ପାଖରେ ଶୁଅ ସରକାରୀ ଚାକିରୀ ମିଳିବ

କର୍ଣ୍ଣାଟକ: କର୍ଣ୍ଣାଟକରେ ସରକାରୀ ଚାକିରୀ କରିବାକୁ ହେଲେ ମହିଳାଙ୍କୁ କାହାରି ନା କାହାରି ସହ ଶୋଇବାକୁ ପଡ଼େ। ଆଉ ପୁରୁଷ ଲାଞ୍ଚ ନ ଦେଲେ ଚାକିରୀ ମିଳିବା ସ୍ୱପ୍ନ। ବିଜେପି ଶାସିତ କର୍ଣ୍ଣାଟକ ସରକାରଙ୍କ ବିରୁଦ୍ଧରେ ଏଭଳି ବିଷ ଓଗାଳିଥିଲା ବେଳେ ଚାକିରୀକୁ ନେଇ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ। ରାଜ୍ୟ ପିସିସି ମୁଖପାତ୍ର ତଥା ବିଧାୟକ ପ୍ରିୟଙ୍କ ଖଡଗେ ଏଭଳି ଗୁରୁତର ଅଭିଯୋଗ ଆଣିବା ପରେ ସବୁଠି ହଇଚଇ। ସରକାରୀ ନିଯୁକ୍ତିରେ ଏଭଳି ବଡ଼ ଧରଣର ସ୍କାମ୍ ର ଏସଆଇଟି ତଦନ୍ତ ଦାବି କରିଛନ୍ତି ଖଡଗେ। ତା ସହ ଏ ସବୁର ତ୍ୱରିତ ବିଚାର ଲାଗି ସରକାର ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରନ୍ତୁ ବୋଲି ଅପିଲ୍ କରିଛନ୍ତି। ଖଡଗେଙ୍କ ଅଭିଯୋଗ ଅନୁସାରେ, କର୍ଣ୍ଣାଟକରେ ସରକାରୀ ଚାକିରୀ ବିକ୍ରି ହେଉଛି। ଯଦି ଜଣେ ମହିଳା ସରକାରୀ ଚାକିରୀ ପାଇବା ଲାଗି ଚାହୁଁଛନ୍ତି, ତେବେ ଶିକ୍ଷାଗତ ଯୋଗ୍ୟତା ମୂଳ ମାପକାଠି ନୁହେଁ। ମହିଳାଙ୍କୁ କାହାରି ନା କାହା ସହ ଶୋଇବାକୁ ପଡ଼ୁଛି। ଆଉ ପୁରୁଷ ଲାଞ୍ଚ ନ ଦେଲେ ସରକାରୀ ଚାକିରୀର ସ୍ୱପ୍ନ ଦେଖିବା ବୃଥା। ତେବେ କର୍ଣ୍ଣାଟକ ସରକାରର ଜଣେ ମନ୍ତ୍ରୀ ଜଣେ ଯୁବତୀଙ୍କୁ ସରକାରୀ ଚାକିରୀ କରାଇଦେବାକୁ କହି ତାଙ୍କ ସହ ଶୋଇବାକୁ କହିଥିଲେ। ଆଉ ସଂପୃକ୍ତ ଯୁବତୀ ନିଯୁକ୍ତି ସ୍କାମ୍ କଥା ଉଠିବା ପରେ ଚାକିରୀରୁ ଇସ୍ତଫା ଦେଇସାରିଛନ୍ତି। ଆଉ ଏହାର ଚାକ୍ଷୁସ ପ୍ରମାଣ କୁଆଡ଼େ ତାଙ୍କ ପାଖରେ ଅଛି ବୋଲି ଦାବି କରୁଛନ୍ତି ଖଡଗେ। କର୍ଣ୍ଣାଟକ ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ ବା କେପିଟିସିଏଲ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ସିଭିଲ ଇଞ୍ଜିନିୟର ପାଇଁ ୧୪ଶହ ୯୨ଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି ବାହାର କରିଥିଲା। ଜଣେ ପ୍ରାର୍ଥୀ ପରୀକ୍ଷାରେ ବ୍ଲୁ-ତୁଥ୍ ବ୍ୟବହାର କରି ଲେଖୁଥିଲା ବେଳେ ଧରାପଡ଼ିଥିଲେ। ଆଉ ଗିରଫ ହୋଇଥିଲେ। ଏହାକୁ ଭିତ୍ତିକରି ବିଧାୟକ ଖଡଗେ କହିଛନ୍ତି କି, ପ୍ରାୟ ୬ଶହ ପଦବୀ ପାଇଁ ମୋଟା ଅଙ୍କର ଡିଲ୍ ହୋଇଥିଲା। ସନ୍ଦେହ କରାଯାଉଛି କି, ସହକାରୀ ଯନ୍ତ୍ରୀ ଆଶାୟୀଙ୍କଠୁ ୫୦ ଲକ୍ଷ ଓ କନିଷ୍ଠ ଯନ୍ତ୍ରୀ ଆଶାୟୀଙ୍କଠୁ ୩୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଛି। ଏମିତିରେ ଦେଖିବାକୁ ଗଲେ ପ୍ରାୟ ୩ଶହ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା ଅନୁମାନ କରୁଛନ୍ତି ଖଡଗେ। ଏମିତି ହେଲେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀ କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି ଖଡଗେ। କର୍ଣ୍ଣାଟକ ସରକାର ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଛନ୍ତି। ଯେଉଁମାନେ କେପିଟିସିଏଲରେ ବାହାରିଥିବା ପଦବୀ ଲାଗି ଆବେଦନ କରିଥିଲେ। ସେପଟେ ବିଜେପି ଏହାର କଡ଼ା କାଉଣ୍ଟର କରିଛି। ଏଭଳି ନୀଚ କାମ କଂଗ୍ରେସ ସରକାର ଅମଳରେ ହେଉଥିବ। ସବୁସ୍ତରରେ ଉତ୍କର୍ଷତା ଲାଭ କରୁଥିବା ଯୁବତୀ ଓ ମହିଳାଙ୍କ ପ୍ରତି ଏଭଳି ଅପଶବ୍ଦ ବ୍ୟବହାର କରିଥିବା କଂଗ୍ରେସ ବିଧାୟକ ଦେଶର ମହିଳାଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ। ଗଲା ଏପ୍ରିଲରେ ବି ପିଏସଆଇ ନିଯୁକ୍ତିରେ କିଭଳି ବ୍ୟାପକ ଲାଞ୍ଚ କାରବାର ହୋଇଥିଲା, ସେ ସମ୍ପର୍କିତ ଏକ ଅଡିଓ ଟେପ୍ ଜାରି କରିଥିଲେ ଖଡଗେ। ଜଣେ ପ୍ରାର୍ଥୀ ଓ ଦଲାଲଙ୍କ ଭିତରେ ଚାକିରୀ ପାଇବାକୁ ନେଇ ଡିଲ୍ ସମ୍ପର୍କିତ କଥାବାର୍ତ୍ତା ହୋଇଥିଲା। ଗୃହ ମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ରଙ୍କ ଇସ୍ତଫା ଦାବି କରିଥିଲେ ଖଡଗେ। ଏଡିଜିପିଙ୍କୁ ଅନ୍ୟ ବିଭାଗକୁ ବଦଳି କିମ୍ୱା ତଦନ୍ତ ନ ସରିଲା ଯାଏ ଛୁଟିରେ ପଠାଇ ଦିଆଯାଉ ବୋଲି ଦାବି କରିଥିଲେ। ତେବେ ଅଡ଼ିଓ ରିଲିଜ ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ନିଯୁକ୍ତି ଅନିୟମିତତାର ତଦନ୍ତ ହେବ ବୋଲି କଥା ଦେଇଥିଲେ। ଆଉ ଯିଏ ବି ଦୋଷୀ, ସେମାନଙ୍କ ବିରୁଦ୍ଧରେ ଆକ୍ସନ ହେବ ବୋଲି ପ୍ରତିଶୃତି ଦେଇଥିଲେ।
- ପ୍ରଦୀପ ନାୟକଙ୍କ ରିପୋର୍ଟ