତ ବ୍ରାଜିଲ

() ଅଶାନ୍ତ ବ୍ରାଜିଲ। ହିଂସାରେ ଜଳୁଛି ବ୍ରାଜିଲ୍। ରାଷ୍ଟ୍ରପତି ଭବନରୁ ନେଇ ସଂସଦ , ସଂସଦରୁ ସୁପ୍ରିମକୋର୍ଟ, ସବୁଠି ପ୍ରତିବାଦର ନିଆଁ। ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥନରେ ପ୍ରାୟ ୩୦୦୦ରୁ ଅଧିକ ସମର୍ଥକଙ୍କ  ବ୍ୟାପକ ଭଙ୍ଗାରୁଜା ସହ ପୋଡାଜଳା ଦେଶରେ ସୃଷ୍ଟି କରିଛି ଅସ୍ଥିରତା। ବ୍ରାଜିଲ୍‌ରେ ନିକଟରେ ହୋଇଥିବା ନିର୍ବାଚନରେ ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ବୋଲସୋନାରୋଙ୍କୁ ଅତି କମ୍ ଭୋଟରେ ହରାଇ ରାଷ୍ଟ୍ରପତି ହୋଇଥିଲେ। ହେଲେ ଏହି ପରାଜୟକୁ ସ୍ୱୀକାର କରିପାରି ନାହାନ୍ତି ବୋଲସୋନାର ଓ ତାଙ୍କ ସମର୍ଥକ। ଯାହାକୁ ନେଇ ଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଦେଶରେ ସଂସଦ ଓ ନ୍ୟାୟାଳୟ ଉପରେ ଆକ୍ରମଣ କରିଛନ୍ତି ବୋଲ୍‌ସୋନାର ସମର୍ଥକ।

ବ୍ରାଜିଲ୍‌ରେ ଉପୁଜିଛି ଆମେରିକା ଭଳି ପରିସ୍ଥିତି। ହଳଦିଆ ଓ ସବୁଜ ପତାକା ଧରି ଆନ୍ଦୋଳନକାରୀ ଗର୍ଜିଛନ୍ତି ସବୁଠି। ଦେଶର ପୂର୍ବତନ ରାଷ୍ଟ୍ରପତି ଜାଏର ବୋଲୋସୋନାରୋଙ୍କ ସମର୍ଥକମାନେ ଦେଶର ସଂସଦ ଓ ରାଷ୍ଟ୍ରପତି ଭବନ ଓ ସୁପ୍ରିମ କୋର୍ଟରେ ବଳପୂର୍ବକ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ହିଂସାକାଣ୍ଡ ଘଟାଇଛନ୍ତି।

ଦେଶର ରାଜନୈତିକ ଇତିହାସରେ ଏହା ସବୁଠାରୁ କଳା ଅଧ୍ୟାୟ ବୋଲି କୁହାଯାଉଛି।ଆକ୍ରମଣକୁ ପ୍ରତିହତ କରିବା ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ଓ ଲାଠି ମାଡ଼ କରାଯାଇଛି। ଗତ ବର୍ଷ ଏକ କଡ଼ା ପ୍ରତିଦ୍ୱନ୍ଦିତାରେ ଜାଇର୍‌ ବୋଲ୍‌ସୋନାରୋଙ୍କୁ ପରାସ୍ତ କରି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ନୂଆ ରାଷ୍ଟ୍ରପତି ଭାବେ ଚୟନ ହୋଇଥିଲେ। ତେବେ ପ୍ରତିପକ୍ଷ ନେତାଙ୍କ ସମର୍ଥକ ଏହାକୁ ସହଜରେ ହଜମ କରିନପାରି ପ୍ରତିହିଂସା ପରାୟଣ ହୋଇପଡ଼ିଥିଲେ। ଆକ୍ରମଣ ଆଶଙ୍କାକୁ ନେଇ ବ୍ରାସିଲିଆରେ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଫେଡରାଲ ସୁରକ୍ଷାକୁ କାଏମ ରଖିବାକୁ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ନିର୍ଦ୍ଦେଶ ଦେଇଥିଲେ। ତେବେ କ୍ଷମତା କନ୍ଦଳକୁ ନେଇ ପୂର୍ବତନ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ ଏବଂ ନୂଆ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭାଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଇନାସିଓ ଲୁଲା ଅଳ୍ପ ଭୋଟ୍‌ରେ ବିଜୟୀ ହୋଇଥିବାରୁ ତାଙ୍କୁ ଶାସନ ଗାଦିରେ ବସାଇ ନଦେବାକୁ ଜାଇର୍‌ ବୋଲ୍‌ସୋନାରୋ ଲାଗିପଡ଼ିଥିଲେ। ଏଥିପାଇଁ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ସେନାର ହସ୍ତକ୍ଷେପ ଲୋଡ଼ି ବ୍ରାଜିଲ୍‌ ସ୍ଥିତ ଆର୍ମି ବେସ୍‌ରେ ପ୍ରତିବାଦ ଚଳାଇଥିଲେ। ରବିବାର ହଜାର ହଜାର ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନରେ ଜୋରଜବରଦସ୍ତି ପ୍ରବେଶ କାରି ଗୋଟାଏ ପତାକା ଉତ୍ତୋଳନ କରିଥିଲେ। ପତାକାରେ ସେନାବାହିନୀର ହସ୍ତକ୍ଷେପ ଲୋଡିଥିଲେ ପ୍ରତିବାଦକାରୀ। ଆନ୍ଦୋଳନକାରୀମାନେ କବାଟ ଓ ଝରକା ଭାଙ୍ଗି କଂଗ୍ରେସ ଭବନରେ ପ୍ରବେଶ କରିଥିଲେ। ସେହିପରି ସାଂସଦମାନଙ୍କର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ଘଟଣାରେ ବ୍ରାଜିଲ ପୁଲିସ ୩୦୦ରୁ ଅଧିକ ଜଣଙ୍କୁ ଗିରଫ କରିଥିଲା। ବିକ୍ଷୋଭକାରୀମାନେ ଗିରଫ ହେବା ପରେ ଧାଡ଼ି ହୋଇ କଂଗ୍ରେସରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା। ଏହି ଆନ୍ଦୋଳନକୁ ଫାଶିବାଦୀ, ନାଜିବାଦୀ ଓ ଷ୍ଟାଲିନଙ୍କ ଚରମପନ୍ଥି ଆକ୍ରମଣ କହି କଡା ନିନ୍ଦା କରିଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା। ଯେଉଁମାନେ ଏଭଳି ଉତ୍‌ପାତ କରୁଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ ଏଭଳି ଅରାଜକତା ଓ ହିଂସାକାଣ୍ଡ ପଛରେ ନିଜ ଭୂମିକାକୁ ପୂର୍ବତନ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ ଅସ୍ୱୀକାର କରିଛନ୍ତି । ସେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

ସେପଟେଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରି ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ବ୍ରାଜିଲର ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡିକର ଆମର ସମ୍ପୂର୍ଣ୍ଣ ସମର୍ଥନ ରହିଛି ଏବଂ ବ୍ରାଜିଲର ଲୋକଙ୍କ ଇଚ୍ଛା କ୍ଷୁର୍ଣ୍ଣ ହେବା ଉଚିତ ନୁହେଁ। ବ୍ରାଜିଲର ଲୋକ ଏବଂ ଦେଶର ଅନୁଷ୍ଠାନଗୁଡ଼ିକର ଇଚ୍ଛାକୁ ସମ୍ମାନ ଦେବା ଆବଶ୍ୟକ। ସେହିଭଳି ବ୍ରାଜିଲରେ ହୋଇଥିବା ଦଙ୍ଗା ପରିସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ବ୍ରାଜିଲ ସରକାରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। ଏନେଇ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଗଣତାନ୍ତ୍ରିକ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ। ବ୍ରାଜିଲରେ ରାଷ୍ଟ୍ରୀୟ ଅନୁଷ୍ଠାନ ବିରୁଦ୍ଧରେ ଦଙ୍ଗା ଏବଂ ଭଙ୍ଗାରୁଜା ଖବର ବିଷୟରେ ସେ ଗଭୀର ଭାବରେ ଚିନ୍ତିତ।

ବ୍ରାଜିଲ୍ କର୍ତ୍ତୃପକ୍ଷଙ୍କୁ ଆମେ ଆମର ସମ୍ପୂର୍ଣ୍ଣ ସମର୍ଥନ ଜଣାଉଛୁ ବୋଲି ମୋଦି ଟ୍ୱିଟ କରି ଜଣାଇଛନ୍ତି। ବ୍ରାଜିଲର ରାଷ୍ଟ୍ରପତି ଭବନ, ସଂସଦ ଏବଂ ସୁପ୍ରିମକୋର୍ଟରେ ହୋଇଥିବା ଆକ୍ରମଣକୁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ମଧ୍ୟ ନିନ୍ଦା କରିଛନ୍ତି। ଗଣତାନ୍ତ୍ରିକ ଅନୁଷ୍ଠାନ ଉପରେ ଆକ୍ରମଣ କରିବା ପାଇଁ ହିଂସାର ବାଟକୁ ବାଛିବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button