ବିଶ୍ୱ

ଶି ଜିନପିଙ୍ଗଙ୍କୁ ହଟାଅ ନାରାରେ ପ୍ରକମ୍ପିତ ଚୀନ

ସାଂଘାଇ: ଚୀନରେ ବିରୋଧ। ତୃତୀୟଥର ଦେଶର ସର୍ବବୃହତ୍ତ ପଦରେ ଆସିନ୍ନ ହେବା ପରେ ପରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ହଟାଅ ନାରାରେ ପ୍ରକମ୍ପିତ ହେଉଛି ଦେଶ। ଦେଶବ୍ୟାପୀ ଶି ଙ୍କ ସରକାର ବିରୋଧରେ ଦେଖାଦେଇଛି ଜନଅସନ୍ତୋଷ। ସରକାରର ଜିରୋ କୋଭିଡ ନୀତିକୁ ନେଇ ବିରୋଧ, ପ୍ରଦର୍ଶନ, ଆନ୍ଦୋଳନର ଦୃଶ୍ୟ ଉପରେ ଏବେ ସାରା ବିଶ୍ବର ନଜର। 

ଚୀନ ଲୋକେ ମାଗୁଛନ୍ତି ସ୍ୱାଧୀନତା। ଚୀନର ବିଭିନ୍ନ ସହରରେ ଚାଲିଛି ପ୍ରଦର୍ଶନ। ନାରାବାଜିରେ ଫାଟୁଛି ଖଣ୍ଡମଣ୍ଡଳ। ଶି ଜିଙ୍ଗପିଙ୍ଗଙ୍କୁ ହଟାଅ। ଚୀନରୁ କମ୍ୟୁନିଷ୍ଟ ପାର୍ଟି ହାତରୁ ମୁକ୍ତ କର। ଆମକୁ ସ୍ୱାଧୀନତା ଲୋଡା। ଏହି ପରି ନାରା ଦେଉଛନ୍ତି ପ୍ରଦର୍ଶନକାରୀ। ରବିବାର ସକାଳୁ ସାଙ୍ଘାଇରେ ଆରମ୍ଭ ହୋଇଥିବା ପ୍ରଦର୍ଶନ ଦିନ ଗଡିବା ସହ ଦେଶର ବିଭିନ୍ନ ସହରକୁ ବ୍ୟାପୀ ଯାଇଛି। ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ରାଜରାସ୍ତାରେ ସରକାର ବିରୋଧରେ କରୁଛନ୍ତି ପ୍ରଦର୍ଶନ।

ସରକାରର ଜିରୋ କୋଭିଡ ପଲିସିକୁ ବିରୋଧ କରି ତାତିଛନ୍ତି ସାଧାରଣ ଜନତା। ଯାହାର ଛାପ ଚୀନର ସୋସିଆଲ ମିଡିଆରେ  ମଧ୍ୟ ଦେଖିବାକୁ ମିଳୁଛି। ବିରୋଧକୁ ସମର୍ଥନ କରି ଶହଶହ ସଂଖ୍ୟାରେ ସୋସିଆଲ ମିଡିଆ ୟୁଜର୍ସ ସୋସିଆଲ ମିଡିଆରେ ଆକ୍ଟିଭ ରହିଛନ୍ତି। ମିଡିଆରେ ମଧ୍ୟ ଜାରି ରହିଛି ପରୋକ୍ଷ ବିରୋଧର ଧାରା। କିପରି ପୁଲିସର କାର୍ଯ୍ୟାନୁଷ୍ଠାନକୁ ଏଡାଇ ଦିଆଯିବ ସେ ନେଇ ମଧ୍ୟ ବିଭିନ୍ନ ପରାମର୍ଶ ଦେଉଛନ୍ତି ୟୁଜର୍ସ। 

ଲୋକଙ୍କ ଆକ୍ରୋଶର କାରଣ ହେଉଛି ଶି ଜିନପିଙ୍ଗ ସରକାରର ଜିରୋ କୋଭିଡ ପଲିସି। ସିଞ୍ଜିୟାଙ୍ଗର ରାଜଧାନୀ ଉରୁମକିସ୍ଥିତ ଏକ ଉଚ୍ଚ କୋଠାରେ ନିଆଁ ଲାଗି ୧୦ ଲୋକଙ୍କ ମୃତ୍ୟୁକୁ ବିରୋଧ କରୁଛନ୍ତି ଲୋକେ। ଏହାକୁ ନେଇ ଦେଶବ୍ୟାପୀ ସରକାର ବିରୋଧୀ ହାୱା ବହିବା ଆରମ୍ଭ କରିଛି। ଚୀନ ସରକାରର ଜିରୋ କୋଭିଡ ପଲିସି ପାଇଁ ନିଆଁ ଲାଗିବା ପରେ ସେଠାକାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିନଥିବା ଲୋକେ ଅଭିଯୋଗ କରିଛନ୍ତି। ଲୋକଙ୍କ ବିଶ୍ବାସ, କରୋନା ନିୟମ ଅନ୍ତର୍ଗତ ନିଆଁ ଲାଗିଥିବା କୋଠାରେ ଆଂଶୀକରୂପେ ବନ୍ଦ କରାଯାଇଥିଲା, ତେଣୁ ସେଠାରୁ ଲୋକଙ୍କ ଉଦ୍ଧାର ସମ୍ଭବ ହୋଇନଥିଲା। ତେବେ ଜନତାଙ୍କ ଏପରି ଅଭିଯୋଗକୁ ନାକଚ କରି ଦେଇଛନ୍ତି ସ୍ଥାନୀୟ କର୍ତ୍ତୃପକ୍ଷ । କିନ୍ତୁ ସରକାରୀ ରିପୋର୍ଟକୁ ଗ୍ରହଣ କରିବାକୁ ନାରାଜ ସାଧାରଣ ଜନତା। ୧୦ ଜଣଙ୍କ ଅକାଳ ବିୟୋଗ ପାଇଁ ଜିରୋ କୋଭିଡ ପଲିସିକୁ ଦାୟୀ କରି ଏହାକୁ ବିରୋଧ କରାଯାଇଛି।

