ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୁହ ଦେଶାନ୍ତର ଅଭିଯାନ ଜୋରସୋରରେ ଜାରି ରହିଛି । ନିର୍ବାଚନ ପ୍ରତିଶ୍ରୁତି ପୁରଣ କରିବାକୁ ଯାଇ ଟ୍ରମ୍ପ ପ୍ରଶାସନ ଆମେରିକାର ସବୁଠାରୁ ବଡ ଦେଶାନ୍ତର ପ୍ରକ୍ରିୟାକୁ ନେଇ ତ୍ପର ହୋଇଛି । ୟୁଏସରେ ଅବୈଧ ଭାବେ ରହୁଥିବା ବିଭିନ୍ନ ରାଷ୍ଟ୍ରର ନାଗରିକଙ୍କୁ ମିଲିଟାରୀ ପ୍ଲେନରେ ନିଜ ନିଜ ଦେଶକୁ ପଠାଉଛନ୍ତି ଟ୍ରମ୍ପ। ଏହାରି ମଧ୍ୟରେ ଗୁଏଟମଲା, ପେରୁ ଏବଂ ହଣ୍ଡୁରାସର ପ୍ରବାସୀଙ୍କୁ ପଠାଇ ସାରିଛନ୍ତି । ଏବଂ ଭାରତର ୨୦୫ ଜଣ ନାଗରିକ ମିଲିଟାରୀ କାର୍ଗୋ ପ୍ଲେନ ସି-୧୭ରେ ଫେରିଛନ୍ତି। ସେମାନେ ଆଜି ଆସି ଶ୍ରୀଗୁରୁ ରାମଦାସଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଅମୃତସରରେ ପହଞ୍ଚିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ବିନା ଦସ୍ତାବିଜରେ ରହୁଥିବା ଭାରତୀୟ ନିଜ ଦେଶକୁ ଅବୈଧ ଅନୁପ୍ରବେଶକାରୀ ଭାବେ ଫେରିଛନ୍ତି । ପୂର୍ବରୁ ଅବୈଧ ପ୍ରବାସୀଙ୍କୁ କମର୍ସିଆଲ ପ୍ଲେନ ରେ ପଠା ଯାଉଥିବା ବେଳେ ଏଥର ଅପରାଧୀଙ୍କ ଭଳି ମିଲିଟାରୀ ପ୍ଲେନରେ ପଠାଯାଉଛି । ତାହା ପୁଣି ଅଧିକ ଅର୍ଥ ବ୍ୟୟରେ । ଯାହାକୁ ନେଇ ବିଭିନ୍ନ ରାଷ୍ଟ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।
ଦେଶକୁ ଫେରିଥିବା ଭାରତୀୟ ପ୍ରାୟତଃ ପଞ୍ଜାବ ଓ ପଡ଼ୋଶୀ ରାଜ୍ୟମାନଙ୍କରୁ ଯାଇଥିଲେ । ପଞ୍ଜାବ ପୁଲିସ ପ୍ରଶାସନ ସେମାନଙ୍କ ସହାୟତା ପାଇଁ ଏୟାରପୋର୍ଟରେ ସ୍ୱତନ୍ତ୍ର କାଉଣ୍ଟର କରିଛନ୍ତି। ଅନ୍ୟପଟେ ପଞ୍ଜାବ ଏନଆରଆଇ ବ୍ୟାପାର ମନ୍ତ୍ରୀ କୁଲଦିପ ସିଂ ଧଲେୱାଲ ଅସନ୍ତୋଷ ବ୍ୟକ୍ତ କରିବା ସହ ଏଭଳି ଦେଶାନ୍ତର ଅନୁଚିତ କହିଛନ୍ତି । ତାଙ୍କର କହିବା କଥା ସେମାନଙ୍କ ମଧ୍ୟରେ ଅନେକଙ୍କର ୟୁଏସ ଅର୍ଥନୀତିକୁ ଭାଗିଦାରୀ ରହିଛି । ସେମାନଙ୍କୁ ସ୍ଥାୟୀ ବାସିନ୍ଦା କରିବା ବଦଳରେ ଏଭଳି ଫେରେଇବା ଯୁକ୍ତିଯୁକ୍ତ ନୁହେଁ । ଅନେକ ପ୍ରବାସୀ ପ୍ରାରମ୍ଭିକ ସମୟରେ ୱାର୍କ ପରମିଟରେ ଯାଇଥିଲେ ପରେ ଭିଜା ଏକ୍ସପେୟାର ହୋଇ ଯାଇଥିଲା । ସେଭଳି ସ୍ଥିତିରେ ବେଆଇନ ଅପ୍ରବାସୀ କୁହାଯିବା ଅନୁଚିତ । ତା ଛଡ଼ା ଧଲେୱାଲ ପଞ୍ଜାବୀ ପ୍ରବାସୀଙ୍କୁ ବେଆଇନ ରାସ୍ତା ନ ଆପଣାଇ ଉପଯୁକ୍ତ ବାଟରେ ବିଦେଶ ଯିବାକୁ ଅପିଲ କରିଛନ୍ତି ।
