ଭୁବନେଶ୍ୱର : ବାଲେଶ୍ୱର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ଅତି ହୃଦୟ ବିଦାରକ ରେଳ ଦୁର୍ଘଟଣାକୁ ନେଇ ସାରାବିଶ୍ୱ ଆଜି ସମବେଦନା ଜଣାଉଛି । ମୃତ୍ୟୁଶଯ୍ୟାରେ ଶୋଇଯାଇଛନ୍ତି ଶହ ଶହ ଯାତ୍ରୀ, ଉଜୁଡି ଯାଇଛି ଶହ ଶହ ଘର । ଆରପାରିକୁ ଚାଲିଯାଇଛି ଘରର ମେରୁଦଣ୍ଡ । ତେବେ କାହାର ରୋଜଗାରିଆ ପୁଅ ଚାଲିଯାଇଛି ତ, ଆଉ କାହା ଘରର ରୋଜାଗାରିଆ ବାପା । ସରକାରଙ୍କ ତରଫରୁ ମୃତକ ଏବଂ ଶାରୀରିକ ଅକ୍ଷମଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଥିଲେ ମଧ୍ୟ ଅସହାୟ ହୋଇ ପଡ଼ିଛି ଆଜି ହଜାର ହଜାର ପରିବାର ।
ତେବେ ଏକାସାଙ୍ଗରେ ତିନୋଟି ଟ୍ରେନ୍ ଧକ୍କା ହେବା ଫଳରେ ବହୁ ସଂଖ୍ୟାରେ ଲୋକ ଆହତ ହେବା ସହ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି । ଭାରତୀୟ ରେଳବାଈରେ ହଜାର ହଜାର ପଦବୀ ଖାଲି ପଡ଼ିଚି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ଏବଂ ଶାରୀରିକ ଅକ୍ଷମଙ୍କ ପରିବାର ସଦସ୍ୟଙ୍କୁ ସେମାନଙ୍କ ଯୋଗ୍ୟତା ହିସାବରେ ନିଯୁକ୍ତି ଦେବା ପାଇଁ ଆଜି ନିବେଦନ କରାଯାଉଛି ।
ସେହି ଉଦ୍ଦେଶ୍ୟରେ ଆଜି ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ମହାଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି ଏବଂ ଆଗାମୀ ଦିନରେ ଓଡ଼ିଶାର ସମସ୍ତ କୋଣ ଅନୁକୋଣରୁ ଏହି ଦସ୍ତଖତ ସଂଗ୍ରହ କରି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ।
ଏହା ସହ ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଗୀମ ଦିନରେ ସ୍କୁଲ୍, କଲେଜ, ବିଶ୍ୱବିଦ୍ୟାଳୟ ଓ ଓଡ଼ିଶାର ସବୁ ଜାଗାରେ ଦସ୍ତଖତ ଅଭିଯାନ ଚାଲିବ । ଅନଲାଇନ୍ ମାଧ୍ୟମରେ ଏକ ସ୍ୱତନ୍ତ୍ର ପିଟିସନ୍ ଆରମ୍ଭ କରି ସମସ୍ତ ଲୋକମାନଙ୍କର ଦସ୍ତଖତ ଗ୍ରହଣ କରିବା ସହ ସାମାଜିକ ଗଣମାଧ୍ୟମରେ ଏ ନେଇ ସଚେତନତା ଆରମ୍ଭ କରାଯିବ । ଆହୁରି ମଧ୍ୟ ଆଗାମୀ ଦିନ ରେଳମନ୍ତ୍ରୀଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର ଆୟୋଜନ କରାଯାଇ ତାଙ୍କୁ ଏ ନେଇ ଅବଗତ କରାଯିବ । ତେବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀମାନଙ୍କ ନେତୃତ୍ୱରେ ଏହି ଦସ୍ତଖତ ଅଭିଯାନ ସମ୍ପାଦନ କରାଯାଉଛି । ତେବେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକ ଓ ଶାରୀରିକ ଅକ୍ଷମ ପରିବାର ସଦସ୍ୟଙ୍କୁ ରେଳ ବିଭାଗରେ ସ୍ଥାୟୀ ନିଯୁକ୍ତି ସେମାନଙ୍କ ପାଇଁ ପ୍ରକୃତ ସହାୟକ ହେବ ବୋଲି ଆଶା କରାଯାଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now