ଶନିବାର ରାତିରେ ଏହି ନୀତିକୁ ବିରୋ କରି ଚୀନର ଆର୍ଥିକ ପେଣ୍ଠସ୍ଥଳୀ ତଥା ଦେଶର ବୃହତ୍ତମ ଜନବସତିପୂର୍ଣ୍ଣ ସାଂଘାଇର ଭୁଲୁମୁକି ରାସ୍ତାରେ ଲୋକେ ଏକତ୍ରୀତ ହୋଇଥିଲେ। ରବିବାର ସକାଳ ହେଉ ହେଉ ଏହି ଜନମେଳି ପରିଣତ ହୋଇଯାଇଥିଲା ଏକ ବିରାଟ ପ୍ରଦର୍ଶନରେ । ସୋସିଆଲ ମିଡିଆରେ ଏହି ପ୍ରଦର୍ଶନର ଭିଡିଓରେ କୋଭିଡ ଲକଡାଉନ ଉଠାଇବାକୁ ନାରାବାଜି ଦେଖିବାକୁ ମିଳିଥିଲା। ଲୋକେ ଉରୁମକିରୁ ଲକଡାଉନ ହଟାଅ, ଶିଞ୍ଜିୟାଙ୍ଗରୁ ଲକଡାଉନ ହଟାଅ, ସାରା ଦେଶରୁ ଲକଡାଉନ ହଟାଅ ପରି ବିଭିନ୍ନ ନାରା ଦେଉଥିବା ଭିଡିଓରେ ଚୀନ ସୋସିଆଲ ମିଡିଆ ଭରିଯାଇଥିଲା। ଦିନ ବଢିବା ସହ ପ୍ରଦର୍ଶନ ଦେଶର ଅନ୍ୟ ଅଞ୍ଚଳକୁ ବ୍ୟାପିବାକୁ ଆରମ୍ଭ କରିଥିଲା।

ଧୀରେ ଧୀରେ ଲକଡାଉନ ହଟାଇବାର ନାରା ଶି ଜିନପିଙ୍ଗ ହଟାଅ, ଚୀନରୁ କମ୍ୟୁନିଷ୍ଟ ପାର୍ଟିକୁ ହଟାଅ ଓ ଆମକୁ ସ୍ବାଧୀନ କର ପରି ନାରାରେ ପରିବର୍ତ୍ତିତ ହୋଇଥିଲା। ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଦ୍ବାରା ଜାରି  ଜିରୋ କୋଭିଡ ନୀତି ବିରୋଧରେ ତେଜିଥିବା ପ୍ରଦର୍ଶନ ଓ ବିରୋଧକୁ କିନ୍ତୁ ସରକାର ଚୀନର ଜୀବନ ରକ୍ଷକ ଓ ସ୍ବାସ୍ଥ୍ୟ ବିପର୍ଯ୍ୟୟକୁ ନିୟନ୍ତ୍ରଣ କରିବାକୁ ଏକ ପଦକ୍ଷେପ ବୋଲି କହିଛି। ସରକାରର ପ୍ରତିବନ୍ଧକରେ ଅତିଷ୍ଠ ଜନତାଙ୍କ ଆକ୍ରୋଶକୁ ଦେଖି ଦେଶବ୍ୟାପୀ ବହୁ ସଂଖ୍ୟାରେ ପୁଲିସ ଉପସ୍ଥିତ ରହିଛନ୍ତି। ଭିଡ ହଟାଇବାକୁ ମଧ୍ୟ ଚେଷ୍ଟା କରାଯାଉଛି।

