ରାଜନୀତିରାଜ୍ୟ

ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତା ଚଳିତ ଶତାବ୍ଦୀର ସବୁଠୁ ବଡ ମିଛ: ବିଜେପି

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ରାଜ୍ୟ ସରକାର କେବଳ ବନ୍ୟା ଓ ବାତ୍ୟାରେ ସୀମିତ କରି ରଖିଛନ୍ତି । ଜଙ୍ଗଲ, ପରିବେଶ, ସମୁଦ୍ର, ନଦୀ କ’ଣ ପ୍ରାକୃତିକ ସଂପଦ ନୁହେଁ ? ଏହାର ସଂରକ୍ଷଣ ଓ ସୁରକ୍ଷାର ଦାୟୀତ୍ୱ କ’ଣ ରାଜ୍ୟ ସରକାରଙ୍କର ନୁହେଁ ? ସର୍ବଭାରତୀୟ ସ୍ତରରେ ଓଡିଶା ରାଜ୍ୟ ବନାଗ୍ନିରେ ୧ମ, ସମୁଦ୍ର ତଟକ୍ଷୟରେ ୨ୟ, ସମୁଦ୍ର ଘୁଂଚିଯିବାରେ ୨ୟ, ମଣିଷ-ବନ୍ୟଜନ୍ତୁ ଲଢେଇରେ ୧ମ ସ୍ଥାନ ଅଧିକାର କରି ଅଲୋଡା ରେକର୍ଡର ଅଧିକାରୀ ହୋଇଛି । ଏହାକୁ ରୋକିବାର ରାଜ୍ୟ ସରକାରଙ୍କର କୈାଣସି ଉଦ୍ୟମ ଓ ଇଚ୍ଛାଶକ୍ତି ନାହିଁ । ଏ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ଉପରେ ରୋକ୍ ଲଗାଇବା ପାଇଁ କୈାଣସି ସମୀକ୍ଷା ମଧ୍ୟ କରୁନାହାନ୍ତି ରାଜ୍ୟ ସରକାର । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା କାହାଣୀ ହେଉଛି ଚଳିତ ଶତାବ୍ଦିର ସବୁଠୁ ବଡ ମିଛ ବୋଲି ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ୧୯୯୯ର ମହାବାତ୍ୟା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ବିପୁଳ କେନ୍ଦ୍ରୀୟ ଆର୍ôଥକ ସହାୟତା ଓ ୭ଲକ୍ଷରୁ ଉର୍ଦ୍ଧ୍ୱ ପକ୍କା ଘର ଯୋଗାଣ କାରଣରୁ ଉକ୍ତ ପ୍ରାକୃତିକ ଦୁର୍ବିପାକର ସଫଳ ମୁକାବିଲା କରାଯାଇପାରିଥିଲା । ପରବର୍ତୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଆପଦକାଳୀନ ସ୍ଥିତି ପାଇଁ ଆପଦ ପ୍ରତିକ୍ରିୟା ବଳ ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଗଠନ କରାଗଲା । ଏଥିରେ ରାଜ୍ୟ ସରକାରଙ୍କ ଭୂମିକା ନଗଣ୍ୟ ।

ଆଧୁନିକ ବୈଷୟିକ ଜ୍ଞାନର ସଦୁପଯୋଗ କରି ବନ୍ୟା ଓ ବାତ୍ୟାର ଆଗୁଆ ସୂଚନା ମିଳୁଛି ଏବଂ ତଦନୁଯାୟୀ ସତର୍କତା ଅବଲମ୍ବନ କରାଯାଇପାରୁଛି । ଜନଜୀବନ ହାନୀ ନିୟନ୍ତ୍ରିତ ହେଉଛି । ଓଡିଶାରେ ମହାବାତ୍ୟା ପରେ କେନ୍ଦ୍ରୀୟ ଅନୁଦାନରେ ନିର୍ମିତ ପକ୍କା ଆଶ୍ରୟ ସ୍ଥଳି ଗୁଡିକ ବିଶେଷ କାମରେ ଲାଗୁଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଜ୍ୟରେ କାମ୍ଫା ଫଣ୍ଡ ଗଠନ କରାଯାଇଥିଲା । ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟକୁ ମିଳିଥିବା ଏହି ପାଣ୍ଠିରୁ ମାତ୍ର ଏକ ତୃତୀୟାଂଶ ଅର୍ଥ ଅର୍ଥାତ ପାଖାପାଖି ୨୦୦୦ ହଜାର କୋଟି ଟଙ୍କା ବିନିଯୋଗ ହୋଇପାରିଛି । ଏହା ପୁଣି ଜଙ୍ଗଲ ସୃଷ୍ଟି କାର୍ଯ୍ୟରେ ଉପଯୋଗ କରାନଯାଇ ବିଭିନ୍ନ ବିଳାସମୟ ଓ ଆନୁସାଙ୍ଗିକ କାର୍ଯ୍ୟ ପାଇଁ ଉପଯୋଗ କରାଯାଇଛି ।

ବର୍ତମାନ ପ୍ରାକୃତିକ ବିପର୍ଯ୍ୟୟ କେବଳ ବନ୍ୟା ଓ ବାତ୍ୟାରେ ସୀମିତ ନାହିଁ । ଇସ୍ରୋର ଉପଗ୍ରହ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଓଡିଶା ସମୁଦ୍ର ତଟର ୩୨ଶତକଡା ଅବକ୍ଷୟର ସମ୍ମୁଖୀନ ହୋଇଛି ଏବଂ ୨୨ ଶତକଡା ସମୁଦ୍ର ତଟରୁ ସମୁଦ୍ର ଘୁଂଚି ସାରିଛି । ଏହା ସମୁଦ୍ର କୂଳ ଥିବା ସମସ୍ତ ଭାରତୀୟ ରାଜ୍ୟଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ।

ସେହିପରି ଚଳିତ ବନାଗ୍ନି ଋତୁ ଆରମ୍ଭ ହେବା ଦିନରୁ ଅର୍ଥାତ୍ ୧ନଭେମ୍ବର ୨୦୨୨ରୁ ୯ମାର୍ଚ୍ଚ ୨୦୨୩ ସୁଦ୍ଧା ଓଡିଶାରେ ୮୭୧ଟି ବୃହତ ବନାଗ୍ନି ସଂଗଠିତ ହୋଇଥିଲା । ଏ ସଂଖ୍ୟା ସମଗ୍ର ଦେଶର ଯେକୌଣସି ରାଜ୍ୟ ପାଇଁ ଏକ ସର୍ବକାଳୀନ ରେକର୍ଡ ।

ଓଡିଶାରେ ଘଟୁଥିବା ମଣିଷ – ପଶୁ ସଂଘର୍ଷ ଚରମସୀମାରେ ପହଁଚିଛି । ଗତ ତିନି ବର୍ଷରେ କେବଳ ହାତୀ ଆକ୍ରମଣରେ ଦେଶର ସର୍ବାଧିକ ୩୨୨ ଜଣ ଓଡିଶାରେ ମୃତ୍ୟୁ ବରଣ କରିଛନ୍ତି । ସେହିପରି ବିଦ୍ୟୁତ୍ ଆଘାତ ଯୋଗୁଁ ଓଡିଶାରେ ଦ୍ୱିତୀୟ ସର୍ବାଧିକ ୩୦ଟି ହାତୀ ମୃତ୍ୟୁବରଣ କରିଛନ୍ତି । ହୁଗୁଳା ଜଙ୍ଗଲ ପ୍ରଶାସନ କାରଣରୁ ମେ’୧ ତାରିଖ ଦିନ ଶିମିଳିପାଳରେ ଏକ ବିରଳ କଳା ବାଘର ମୃତ୍ୟୁ ଘଟିଲା । ଅନ୍ୟପକ୍ଷରେ ଜଙ୍ଗଲ ତସ୍କରଙ୍କ ଗୁଳି ମାଡରେ ଶିମିଳିପାଳର ବନରକ୍ଷୀ ବିମଳ ଜେନାଙ୍କ ମୃତ୍ୟୁ ଘଟିଛି । ରାଜଧାନୀର ରାଜଭବନରେ ଚନ୍ଦନ ଗଛ ସୁରକ୍ଷିତ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ନାମରେ ବିଭାଗୀୟ ମନ୍ତ୍ରୀ ମାନେ ମିଥ୍ୟା ପ୍ରଚାରରୁ ନିବୃତ ହୋଇ ଜଳବାୟୁ ସହନଶୀଳ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଅନ୍ୟତମ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button