ଜାତୀୟବିଶ୍ୱ

ଆତଙ୍କବାଦ ବିଶ୍ୱ ପାଇଁ ଚାଲେଞ୍ଜ ହୋଇଛି

() ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବାକୁ ଅବଶ୍ୟ ଉଦ୍ୟମ ହେଉଛି। କିନ୍ତୁ ଯେତେବେଳେ କେତେଜଣ ଆତଙ୍କବାଦୀଙ୍କୁ ବହିଷ୍କାର ଲାଗି ପ୍ରସ୍ତାବ ଦିଆଯାଉଛି, ସେତେବଳେ ଜାତିସଂଘ ସୁରକ୍ଷା ପରିଷଦ ରାଜନୈତିକ ବାଧ୍ୟବାଧକତାରୁ ଏହା କାର୍ଯ୍ୟାନୁଷ୍ଠାନ ନେବାରେ ଅସମର୍ଥ ହେଉଛି। ଆତଙ୍କବାଦ କେମିତି ପୁରା ବିଶ୍ୱ ଲାଗି ବିପତ୍ତି, ତାହାର ଅବତାରଣା କରି ଏଭଳି କ୍ଷୋଭ ଝାଡ଼ିଛି ଭାରତ। ଏମିତିରେ ପାକିସ୍ତାନ ଦୀର୍ଘ ୪ ବର୍ଷ ପରେ ଏଫଏଟିଏଫର ଗ୍ରେ ଲିଷ୍ଟରୁ ମୁକୁଳିଛି। କୁଆଡ଼େ ଆତଙ୍କବାଦ ବିରୋଧରେ ପାକିସ୍ତାନର କାମକୁ ସ୍ୱାଗତ କରି ଏହି ଆର୍ଥିକ କଟକଣାକୁ ହଟାଯାଇଛି। ସେପଟେ ଭାରତ ଏହାକୁ ନିନ୍ଦା କରିଛି।

୨୬ / ୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଯୋଜନା ପ୍ରସ୍ତୁତକାରୀଙ୍କୁ ଦଣ୍ଡ ଦେବା ବଦଳରେ ସୁରକ୍ଷା ଦିଆଯାଉଛି। ଏହା ସାମୂହିକ ବିଶ୍ୱସନୀୟତାକୁ ଦୁର୍ବଳ କରୁଛି। ଅନେକ ଆତଙ୍କବାଦୀଙ୍କୁ ବହିଷ୍କାର ପାଇଁ ଯେତେବେଳେ ପ୍ରସ୍ତାବ ଦିଆଯାଉଛି, ତାକୁ ରାଜନୈତିକ ବାଧ୍ୟବାଧକତା କାରଣରୁ କାର୍ଯ୍ୟାନୁଷ୍ଠାନ ନେବାରେ ଫେଲ୍ ମାରୁଛି ଜାତିସଂଘ ସୁରକ୍ଷା ପରିଷଦ। ଆତଙ୍କବାଦୀଙ୍କ ଲାଗି ଉଦ୍ଦିଷ୍ଟ ନୂଆ ପ୍ରଯୁକ୍ତି ବ୍ୟବହାରକୁ ପ୍ରତିରୋଧ କରିବା ଉପରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଏଭଳି ଉଦବେଗ ଝାଡ଼ିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର। ପାକିସ୍ତାନରୁ ଲସ୍କର-ଇ-ତୋଏବାର ତାଲିମପ୍ରାପ୍ତ ୧୦ ଆତଙ୍କବାଦୀ ଜଳପଥ ଦେଇ ମୁମ୍ୱାଇରେ ପ୍ରବେଶ କରି ସାରା ସହରରେ ଆତଙ୍କ ଖେଳାଇଥିଲେ। ଏହି ଆକ୍ରମଣରେ ୧୪୦ ଭାରତୀୟଙ୍କ ସମେତ ୨୩ ଦେଶର ୨୬ ନାଗରିକ ନିହତ ହୋଇଥିଲେ।

ସେପଟେ ଭିତ୍ତିଭୂମି ଅଭାବରୁ କଶ୍ମୀରରେ ଆତଙ୍କବାଦ ବୃଦ୍ଧି ପାଉଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।  ଭିତ୍ତିଭୂମି ଅଭାବରୁ ସୁରକ୍ଷା ବାହିନୀ ବି ଆତଙ୍କବାଦୀଙ୍କୁ ସଫଳ ମୁକାବିଲା କରିବାରେ ବିଫଳ ହେଉଛନ୍ତି। ତେଣୁ ଭାରତ ସରକାର ଏବେ ଜମ୍ମୁ-କଶ୍ମୀର ଓ ଲଦାଖରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି ରାଜନାଥ। ଜମ୍ମୁ-କଶ୍ମୀର, ଲଦାଖ, ଅରୁଣାଚଳ ପ୍ରଦେଶ, ସିକିମ୍, ହିମାଚଳପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନରେ ସାମରିକ ଓ ସୁରକ୍ଷା ଦୃଷ୍ଟିକୋଣରୁ ଜରୁରୀ ଥିବା ବିଭିନ୍ନ ଭିତ୍ତିଭୂମିର ଲୋକାର୍ପଣ ଅବସରରେ ବିନା ଭିତ୍ତିଭୂମିରେ ଶତୃକୁ ମୁକାବିଲା ସମ୍ଭବ ନୁହେଁ ବୋଲି କହିଥିଲେ।

