କେରଳରେ ଆଉ ଏକ ମଙ୍କିପକ୍ସ ଚିହ୍ନଟ

Spread the love

ତିରୁଅନନ୍ତପୁରମ: ଦେଶରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ। ପୁଣି କେରଳରୁ ଚିହ୍ନଟ ହୋଇଛନ୍ତି ଏହି ଭୂତାଣୁରେ ସଂକ୍ରମିତ ଆଉ ଜଣେ ଆକ୍ରାନ୍ତ। ଆକ୍ରାନ୍ତ ଜଣଙ୍କର ବୟସ ୩୦ ବର୍ଷ, ସେ ଜୁଲାଇ ୨୭ ତାରିଖରେ ୟୁଏଇରୁ କେରଳ ଆସିଥିଲେ। ପ୍ରଥମେ ତାଙ୍କୁ ୫ ଦିନ ଧରି ପ୍ରବଳ ଜ୍ବର ହୋଇଥିଲା ଓ ଏହା ପରେ ତାଙ୍କ ଶରୀରରେ ମଙ୍କିପକ୍ସର ଲକ୍ଷଣସବୁ ଦେଖା ଦେଇଥିଲା। ବର୍ତ୍ତମାନ ସେ ମାଲାପୁରମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହା ପରେ କେରଳରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏସମ୍ପର୍କରେ ସୂଚନା ଦେଇଛନ୍ତି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ବୀନା ଜର୍ଜ। ପୂର୍ବରୁ ଜଣଙ୍କର ଏହି ଭୂତାଣୁ ସଂକ୍ରମଣରେ ହୋଇଛି ମୃତ୍ୟୁ।

ଥ୍ରିସୁରରେ ୨୦ ଜଣଙ୍କୁ କ୍ବାରେଣ୍ଟାଇନ କରାଯାଇଛି। ଜଣେ ବ୍ୟକ୍ତିଙ୍କଠାରେ ମଙ୍କି ପକ୍ସ ପରି ଲକ୍ଷଣ ଦେଖା ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କ୍ବାରେଣ୍ଟାନରେ ରଖାଯାଇଛି ବୋଲି ସୋମବାର ଦିନ ସୂଚନା ଦେଇଛନ୍ତି କେରଳର ସ୍ବାସ୍ଥ୍ୟ ଅଧିକାରୀ।

ତେବେ ବର୍ତ୍ତମାନ ରାଜ୍ୟରେ ମଙ୍କିପକ୍ସ ନିୟନ୍ତ୍ରଣରେ ରହିଛି। ଭୟଭୀତ ହେବାର କିଛି ନାହିଁ। ତେବେ ମୃତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ମୋଟ ୧୦ ଜଣ ପରିବାର ଜନ ଓ ବନ୍ଧୁ ଆସିଥିଲେ। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣଙ୍କୁ କ୍ବାରେଣ୍ଟାଇନ ରଖାଯାଇଛି ବୋଲି ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ଷ୍ଟାଣ୍ଡିଂ କମିଟି ସଦସ୍ୟ ସୂଚନା ଦେଇଛନ୍ତି।

କେରଳରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜସ୍ତାନରୁ ଜଣେ, ଦିଲ୍ଲୀରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ମଧ୍ୟ ଦେଶରେ ମଙ୍କିପକ୍ସ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ତଥାପି ଅଧିକ ସତର୍କତା ଓ ସଚେତନତାର ଆବଶ୍ୟକତା ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ବାରମ୍ବାର ସମସ୍ତ ରାଜ୍ୟକୁ ତାଗିଦ କରିଛନ୍ତି।

ତେବେ ୟୁରୋପ, ଆରବୀୟ ତଥା ଆଫ୍ରୀକୀୟ ରାଷ୍ଟ୍ରରେ ମଙ୍କିପକ୍ସ ସଂକ୍ରମଣ ଚିନ୍ତାର କାରଣ ହୋଇଛି। ଏହା ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୭୮ରୁ ଅଧିକ ଦେଶକୁ ବ୍ୟାପୀସାରିଲାଣି ଏହି ଭୂତାଣୁ। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ତେବେ ଆଶ୍ବସ୍ତିର ବିଷୟ କି, ଏହି ଭୂତାଣୁ ସଂକ୍ରମଣ କରୋନା ଭୂତାଣୁ ପରି ଏତେ ମାତ୍ରାରେ ଭୟାବହ ନୁହେଁ । ଏହା ବ୍ୟତୀତ ବସନ୍ତ ରୋଗର ଟୀକା ଏହି ଭୂତାଣୁ ନିୟନ୍ତ୍ରଣରେ ପ୍ରଭାବଶାଳୀ ଥିବା ବିଶେଷଜ୍ଞ ପୂର୍ବରୁ ପରୀକ୍ଷା ପରେ ସୂଚିତ କରିଛନ୍ତି। ତେଣୁ ମଙ୍କିପକ୍ସର ଟୀକାକରଣକୁ ବ୍ୟାପକ କରିବା ଉପରେ ଗୁରୁତ୍ବ ଦେବାକୁ ଡବ୍ଲୁଏଚଓ ପକ୍ଷରୁ ସମସ୍ତ ଦେଶଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *