ବାହାନଗା ଉଚ୍ଚ ବିଦ୍ୟାଳୟ ଶବ ରଖାଯାଇଥିବା ଶ୍ରେଣୀଗୃହ ଭଙ୍ଗା କାର୍ଯ୍ୟ ଆରମ୍ଭ

ବାଲେଶ୍ଵର : ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଜି ବାହାନଗା ଉଚ୍ଚ ବିଦ୍ୟାଳୟରେ ଶବ ରଖାଯାଇଥିବା ଶ୍ରେଣୀଗୃହ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି । ପିଲାମାନେ ବିଦ୍ୟାଳୟକୁ ଆସିବାକୁ ଭୟ କରିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପରିଚାଳନା କମିଟି ଉପସ୍ଥିତିରେ ଏହି ଭଙ୍ଗା କାର୍ଯ୍ୟ ଜାରୀ ରହିଛି । ଗତକାଲି ସ୍କୁଲ ପରିଦର୍ଶନ ପରେ ଏହି କୋଠରୀଗୁଡିକୁ ଭାଙ୍ଗିବା ପାଇଁ ବାଲେଶ୍ଵର ଜିଲ୍ଲାପାଳ ଦତାତ୍ରୟ ଭାଉ ସାହେବ ଶିନ୍ଦେ ନିର୍ଦ୍ଦେଶ ଦେଇଥିଲେ ।

ପ୍ରକାଶ ଥାଉକି, ଗତ ୨ ତାରିଖ ସଂନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଅଦ୍ୟାବଧି ସରକାରୀ ଭାବେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ପରେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ଵ ମୃତଦେହକୁ ପ୍ରଶାସନ ପକ୍ଷରୁ ଶବ ଚିହ୍ନଟ ପ୍ରକ୍ରିୟା ପାଇଁ ବାହାନଗା ଉଚ୍ଚ ବିଦ୍ୟାଳୟରେ ରଖାଯାଇଥିଲା । ଯାହାକୁ ନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପରବର୍ତି ସମୟରେ ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ଭୟ କରିଥିଲେ । ଘଟଣା ସମ୍ପର୍କରେ ଅବଗତ ହେବା ପରେ ଗତକାଲି ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତିର ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଶିନ୍ଦେ କହିଥିଲେ ଯେ, ରାଜ୍ୟ ସରକାର ଏହି ସ୍କୁଲକୁ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ କହିଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରହିଛି । ସ୍କୁଲର ଯେଉଁ କୋଠରୀରେ ମୃତଦେହ ରଖାଯାଇଥିଲା ତାହାକୁ ଭାଙ୍ଗି ଦିଆଯିବ । ଏହାଛଡା ବିଦ୍ୟାଳୟରେ ରଙ୍ଗ ଦିଆଯିବ । ଆବଶ୍ୟକ ହେଲେ ସ୍କୁଲ କମିଟି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିପାରିବେ ।

ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଦୀର୍ଘ ସମୟ ଧରି ଏସଏମଡିସି, ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *