ରାଜ୍ୟ

ଜଣେ ଅମାୟିକ ବ୍ୟକ୍ତିତ୍ବ

ଭୁବନେଶ୍ବର: ବିଷ୍ଣୁ ସେଠୀ। ବିଜେପିର ଟାଣୁଆ ବିଧାୟକ ତଥା ବିରୋଧୀ ଦଳ ଉପନେତାଙ୍କ ଅକାଳ ବିୟୋଗରେ ସ୍ତବ୍ଧ ରାଜ୍ୟ ବିଜେପି। ପ୍ରାୟ ବର୍ଷେ ହେଲା କୀଡନି ରୋଗରେ ପୀଡ଼ିତ ବିଷ୍ଣୁଙ୍କର ନିୟମିତ ଡାଇଲିସିସ୍ ଚାଲିଥିଲା। ମାସକ ତଳେ ଅବସ୍ଥା ଗୁରୁତର ହେବାକୁ ଏମ୍ସ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଆଉ ଆଜି ସକାଳେ ଆଖି ବୁଜିଦେଇଛନ୍ତି। ଧାମନଗରର ବିଧାୟକ ବିଷ୍ଣୁଙ୍କ ରାଜନୈତିକ କ୍ୟାରିଅର ଅନେକ ଉତଥାନ ପତନ ଦେଇ ଗତି କରୁଥିଲା। ତେବେ ଅତ୍ୟନ୍ତ ମିଷ୍ଚଭାଷୀ, ମେଳାପୀ, ରୋକଠୋକ କଥାରେ ମାହିର୍ ବିଷ୍ଣୁଙ୍କ ରାଜନୈତିକ କ୍ୟାରିଅର ଉପରେ ଏହି ରିପୋର୍ଟରେ।

 ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ ୧୯୬୧ ଜୁନ୍ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଷ୍ଣୁ ସେଠୀ। ପିଲାଦିନୁ ମେଧାବୀ ଛାତ୍ର ଥିଲେ ବିଷ୍ଣୁ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଓ ପରେ ଜେଏନୟୁରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଓଡ଼ିଶା ପ୍ରଶାସନିକ ସେବାରେ ସଫଳ ହୋଇଥିଲେ ବି ଚାକିରିରେ ଯୋଗ ଦେଇନଥିଲେ। ଛାତ୍ରାବସ୍ଥାରୁ ଆରଏସଏସ ସହିତ ଜଡ଼ିତ ବିଷ୍ଣୁ ସମାଜସେବୀ ଓ ସାମ୍ୱାଦିକତା ଆଡ଼କୁ ମନ ବଳାଇଥିଲେ। ତାଙ୍କ ସମ୍ପାଦନାରେ ମାସିକ ପତ୍ରିକା ଘାସଫୁଲ ପ୍ରକାଶ ପାଉଥିଲା। ୨୦୦୦ ମସିହାରେ ଚାନ୍ଦବାଲି ଆସନରୁ ବିଜେପି ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୬ରେ ଓଡ଼ିଶା କାଜୁ ନିଗମର ଅଧ୍ୟକ୍ଷ ବି ଥିଲେ। ଭଦ୍ରକ ଜିଲ୍ଲା ବିଜେପି ସଭାପତି ଓ ବିଜେପି ଏସସି ମୋର୍ଚ୍ଚାର ଉପସଭାପତି ଦାୟିତ୍ୱ ବି ସମ୍ଭାଳିଥିଲେ।୨୦୧୯ରେ ଧାମନଗର ଆସନରୁ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଷ୍ଣୁ। ବିରୋଧୀ ଦଳର ଉପନେତା ଭାବରେ ତାଙ୍କୁ ଗୁରୁଦାୟିତ୍ୱ ମିଳିଥିଲା। ଖୁସି ମିଜାଜ ଓ ସୃଜନଶୀଳ ରାଜନେତା ଭାବେ ପରିଚିତ ଥିଲେ ବିଷ୍ଣୁ।ବିଧାନସଭାରେ ନିଜର ବଳିଷ୍ଠ ଯୁକ୍ତି ଓ ରଚନାତ୍ମକ ବ୍ୟଙ୍ଗ ଛଳରେ ସରକାରଙ୍କୁ ଅଡ଼ୁଆରେ ପକାଉଥିଲେ।

ବିଧାନସଭାକୁ ଦୁଇ ଦୁଇ ଥର ନିର୍ବାଚିତ ବିଷ୍ଣୁ ନିଜର ନିଆରା ଅନ୍ଦାଜରେ ସରକାରଙ୍କୁ ସମାଲୋଚନା କରିବାରେ ସିଦ୍ଧହସ୍ତ ଥିଲେ। କେବେ ଗୀତ ଗାଇ ତ କେବେ ଆଶୁ କବିତା ଜରିଆରେ କଟାକ୍ଷ କରିବାରେ ନିପୂଣ ଥିଲେ ସେ। ଅନେକ ସମୟରେ ତାଙ୍କର ଅଜବ ଯୁକ୍ତିକୁ ନେଇ ବି ବିବାଦୀୟ ହୋଇପଡ଼ିଥିଲେ। ବିଧାନସଭା ଭିତରେ ଓ ବାହାରେ ତାଙ୍କର ଉପସ୍ଥିତି ଓ ତାଙ୍କର ମନ୍ତବ୍ୟକୁ ସବୁବେଳେ ଚାହିଁ ବସୁଥିଲା ଗଣମାଧ୍ୟମ। ତେଲ ଦର ବୃଦ୍ଧି ପ୍ରଶ୍ନରେ ସାମ୍ୱାଦିକଙ୍କ ଦରମା କଥା ନେଇ କାଉଣ୍ଟର କରିବା ହେଉ ଅବା ବିନା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ଓ ଉପସ୍ଥିତିରେ ବିଜେପି ଉପରକୁ ଉଠିବା ଦିବାସ୍ୱପ୍ନ ଭଳି ଅନେକ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଆଉ ଏହି ବିବାଦୀୟ ଟିପ୍ପଣୀକୁ କଭରଅପ କରିବାକୁ ଦଳ ବି ନାକେଦମ୍ ହୋଇଥିଲା ଅତୀତରେ। ତା ସତ୍ତ୍ୱେ ବି ନିଜର ନିଆରା ଷ୍ଟାଇଲରେ ପୁଣି ସମସ୍ତଙ୍କୁ ଆପଣାର କରିବାର କଳାକୌଶଳ ବି ବେଶ୍ ଜଣାଥିଲା ତାଙ୍କୁ।

କିନ୍ତୁ ଏହି ଅମାୟିକ ମଣିଷଟି ଅବେଳରେ କାଳକୁ ପ୍ରାପ୍ତ ହୋଇଛନ୍ତି।  ତାଙ୍କର କାମ କରିବାର ସ୍ମରଣୀୟ ମୁହୂର୍ତ୍ତ ଓ ନିଆରା ଶୈଳୀ କେବଳ ଆଜିର ପିଢ଼ି ନୁହଁନ୍ତି, ପରବର୍ତ୍ତୀ ପିଢ଼ି ବି ଅନୁକରଣ କରିବ।

ନବକିଶୋର ସାହୁ, ସିମ୍ପୁଲ ନାୟକଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button