ତମାଖୁ ନୀରବ ଘାତକ ସାଜିଛି। ଥରେ ସେ ଜାଲରେ ଛନ୍ଦି ହେଲେ ସେଥିରୁ ମୁକୁଳିବା ରାସ୍ଥା କଷ୍ଟକର ହେଉଛି। ଏ ବଦଭ୍ୟାସର ଶିକାର ହୋଇ ଲକ୍ଷ ଲକ୍ଷ ଲୋକ ଜୀବନ ଥାଉ ଥାଉ ମୃତ୍ୟୁବତ ଯନ୍ତ୍ରଣା ଭୋଗୁଛନ୍ତି। ଛୋଟ ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ଯାଏଁ ମହିଳା ପୁରୁଷ ନିର୍ବିଶେଷରେ ତମାଖୁ ଖାଉଛନ୍ତି ଓ ତାର ଘାତକ ପରିଣତି ପ୍ରତି ସମୟରେ ଭୋଗୁଛନ୍ତି । ଏହି ପ୍ରସଙ୍ଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତି ବର୍ଷ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ନିରୋଧ ଦିବସ ଭାବରେ ପାଳନ କରାଯାଉଛି ।
ବିଭିନ୍ନ ସର୍ଭେ ରିପୋର୍ଟରୁ ମିଳୁଥିବା ତଥ୍ୟ କହୁଛି, ବିଶ୍ୱରେ ପ୍ରାୟ ୬୦ ଲକ୍ଷ ଲୋକ ଧୂମପାନଜନିତ ରୋଗ ଦ୍ୱାରା ପିଡ଼ିତ ହୋଇ ମୃତ୍ୟୁବରଣ କରିଥାନ୍ତି। ସେମାନଙ୍କ ମଧ୍ୟରୁ ୧୦% ଅର୍ଥାତ ୬ ଲକ୍ଷ ଲୋକ ଧୂମପାନ କରୁନଥିଲେ ମଧ୍ୟ ତାଙ୍କ ଆଖପାଖରେ ଧୂମପାନ ହେବାରୁ ସେମାନେ ପରୋକ୍ଷ ଭାବେ ରୋଗଗ୍ରସ୍ଥ ହୋଇଛନ୍ତି। ଏପରିକି ଗର୍ଭସ୍ଥ ଶିଶୁ ମଧ୍ୟ ପରୋକ୍ଷ ଭାବେ ତା ଦ୍ୱାରା ପ୍ରଭାବିତ ହୋଇ ବିଭିନ୍ନ ଶାରୀରିକ ଓ ମାନସିକ ଅକ୍ଷମତା ସହ ଜନ୍ମ ହେଉଛି।
କୁହାଯାଏ ଗୋଟିଏ ସିଗାରେଟ୍ ଆମ ଜୀବନର ୧୧ ମିନିଟ କ୍ଷୟ କରିଦିଏ। ଘାତକ କ୍ୟାନସର ରୋଗ ପଛରେ ମଧ୍ୟ ସେହି ତମାଖୁର ବଡ ଭୂମିକା ଥିବା ବେଳେ ୨୦% ହୃଦରୋଗର କାରଣ ପଛରେ ସ୍ମୋକିଂ ରହିଛି। ୱାଲ୍ଡ ହେଲ୍ଥ ଅର୍ଗାନାଇଜେସନର ଆକଳନ ଅନୁଯାୟୀ ଭାରତର ୭୦% ପୁରୁଷ ଏବଂ ପ୍ରାୟ ୧୫% ମହିଳା ଧୂମପାନ କରିଥାନ୍ତି । ଯାହା ରକ୍ତଚାପ, ମଧୂମେହ, ମସ୍ତିଷ୍କାଘାତ, ଶ୍ୱାସଜନିତ ସମସ୍ୟା, ହାଡ଼ର ଦୁର୍ବଳତା, ଯୌନ ଅକ୍ଷମତା ଓ ଜନ୍ମିତ ଶିଶୁଙ୍କ ବିଭିନ୍ନ ସମସ୍ୟାର କାରଣ ହୋଇଥାଏ ।
ତମାଖୁ ପ୍ରସ୍ତୁତି, ବିକ୍ରି ଓ ସେବନ ବିରୋଧରେ ଦୀର୍ଘ ଦିନ ଧରି କିଛି ଲୋକ ସ୍ୱର ଉତ୍ତୋଳନ କରୁଥିବା ବେଳେ ଅନେକ ଲୋକ ତାକୁ ପ୍ରସ୍ତୁତ କରି ବିକୁଛନ୍ତି ଓ ଲକ୍ଷ ଲକ୍ଷ ଲୋକ ତାକୁ ବିନା ଦ୍ୱିଧାରେ ସେବନ କରୁଛନ୍ତି। ଗୁଟଖା, ସିଗାରେଟ୍, ଖଇନି ଭଳି ସମାଗ୍ରୀ ଗାଁରୁ ସହର ଯାଏଁ ସବୁଠି ଅତି ସହଜରେ ମିଳୁଛି ଓ ଲୋକ ଦୈନନ୍ଦିନ ଖାଦ୍ୟ ଭଳି ତାକୁ କିଣି ଖାଉଛନ୍ତି ।ଯାହା ଆର୍ଥୀକ ଓ ସାମାଜିକ ଭାବେ ମଧ୍ୟ ପ୍ରଭାବ ପକାଉଛି ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ କହୁଛି ଓଡ଼ିଶାରେ ୧୫ ବର୍ଷରୁ ଉର୍ଦ୍ଧ ବୟସର ୫୧.୬% ପୁରୁଷ ଓ ୨୬% ମହିଳା ତମାଖୁ ସବେନ କରୁଛନ୍ତି। ଏପରିକି ରାଜ୍ୟ ରାଜଧାନୀ ରେ ଯଥାକ୍ରମେ ପୁରୁଷ ୪୦.୫% ଓ ମହିଳା ୧୬.୬% ତମାଖୁ ସେବନ କରୁଛନ୍ତି ତମାଖୁ ମଧ୍ୟରେ ସର୍ବାଧିକ ସିଗାରେଟ ପିଇବା ଲୋକଙ୍କ ସଂଖ୍ୟା ଅଧିକ । ତା ପଛକୁ ଗୁଟଖା ଓ ଖଇନି ଆଦି ରହିଛି । ଏ ପରିସଂଖ୍ୟାନ କମ୍ ବେଶୀ ହୋଇପାରେ କିନ୍ତୁ ଯୁଆଡ଼େ ଆଖି ବୁଲାଇବେ ସେ ବଦଭ୍ୟାସରେ ପିଡ଼ିତ ଲୋକଙ୍କୁ ଦେଖିବା ହିଁ ଅନେକ ସଙ୍କେତ ଦେଉଛି ।
ରାଜ୍ୟ ସରକାର ୨୦୧୩ ମସିହାରେ ଗୁଟଖା, ତମାଖୁ ପରି ନିଶାଦ୍ରବ୍ୟ ଉତ୍ପାଦନ, ବିକ୍ରି ଓ ସେବନକୁ ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଥିଲେ । କିନ୍ତୁ ଏ ନିୟମର ଖୋଲା ଉଲଂଘନ ଅତି ବ୍ୟାପକ ଭାବେ ଚାଲିଛି । କୋଟପା ଆଇନ ଏକ ପ୍ରହସନରେ ପରିଣତ ହୋଇଛି। ବସ୍ତି ଅଞ୍ଚଳର ପିଲା ଅତି କମ ବୟସରୁ ଏ ଅଭ୍ୟାସ କରିବା ବଡ ଆହ୍ୱାନ ହୋଇ ଠିଆ ହୋଇଛି ।
ମଦ, ଗଞ୍ଜେଇ ଭଳି ନିଶାଠାରୁ କମ ମୂଲ୍ୟରେ ମିଳୁଥିବାରୁ ତମାଖୁର ଗ୍ରାହକ ସଂଖ୍ୟା ସର୍ବାଧିକ ରହୁଛି। ଅନ୍ୟ ଏକ ବିଡମ୍ୱନା ହେଉଛି ଯେ ପ୍ରତି ବର୍ଗ ଓ ବୟସର ଲୋକ ବଦଭ୍ୟାସରେ ପଡ଼ୁଥିଲେ ମଧ୍ୟ ସେଥିରୁ ମୁକୁଳେଇବା ପାଇଁ ଯେଉଁ ନିଶା ନିବାରଣ କେନ୍ଦ୍ର ମାନ କାମ କରୁଛନ୍ତି ସେଠି ୧୮ ବର୍ଷରୁ ସାନ ପିଲାଙ୍କ ପାଇଁ ନା ବ୍ୟବସ୍ଥା ଅଛି ନା ମହିଳାଙ୍କ ପାଇଁ ବ୍ୟବସ୍ଥା ଅଛି । ଏପରିକି ଆବଶ୍ୟକସ୍ଥଳେ ପିଲାଙ୍କୁ ରଖିବା ମଧ୍ୟ ଆଇନସମ୍ମତ ହେଉନାହିଁ ।
ଏ ବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସର ବାର୍ତ୍ତା ରହିଛି ‘ତମାଖୁମୁକ୍ତ ଶୈଶବ’। ଶିଶୁଙ୍କୁ ତମାଖୁ ଠାରୁ ଦୁରେଇ ରଖିବାକୁ ହେଲେ ତାର ଉତ୍ପାଦନ,ବିକ୍ରି ଓ ସେବନକାରୀକୁ ଅଙ୍କୁଶ ଲଗାଇବାକୁ ହେବ। ଅନେକ ଉଦାହରଣ ରହିଛି ଯେଉଁଠି ବାପା ମା’ ନିଶା ଦ୍ରବ୍ୟ ସେବନ କରୁଛନ୍ତି ସେଠି ପିଲାମାନେ ସହଜରେ ଅଭ୍ୟସ୍ତ ହେଉଛନ୍ତି । ଏବଂ ଛୋଟ ବେଳୁ ଯଦି କୌଣସି ବଦଭ୍ୟାସ ଆରମ୍ଭ ହେଉଛି ତାକୁ ଛଡ଼ାଇବା ବେଶୀ କଷ୍ଟ ବୋଲି ବିଶେଷଜ୍ଞ କହି ଆସିଛନ୍ତି । ଏବଂ ପିଲା ବୟସରୁ ଯଦି ସଚେତନ କରାଯିବ ତେବେ ତାହା ବେଶୀ ପ୍ରଭାବୀ ହୋଇପାରିବ।
ଉଭୟ ଧୂମଯୁକ୍ତ ଓ ଧୂମହୀନ ତମାଖୁ ପାଇଁ କଡ଼ା ପଦକ୍ଷେପ ଜରୁରୀ। ନିଶା କିଣିବାନି ନିଶା ଖାଇବାନିର ସ୍ଲୋଗାନ ସହ କିଛି ସ୍ୱେଚ୍ଛାସେବୀ ଦିନ ରାତି ଶ୍ରମ କରୁଥିବା ବେଳେ ସରକାରୀ ନୀତି, ନିୟମ ଓ କାର୍ଯ୍ୟାନୁଷ୍ଠାନରେ ଥିବା ଗଳାବାଟ ତାଙ୍କ କାମକୁ ଜଟିଳ କରୁଛି। ଦିବସ ପାଳନ ବେଳେ ଯେଉଁ ସଂକଳ୍ପ ହେଉଛି ତାକୁ ସଫଳ କରିବାର ଉଦ୍ୟମରେ ସମସ୍ତଙ୍କ ସହଯୋଗ ନିରନ୍ତର ହେବା ଜରୁରୀ।
ସୁପ୍ରିୟା ଦାଶଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now