ରାଜନୀତିରାଜ୍ୟ

ରାଜ୍ୟରେ ଆବଶ୍ୟକ ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର ମୁକ୍ତ ଶାସନ: ମନମୋହନ ସାମଲ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ଗତ ୯ ବର୍ଷରେ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ସମେତ ଗ୍ରାମାଂଚଳରେ ବସବାସ କରୁଥିବା ଗରୀବ ଓ ମଧ୍ୟବିତଙ୍କ ପାଇଁ ଅନେକ ଜନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରିଛନ୍ତି । ପକ୍କା ଘର, ଶୌଚାଳୟ, ପାନୀୟ ଜଳ ଦେବା ସହ ବିଜୁଳି, ରାସ୍ତା, କୃଷକ ଆୟ ଦୁଇଗୁଣିତ ଓ ବୀମା ଯୋଗାଇ ଦେବା, ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ଭଳି କାର୍ଯ୍ୟ ମୋଦି ସରକାର କରିଛନ୍ତି । ମାତ୍ର ଓଡିଶା ବିକାଶରେ ବାଧକ ସାଜିଥିବା ବିଜେଡି ସରକାର ପାଇଁ କେନ୍ଦ୍ର ସରକାରଙ୍କ ମହତ୍ୱକାଂକ୍ଷି ଯୋଜନା ଓଡ଼ିଶାର ତୃଣମୂଳସ୍ଥରକୁ ପଂହଚିପାରୁନାହିଁ । ଏହି କାରଣରୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳରୁ ବଂଚିତ ହେଉଛନ୍ତି ଓଡିଶାବାସୀ । ଗତ ୨୩ବର୍ଷ ଧରି ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର, ଅସାମ୍ବିଧାନିକ ସରକାର ଚାଲିଛି । ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟରେ ‘ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଓ ‘ବିଜେଡି ମୁକ୍ତ’ ଶାସନର ଆବଶ୍ୟକତା ରହିଛି ବୋଲି ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୯ବର୍ଷର ସଫଳତାକୁ ନେଇ ମଇ ୨୯ ରୁ ଜୁନ୍ ୩୦ପର୍ଯ୍ୟନ୍ତ ଗାଁ ଗାଁ ଘର ଘରକୁ ଯାଇ ପ୍ରଚାର କରିବେ । ଆଗାମୀ ୨୦୨୪ରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପାଇଁ ସମସ୍ତ କାର୍ଯ୍ୟ କରିବ । ଆଗାମୀ ଦିନରେ ସରକାର କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ସମେତ କେନ୍ଦ୍ରରେ ୯ ବର୍ଷର ମୋଦି ସରକାରଙ୍କ ଉପଲବ୍ଧତାକୁ ନେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶର ଟୁଡୁ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ସାଂଗଠନିକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ଆଗାମୀ ୪ ମାସର ରୋଡମ୍ୟାପର ବିସ୍ତୃତ ଆଲୋଚନା କରିଥିଲେ ।  ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟ ପଦାଧିକାରୀ ବୈଠକରେ ଆଗତ ହୋଇଥିବା ସମସ୍ତ ପ୍ରସଙ୍ଗରେ ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତ ପ୍ରସ୍ତାବ ପାରିତ କରାଯାଇଅଛି । ଆଜି ସକାଳେ କାର୍ଯ୍ୟକାରିଣୀ ଉଦ୍‌ଘାଟନ ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବନ୍ଦେ ମାତରଂ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ବିୟୋଗରେ କାର୍ଯ୍ୟକାରିଣୀରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଶେଷରେ ରାଷ୍ଟ୍ରୀୟ ଗାନ କରାଯାଇ ବୈଠକ ସମାପ୍ତ ହୋଇଥିଲା ।

ଆଜିର କାର୍ଯ୍ୟକାରିଣୀ ବୈଠକ ସଂପର୍କରେ ସୁଚନା ଦେଇ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଆଜିର କାର୍ଯ୍ୟକାରିଣୀରେ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୟୀ ପାଇଁ ପାର୍ଟୀ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥି ସହ ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରୀ ବିଜେଡି ସରକାର ବିରୁଦ୍ଧରେ ଘର ଘର ଯାଇ ଜନଜାଗରଣ ସୃଷ୍ଟି କରାଯିବ । ନବୀନ ବାବୁ କ୍ଷମତାରେ ରହିବା ପାଇଁ ଏଜେଣ୍ଡା ଚଳାଇଛନ୍ତି । ରାଜ୍ୟରେ ବେରୋଜଗାରୀ, କୁପୋଷଣ, ମହାପ୍ରଭୁଙ୍କ ନୀତି ବିଭ୍ରାଟ, ଶ୍ରୀମନ୍ଦିର ଫାଇଲ ଚୋରୀ, ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଲାଗୁନହେବା, ୫ଟି ରୂପାନ୍ତରଣ ନାମରେ ଦୁର୍ନୀତି, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଅଘୋଷିତ ବିଜୁଳି କାଟ, କୋଟିଆ ସମସ୍ୟା, ସୀମା ସୁରକ୍ଷାରେ ରାଜ୍ୟ ସରକାର ବିଫଳ, ଚିଟଫଣ୍ଡ ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ କାର୍ଯ୍ୟକାରିଣୀରେ ଆଲୋଚନା କରାଯାଇଛି ।

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସର୍ବସମ୍ମୁଖରେ ଜଣେ ପୋଲିସ କର୍ମଚାରୀ ଗୁଳି କରି ହତ୍ୟା କରାଯିବାର ୪ ମାସ ବିତିବାକୁ ଗଲାଣି, କିନ୍ତୁ ରାଜ୍ୟ ସରକାର ବର୍ତମାନ ସୁଦ୍ଧା ହତ୍ୟାକାଣ୍ଡର ସତ୍ୟକୁ ସାମ୍ନାକୁ ଆଣିବାରେ ବିଫଳ ହେଲେ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ସମୟରେ ଦୀର୍ଘ ସମୟ ଧରି ବିଜୁଳି ଚାଲିଯିବା ଘଟଣା ରାଜ୍ୟ ସରକାରଙ୍କ ଦାୟୀତ୍ୱହୀନତା ଓ ହେୟଜ୍ଞାନ ମନୋଭାବକୁ ସ୍ପଷ୍ଟ କରିଛି । ସେହିପରି ମହିଳା ଅତ୍ୟାଚାରରେ ସମଗ୍ର ଦେଶରେ ୧ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ମହିଳାଙ୍କ ପ୍ରତି ଅସଦାଚରଣ କରିବା ପାଇଁ ବିଜେଡି ନେତା, ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଲାଇସେନ୍ସ ଦେଇ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଅସାଦାଚରଣ, ଅପରାଧକୁ ନେତୃତ୍ୱ ଦେଉଛି ଶାସକ ବିଜେଡି । ବିଜେଡି ସରକାରର ଆନ୍ତରିକତା ଅଭାବ କାରଣରୁ ମହାନଦୀ ଜଳ ସମସ୍ୟା ସମାଧାନ ହୋଇପାରୁନାହିଁ । ବିଜେଡି ମୁକ୍ତ ଓଡ଼ିଶା ଗଠନ କରିବା ବିଜେପି ସଂକଳ୍ପବଦ୍ଧ । କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ଆଧାର କରି ଭାରତୀୟ ଜନତା ପାର୍ଟି ଘରକୁ ଘର ଯିବ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

କେନ୍ଦ୍ରରେ ୯ବର୍ଷ ମୋଦି ସରକାରଙ୍କ ଅଭିଯାନର ସଫଳତା ସଂପର୍କରେ କାର୍ଯ୍ୟକାରିଣୀରେ ହୋଇଥିବା ଆଲୋଚନା ସଂପର୍କରେ ସୁଚନା ଦେଇ ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି ଯେ, ମୋଦି ସରକାର ଅମଳରେ ଗରୀବକଲ୍ୟାଣ ପାଇଁ ସମସ୍ତ ପ୍ରକାର ଯୋଜନା କରାଯାଇଛି । ଦେଶର ପ୍ରଧାନ ସେବକ ଭାବେ ନିଜ ଦାୟୀତ୍ୱକୁ ସୁଚାରୁ ରୂପେ ନିର୍ବାହ କରିଆସୁଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଆନ୍ଦୋଳନର ରୂପ ଦେଇସାରିଛନ୍ତି । ବୈଶ୍ୱିକ ମହାମାରୀ କୋଭିଡ ସଂକଟକୁ ସଫଳତାର ସହ ମୁକାବିଲା କରି ଏକ ଇତିହାସ ରଚିଛନ୍ତି । ଆଜିକୁ ୩ବର୍ଷ ହେଲା ପ୍ରଧାନମନ୍ତ୍ରୀ ଗରୀବକଲ୍ୟାଣ ଅନ୍ନ ଯୋଜନା ଜରିଆରେ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ଓ ରାସନ ଯୋଗାଉଛନ୍ତି । “ମେକ୍ ଇନ ଇଣ୍ଡିଆ ସଂକଳ୍ପ ନେଇ ଭାରତ ଆଗେଇଛି । ଭାରତୀୟ ଜନତା ପାର୍ଟି କାର୍ଯ୍ୟକାରିଣୀ ମାଧ୍ୟମରେ କାର୍ଯ୍ୟକର୍ତାଙ୍କୁ ସକ୍ରିୟ କରିବା ସହ ସାଧାରଣ ଜନତାଙ୍କ ଭିତରେ ଜନଜାଗରଣ ସୃଷ୍ଟି କରିବା ମୂଳ ଉର୍ଦ୍ଦେଶ୍ୟ । ମୋଦିଜୀଙ୍କ କଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଘର ଘରକୁ ଯାଇ ବ୍ୟାପକ ଅଭିଯାନ କରାଯାଇ ପଦଯାତ୍ରା ଜରିଆରେ ସଚେତନ କରାଯିବ ବୋଲି ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ମୋଦିଜୀଙ୍କ ପାଇଁ ଓଡିଆଙ୍କ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନା କରିବା ସହ ଓଡ଼ିଆଙ୍କୁ ସବାଗ୍ରେ ରଖିଛନ୍ତି । ଯମୁନା ସିଂ, ହଳଧର ନାଗଙ୍କ ଭଳି ଲୁକ୍କାୟିତ ପ୍ରତିଭାକୁ ସମ୍ମାନ ଦେଇଛନ୍ତି । ୨୦୧୩ ମସିହା ପର୍ଯ୍ୟନ୍ତ ଓଡିଶାକୁ ରେଳ ବଜେଟରେ ହାରାହାରି ୭୫୦କୋଟି ରେଳ ଅନୁଦାନ ଆସୁଥିବାବେଳେ ମୋଦି ସରକାର ଅମଳରେ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ଚଳିତ ବର୍ଷରେ ରେକର୍ଡ ପରିମାଣର ୧୦୦୧୨ କୋଟି ଟଙ୍କାରେ ପହଂଚିଛି । କୈାଣସି ବିପର୍ଯୟର ଆଭାସ ମିଳିଲେ ଓଡିଶାକୁ ଅଗ୍ରୀମ ଭାବେ ଆର୍ଥୀକ ସହାୟତା ପ୍ରଦାନ କରୁଛନ୍ତି ମୋଦି ସରକାର । ମୋଦିଜୀଙ୍କ ପାଇଁ ରାଜ୍ୟରେ ରେଳ, ରାସ୍ତା, ବିମାନସେବା କ୍ଷେତ୍ରରେ ବ୍ୟାପକ ବିସ୍ତାର ହୋଇଛି । ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ଚିକିତ୍ସା ପାଇଁ ୫ଲକ୍ଷ ଯୋଗାଉଛନ୍ତି କିନ୍ତୁ ନବୀନ ବାବୁ କାହିଁକି ଓଡ଼ିଶାବାସୀଙ୍କୁ ସେଥିରୁ ବଂଚିତ କରୁଛନ୍ତି? କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନା କହିବା ବନ୍ଦ କରନ୍ତୁ । ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାର, ଅପାରଗ ସରକାରକୁ ଧରାସାଇ କରି ବିଜେପି ଶାସନକୁ ଆସିବା ପାଇଁ ବ୍ୟାପକ ଜନଜାଗରଣ କରାଯିବ ବୋଲି କାର୍ଯ୍ୟକାରିଣୀରେ ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।

ଆଜିର ରାଜ୍ୟ କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ କୋର କମିଟି ସଦସ୍ୟ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୁଖପାତ୍ର, ସାଂସଦ, ବିଧାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ସମସ୍ତ ମୋର୍ଚ୍ଚାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button