ହାତରେ ବେଡି ଗୋଡ଼ରେ ବେଡି । ମିଲିଟାରୀ ପ୍ଲେନରେ ଅପରାଧୀଙ୍କ ଭଳି ଆମେରିକାରୁ ଫେରୁଛନ୍ତି ପ୍ରବାସୀ । କିଛି ଏଭଳି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଅବଶ୍ୟ ସେ ଫୋଟୋ ଗୁଏଟମଲାର ବୋଲି ପରେ ଜଣା ପଡ଼ିଥିଲା । କିନ୍ତୁ କଥା ଉଠିଲା କମ ସେ କମ କଲମ୍ୱିଆ ଭଳି ନିଜ ଦେଶର ଲୋକଙ୍କୁ ନିଜେ ଫେରେଇ ଆଣିବା ବ୍ୟବସ୍ଥା କାହିଁକି ଭାରତ ପକ୍ଷରୁ କରାଗଲା ନାହିଁ । ଅନ୍ୟପଟେ କିଛି ଲୋକଙ୍କ ମତ ଥିଲା ବିନା କାଗଜ ପତ୍ରରେ ଅନ୍ୟଦେଶକୁ ଯିବା ଅପରାଧ ତେଣୁ ସେମାନଙ୍କ ପ୍ରତି ଏତେ ସଦୟ ହେବା ଅନାବଶ୍ୟକ । ଭୁଲ କରିଛନ୍ତି ,ବେଆଇନ ରାସ୍ତାରେ ଯାଇଛନ୍ତି ତେଣୁ ସେମାନଙ୍କୁ ତାଙ୍କ ଫଳ ମିଳିଛି । ଏଭଳି ଘଟଣାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ଶାସକ ଦଳ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ତେବେ ଭାରତ ସରକାର ଅବୈଧ ଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କ ବୈଧ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଥିବା କହି ସାରିଛନ୍ତି ।
ମେକ୍ସିକୋ ଓ ସାଲାଭଡର ପଛକୁ ଭାରତ ତୃତୀୟ ଦେଶ ଯାହାର ସର୍ବାଧିକ ନାଗରିକ ବେଆଇନ ଭାବେ ଆମେରିକାରେ ରହୁଛନ୍ତି । ଏହା ମଧ୍ୟରେ ୧୮ ହଜାର ଭାରତୀୟଙ୍କୁ ଚିହ୍ନଟ କରାଯାଇ ଦେଶକୁ ଫେରିଯିବା ନିର୍ଦ୍ଦେଶ ଦିଆସରିଛି । ୨ହଜାର ଭାରତୀୟ ୟୁଏସର ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟ ଏଜେନ୍ସି ଦ୍ୱାରା ନିୟମ ଖିଲାପ ଅଭିଯୋଗରେ ଅଟକ ଅଛନ୍ତି ।
ଏହି ଦେଶାନ୍ତର ପ୍ରକ୍ରିୟା ଜାରି ଥିବା ବେଳେ ଆସନ୍ତା ସପ୍ତାହରେ ଟ୍ରମ୍ପ-ମୋଦି ସାକ୍ଷାତକାର ରହିଛି । ୨ୟ ଥର ଶାସନ ଭାର ସମ୍ଭାଳିବା ପରେ ମୋଦିଙ୍କ ସହ ଏହା ଟ୍ରମ୍ପଙ୍କର ପ୍ରଥମ ଭେଟ । ଏହି ସମୟରେ ଆଶା କରାଯାଉଛି ଅବୈଧ ପ୍ରବାସୀ ପ୍ରସଙ୍ଗ ଆଲୋଚନା ହୋଇପାରେ । ତେବେ ବର୍ଷ ବର୍ଷ ଧରି ଏଜେଣ୍ଟଙ୍କ ସାହାଯ୍ୟରେ ବେଆଇନ ରାସ୍ତା ବା ଡଙ୍କି ରୁଟ ଦେଇ ଭାରତୀୟ ଆମେରିକାକୁ ଯାଉଛନ୍ତି । ସେଥିପାଇଁ ଧାର କରଜ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଯାହାକୁ ନେଇ ଟ୍ରମ୍ପ ସରକାରଙ୍କ କଡ଼ା ଆଭିମୁଖ୍ୟ ଅତ୍ୟନ୍ତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି ।
() ନିର୍ବାଚନ ପ୍ରଚାର ସମୟରେ କ୍ଷମତାକୁ ଆସିଲେ ଆମେରିକା ଇତିହାସର ସବୁଠାରୁ ବଡ ନିର୍ବାସନ ଅଭିଯାନ କରିବେ କହିଥିଲେ ଟ୍ରମ୍ପ । ଯାହାକୁ ପୁରଣ କରିବା ଦିଗରେ ଲାଗିଛି ଟମ୍ପ ପ୍ରଶାସନ । ଏହା ମଧ୍ୟରେ ପ୍ରବାସୀଙ୍କ ସନ୍ତାନଙ୍କୁ ମିଳୁଥିବା ଜନ୍ମଗତ ନାଗରିକ ଅଧିକାରକୁ ସମାପ୍ତ କରି ସାରିଛନ୍ତି । ଯାହା ବିରୋଧରେ କୋର୍ଟ କଚେରୀ ଯାଏଁ ମାମଲା ଯାଇଛି । ଶରଣାର୍ଥୀଙ୍କ ପାଇଁ ମଧ୍ୟ କଟକଣା ଲଗାଇ ସାରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now