ସେପଟେ ଗୃହମନ୍ତ୍ରୀ ସମ୍ମିଳନୀରେ ବି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରଗୃହ ମନ୍ତ୍ରୀ ଶାହା ଉଭୟ ଆତଙ୍କବାଦର ଅନେକ ରୂପ ଓ ଏହାକୁ କିଭଳି ମୁକାବିଲା କରାଯିବ, ତା ଉପରେ ଗୁରୁତ୍ୱ ଦେଇଛନ୍ତି। ପୁଲିସ କେବଳ ବନ୍ଧୁକଧାରୀ ନକ୍ସଲଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ନ ହେଉ। ଏହା ସହ ଯିଏ କଲମ ଧରି ଯୁବସମାଜକୁ ଧ୍ୱଂସପଥରେ ଆଗେଇନେଉଛି, ସେମାନଙ୍କୁ ବି ମୁକାବିଲା କରିବାକୁ ପଡ଼ିବ। କାରଣ ଏମାନେ ଦେଶର ଏକତା, ସାର୍ବଭୌମତ୍ୱ ଓ ଗାରିମା ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ହିଂସାର ହଟସ୍ପଟ କୁହାଯାଉଥିବା ଜମ୍ମୁକଶ୍ମୀର, ଉତ୍ତର-ପୂର୍ବାଞ୍ଚଳ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଏବେ ବିକାଶର ବାର୍ତ୍ତା ବହୁଛି ବୋଲି କହିଛନ୍ତି ଶାହା। କିନ୍ତୁ ଆତଙ୍କବାଦ ବିରୋଧରେ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ବଳବତ୍ତର ରହିଛି।

ଆତଙ୍କବାଦ ବିରୁଦ୍ଧରେ ଲଢେଇ କରୁଛି ବୋଲି ଦାବି କରୁଥିବା ପାକିସ୍ତାନକୁ ବଡ ଆଶ୍ୱସ୍ତି ମିଳିଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏଫଏଟିଏଫର ଗ୍ରେ ଲିଷ୍ଟରୁ ଶୁକ୍ରବାର ହଟିଥିଲା ପାକିସ୍ତାନ। ଦୀର୍ଘ ୪ ବର୍ଷ ହେଲା ପାକିସ୍ତାନ ଏହି ତାଲିକାରେ ରହିଥିଲା। ୪ ବର୍ଷ ମଧ୍ୟରେ ପାକିସ୍ତାନ ଏଥିରୁ ମୁକୁଳିବା ପାଇଁ ଅନେକ ପ୍ରୟାସ କରିଥିଲା। ହେଲେ ଏଫଏଟିଏଫ୍ ପାକିସ୍ତାନର ଆତଙ୍କବାଦୀ ବିରୋଧି କାର୍ଯ୍ୟରେ ସନ୍ତୁଷ୍ଟ ହୋଇନଥିଲା। ହେଲେ ଏବେ ପାକିସ୍ତାନ ତାର କାର୍ଯ୍ୟକଳାପରେ ଏଫଏଟିଏଫକୁ ସନ୍ତୁଷ୍ଟ କରିପାରିଛି। ଆତଙ୍କବାଦୀ ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବାରେ ବିଫଳ ହେବା ନେଇ ପାକିସ୍ତାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଥିଲା।

ପାକିସ୍ତାନକୁ ଏଫଏଟିଏଫ୍ ଲିଷ୍ଟରୁ ହଟାଇବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଥିଲେ କି, ଏଫଏଟିଏଫ୍ ବୈଠକରେ ପାକିସ୍ତାନ ପ୍ରସଙ୍ଗରେ ନିଆଯାଇଥିବା ନିଷ୍ପତ୍ତିକୁ ଆମେ ତୀକ୍ଷଣ ଭାବରେ ନଜର ରଖିଛୁ। ବିଶ୍ୱକୁ ଜଣାଇବାକୁ ପଡିବ ଯେ ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିଛି। ପାକିସ୍ତାନ ଏସିଆ ପାସିଫିକ ଗ୍ରୁପ୍ ସହିତ ମିଳିତ ଭାବେ ଅର୍ଥ କାରବାର ଏବଂ ଟେରର ଫାଇନାନ୍ସିଂ ବିରୋଧରେ ନିଜର କାର୍ଯ୍ୟଶୈଳୀକୁ ମଜବୁତ କରୁ। ଆଉ ଆତଙ୍କବାଦ ବିରୁଦ୍ଧରେ ଲଢେଇ କରିବା ସହ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।

ଜାତିସଂଘ ସୁରକ୍ଷା ପରିଷଦରେ ଉଭୟ ଚୀନ୍ ଓ ପାକିସ୍ତାନର ମୁଖା ଖୋଲିଛନ୍ତି ଜୟଶଙ୍କର। ଦେଖିବାର କଥା ଆତଙ୍କବାଦକୁ ପ୍ରତିହତ କରିବାକୁ ଜାତିସଂଘ ସୁରକ୍ଷା ପରିଷଦ ଆଗକୁ କେତେ ମଝଭୁତ ହେଉଛି ଓ ରାଜନୈତିକ ବାଧ୍ୟବାଧକତାରୁ ମୁକୁଳିପାରୁଛି କି ନାହିଁ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button