ତେବେ ଚୀନ ଆଜି ମଧ୍ୟ କୋଭିଡ-୧୯ ସହ ଲଢେଇ ଜାରି ରଖିଛି। ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ଉତ୍କଟ ରୂପ ନେଇଛି। ଏହି କାରଣରୁ ଦେଶ ଜାକ ସହର ସବୁରେ ଲକଡାଉନ ଓ ଅନ୍ୟ କଟକଣା ଜାରି ରହିଛି। ପୁଣି ଥରେ ଦେଶକୁ କୋଭିଡର ପ୍ରତ୍ୟାବର୍ତ୍ତନ ପରେ ଚୀନ ସରକାର ଜିରୋ କୋଭିଡ ନୀତିକୁ କଡା କଡି ଲାଗୁ କରୁଥିବା ବେଳେ ବିଶ୍ବର ଅନ୍ୟାନ୍ୟ ଦେଶରେ କରୋନା କଟକଣା ହଟିଯାଇଛି। ସେହିସବୁ ଦେଶରେ କରୋନା ମାମଲା ନାଁ ସଦୃଶ ଥିବା ବେଳେ ଯଦି ବି କରୋନା ଚିହ୍ନଟ ହେଉଛି, ତେବେ ଲକଡାଉନ ଲାଗୁ ହେଉନାହିଁ। ତେଣୁ ଚୀନରେ କୋଭିଡ କଟକଣାରେ ଅତିଷ୍ଠ ହୋଇପଡିଛନ୍ତି ସେଠାକାର ବାସିନ୍ଦା।

କିନ୍ତୁ ସରକାର ସାର୍ବଜନୀନ ଜୀବନ ଯାତ୍ରାକୁ ବାଧିତ କରୁଥିବା କୋଭିଡ ନିୟମକୁ ଲାଗୁ କରିବା ଉପରେ ଦେଉଛି ଜୋର। ବିରୋଧକୁ ଖାତିର ନ କରି, ନିଜ ଅର୍ଥବ୍ୟବସ୍ଥାର ଦୁରବସ୍ଥା ସତ୍ତ୍ୱେ ଜାରି ରହିଛି ଲକଡାଉନ। ଯାହାକୁ ପ୍ରଦର୍ଶନକାରୀ ଜୋରଦାର ବିରୋଧ କରୁଛନ୍ତି। ସାଂଘାଇରୁ ଆସୁଥିବା ଭିଡିଓରେ ପ୍ରଦର୍ଶନକାରୀ ପୁଲିସର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଲୋକଙ୍କ ସେବା କର। ଆମକୁ ସ୍ବାସ୍ଥ୍ୟ କୋଡର ଆବଶ୍ୟକତା ନାହିଁ ଓ ଆମକୁ ସ୍ୱାଧୀନତା ଦରକାର ପରି ବିଭିନ୍ନ ନାରା ଦେଉଥିବା ମଧ୍ୟ ଦେଖାଯାଉଛି। କାରଣ ୨୦୧୯ ଶେଷ ପର୍ଯ୍ୟାୟରୁ ଦେଶ ଲଢୁଛି କୋଭିଡ-୧୯ ସହ। ସେବେଠାରୁ ଏପର୍ଯ୍ୟନ୍ତ ଚୀନରେ ସମ୍ପୂର୍ଣ୍ଣରୂପେ କୋଭିଡ କଟକଣା ହଟିବାର ନାମ ନେଉ ନାହିଁ।

ରାଷ୍ଟ୍ରପତି ଶି ଜିନପିଙ୍ଗ ଦେଶରେ କଡା କ୍ବାରେଣ୍ଟିନ, ଲକଡାଉନ, ସଟଡାଉନ ଲାଗି କରୁଥିଲେ ମଧ୍ୟ ଏହି ମହାମାରୀ ଭୂତାଣୁ ସଂକ୍ରମଣକୁ ରୋକିବାରେ ସରକାର ବିଫଳ ହୋଇଛି। ସେପଟେ, ବାରମ୍ବାର କୋଭିଡ ପ୍ରତିବନ୍ଧକରେ ପେସି ହୋଇଗଲେଣି ଚୀନବାସୀ। ରୋଜଗାର ପନ୍ଥା ହରାଇବାରୁ କୋଟି କୋଟି ଲୋକଙ୍କ ଜୀବନ ଯାତ୍ରା ବାଧିତ ହୋଇଛି। ତେଣୁ ପୁଣି ଦେଶରେ ଲକଡାଉନକୁ ଗ୍ରହଣ କରିବାକୁ ଲୋକେ ପ୍ରସ୍ତୁତ ନାହାନ୍ତି। ଶି ଙ୍କ ସରକାର କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ବିଫଳ ହୋଇଥିବା ନେଇ ଲୋକଙ୍କ ମଧ୍ୟରେ ଦେଖାଦେଉଛି ବିଦ୍ରୋହ। ଜନଅସନ୍ତୋଷ ଶ୍ରୀଲଙ୍କା ପରି ଜଟିଳ ସ୍ଥିତି ସୃଷ୍ଟି ଯେ ନ କରିବ ତାହାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। ଏପରି ସ୍ଥିତିରେ ବିରୋଧ ଦମନରେ ଶି ଜିନପିଙ୍ଗ ସଫଳ ହେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Related Articles

Leave a Reply

Your email address will not be published.

Back to top button