ଆରମ୍ଭ ହେଲା ବିକଶିତ ଗାଁ, ବିକଶିତ ଓଡ଼ିଶା। ଏଣିକି ଗାଁକୁ ଯିବେ ଅଧିକାରୀ। ସମସ୍ୟା ଶୁଣିବେ। ସମାଧାନ କରିବେ। ଗାଁ ବିକାଶ ହେଲେ ଓଡ଼ିଶା ବିକାଶ ହେବ। ଗାଁରେ ମୌଳିକ ଭିତ୍ତିଭୂମି ବିକାଶ ସହ ଗାଁ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ମିନିଷ୍ଟାଡିୟମରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା ୫ ବର୍ଷ ଲାଗି କାର୍ଯ୍ୟକାରୀ ହେବ। ଏଥିଲାଗି ୫ ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ପ୍ରତି ଯୋଜନା ଲୋକଙ୍କ ପାଖରେ ସଠିକରେ ପହଞ୍ଚିବ। ଯୋଜନା ଯେଭଳି ବାଟମାରଣା ହେବନି, ସେ ନେଇ ନଜର ରଖାଯିବ। ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ହେଉଛି ଗାଁ।
ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ ଆଗରୁ ବିସ୍ତୃତ ଗାଇଡଲାଇନ ଜାରି ହୋଇସାରିଛି। ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ଏ ସନ୍ଦର୍ଭରେ ଗାଇଡଲାଇନ ପଠାଇ ଏହି ଅନୁସାରେ କାମ କରିବାକୁ କହିଦେଇଛି। ଗାଁର ଆର୍ଥିକ ସ୍ଥିତିକୁ ମଝଭୁତ ଲାଗି ୫ ବର୍ଷିଆ ଯୋଜନା ଗାଁରୁ ପ୍ରସ୍ତୁତ ହେବ। ସମସ୍ତ ନିଷ୍ପତ୍ତି ଗ୍ରାମସଭାରେ ହେବ। ବ୍ଲକସ୍ତରରେ ଏହାର ତଦାରଖ ହେବ। ଚୂଡ଼ାନ୍ତ ଯୋଜନା ତାଲିକା ଜିଲ୍ଲାପାଳଙ୍କ ମଞ୍ଜୁରୀ ଲାଗି ପଠାଯିବ। ରାଜ୍ୟତମାମ ଗ୍ରାମସଭା ଫେବୃଆରୀ ୧୪ ସୁଦ୍ଧା ସରିବ। ଫେବୃଆରୀ ୧୫ ସୁଦ୍ଧା ବ୍ଲକରେ ୫ ବର୍ଷିଆ ଯୋଜନା ପହଞ୍ଚିବ। ବୈଷୟିକ ତଦାରଖ ପରେ ୧୮ ସୁଦ୍ଧା ବାର୍ଷିକ ଖସଡ଼ା ବ୍ଲକ ଦ୍ୱାରା ସୁପାରିଶ କରାଯିବ। ୨୦ ସୁଦ୍ଧା ଉଭୟ ବାର୍ଷିକ ଓ ୫ ବର୍ଷିଆ ଆକ୍ସନ ପ୍ଲାନ୍ ବ୍ଲକ୍ ଜିଲ୍ଲାପାଳଙ୍କୁ ପଠାଇବ। ଆମ ଓଡ଼ିଶା ନବୀନ ଓଡ଼ିଶାରେ ଅସମ୍ପୂର୍ଣ୍ଣ ପ୍ରକଳ୍ପରେ ଯଦି ବ୍ୟୟବରାଦର ୨୦ ପ୍ରତିଶତ ଖର୍ଚ୍ଚ ହୋଇଥିବ, ତା ହେଲେ ସେ ପ୍ରକଳ୍ପକୁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ସାମିଲ୍ କରି ସମ୍ପୂର୍ଣ୍ଣ କରାଯିବ। ରାସ୍ତା, ପୋଲ, କଲଭର୍ଟ ଏହି ଯୋଜନାରେ ତିଆରି ହେବ। ନକ୍ସଲ ପ୍ରଭାବିତ ଅଞ୍ଚଳ, ଦୁର୍ଗମ, ଅନୁନ୍ନତ ଜନଜାତି ସମୁଦାୟ ବାସ କରୁଥିବା ଆଭ୍ୟନ୍ତରୀଣ ଓ ଆନ୍ତଃ ଗାଁ ସଡ଼କକୁ ସଂଯୋଗୀକରଣ କରାଯିବ। ମୋଟ୍ ପାଣ୍ଠିର ୩୫ ପ୍ରତିଶତରୁ ଅଧିକ ଅର୍ଥ ରାସ୍ତା କାମରେ ଖର୍ଚ୍ଚ ହେବନି। ଏହି ଯୋଜନାରେ କଲ୍ୟାଣମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ଘାଟ, ପୋଖରୀ ପାଖରେ ଚେଞ୍ଜିଂ ରୁମ୍, ମାର୍କେଟ ସେଡ୍, ଡ୍ରେନ୍ ତିଆରି ହେବ। ଭୋଗମଣ୍ଡପ, ଭାଗବତ ଟୁଙ୍ଗୀ, କଲଚରାଲ ସେଣ୍ଟର ଆଦି ନିର୍ମାଣ ହେବ। ୩ ଲକ୍ଷରୁ କମ୍ ଟଙ୍କାର ପ୍ରକଳ୍ପ ଏହି ଯୋଜନାରେ ସାମିଲ୍ ହେବନି।
ବିଜେଡି କହିଛି, ଡବଲ ଇଞ୍ଜିନ୍ ସରକାରର ଦୋମୁହାଁ ନୀତି ପ୍ରମାଣିତ ହୋଇଛି। ନବୀନ ସରକାର ଥିଲା ବେଳେ ୬ହଜାର୮ଶହ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦେଇଥିଲେ। ଅର୍ଥାତ୍ ସାଢ଼େ ୩ହଜାର କୋଟି ଦିଆଯାଇଥିଲା। ମୋହନ ସରକାର ବାର୍ଷିକ ହଜାରେ କୋଟି ଦେବେ। ଅର୍ଥାତ୍ ଏବେ ପ୍ରତି ଗାଁ ପାଇବ ୧୪ଲକ୍ଷ ୮୦ହଜାର। ଓ୍ୱାର୍ଡ ପିଛା ଲକ୍ଷେ ବି ପଡ଼ୁନି। ବିକଶିତ ଗାଁରେ ବିକଳାଙ୍ଗ ଯୋଜନା କଲେ। ଛଡ଼, ବାଲି, ସିମେଣ୍ଟ ଦର ମହଙ୍ଗା ହେଲାଣି। ଏତିକି ଟଙ୍କାରେ କାମ କେମିତି ହେବ। ଦମ୍ ଥିଲେ ନବୀନ ଦେଉଥିବା ଅର୍ଥକୁ ଦ୍ୱିଗୁଣିତ କର। ବିଗତ ସରକାରର ଭଲ କାମରୁ ଶିକ୍ଷା ନିଅ। ବିକଶିତ ନାଁରେ ଯୋଜନାକୁ ପୋଲିଓ ନ କରନ୍ତୁ ସରକାର। କଂଗ୍ରେସ କହିଛି, ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ଅତୀତ ସରକାରରେ କେବଳ ବିଜେଡି କର୍ମୀଙ୍କ ବିକାଶ ହୋଇଥିଲା। ଡବଲ ଇଞ୍ଜିନ୍ ସରକାର କେବଳ ନାଁ ବଦଳାଇଛନ୍ତି। ଗାଁ ବିକାଶ ଆଳରେ ନିଜ କର୍ମୀଙ୍କୁ ଖୁସ୍ କରି ଭୋଟ ବ୍ୟାଙ୍କ୍ ସଜାଡ଼ିଲା ଭଳି କାମ କଲେ, ଓଡ଼ିଶା ବିକାଶ କେବଳ ଧର୍ମକୁ ଆଖିଠାର ଭଳି ପ୍ରତୀୟମାନ ହେବ।
ବିକଶିତ ଗାଁ ବିକଶିତ ଓଡ଼ିଶାରେ ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା ବୋଲି କହୁଛନ୍ତି ମୋହନ ସରକାର। ଦେଖିବାର କଥା, ଆଗକୁ ଏହାର ବାସ୍ତବତା ଗ୍ରାଉଣ୍ଡରେ ଗାଁ ଲୋକେ କେତେ ଉପକୃତ ହେଉଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now